28.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶକୋଲକାତା ଆରଜି କର ଟ୍ରେନି ଡାକ୍ତରାଣୀ ଦୁଷ୍କର୍ମ ଓ ହତ୍ୟା ଘଟଣା, ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଲେ...

କୋଲକାତା ଆରଜି କର ଟ୍ରେନି ଡାକ୍ତରାଣୀ ଦୁଷ୍କର୍ମ ଓ ହତ୍ୟା ଘଟଣା, ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଲେ ଜୁନିଅର ଡାକ୍ତର

କୋଲକାତା :  ପଶ୍ଚିମବଙ୍ଗରେ ଜୁନିଅର ଡାକ୍ତରମାନେ ପୁଣି ଥରେ ଧର୍ମଘଟକୁ ଓହ୍ଲାଇଛନ୍ତି । ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ୩୧ ବର୍ଷୀୟା ଟ୍ରେନି ଡାକ୍ତରାଣୀଙ୍କୁ ହସ୍ପିଟାଲର ସେମିନାର ହଲ୍‌ରେ ହିଁ ଦୁଷ୍କର୍ମ ଓ ହତ୍ୟା କରାଯିବା ଘଟଣାକୁ ନେଇ ପ୍ରାୟ ମାସାଧିକ କାଳ (୪୨ ଦିନ) ରାଜ୍ୟରେ କାର୍ଯ୍ୟରତ ଜୁନିଅର ଡାକ୍ତରମାନେ ଆନ୍ଦୋଳନ ଜାରି ରଖିଥିଲେ । ଏପରିକି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ଏମାନେ ଅବମାନନା କରିଥିଲେ ଏବଂ କାର୍ଯ୍ୟକୁ ଫେରିନଥିଲେ । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଥର ବୁଝାଶୁଝା କରାଯିବା ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେମାନଙ୍କ ସର୍ତ୍ତରେ ରାଜି ହେବା ପରେ ଜୁନିଅର ଡାକ୍ତରମାନେ କାର୍ଯ୍ୟକୁ ଫେରିଥିଲେ । କିନ୍ତୁ ଏହାପୂର୍ବରୁ ସେମାନେ ମୁଖ୍ୟମନ୍ତ୍ରୀ ମମତାଙ୍କ ସହ ଦୀର୍ଘ ସମୟର ଏକ ଆଲୋଚନା ବୈଠକ କରିଥିଲେ । କିନ୍ତୁ ନିକଟରେ କୋଲକାତାର ଅନ୍ୟ ଏକ ସରକାରୀ ହସ୍ପିଟାଲରେ ଜଣେ ଡାକ୍ତରାଣୀଙ୍କୁ ଜଣେ ରୋଗୀଙ୍କ ସମ୍ପର୍କୀୟ ଆକ୍ରମଣ କରିବା ଘଟଣାକୁ ନେଇ ପୁଣିଥରେ ଜୁନିଅର ଡାକ୍ତରମାନେ ତାତିଛନ୍ତି ।
ପୂର୍ବ ଆଲୋଚନା ସମୟରେ ଜୁନିଅର ଡାକ୍ତରମାନେ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ରଖିଥିବା ସର୍ତ୍ତ ମଧ୍ୟରେ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତରଙ୍କୁ ସୁରକ୍ଷା ଯୋଗାଇବା ନିଶ୍ଚିତ କରିବା ଅନ୍ୟତମ ସର୍ତ୍ତ ରହିଥିଲା । ସେହିପରି ହସ୍ପିଟାଲଗୁଡ଼ିକରେ ସିସିଟିଭି କ୍ୟାମେରା ଲଗାଯିବା ନେଇ ମଧ୍ୟ ସର୍ତ୍ତ ରହିଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ସେପରି କୌଣସି ତତ୍ପରତା ଦେଖିବାକୁ ମିଳିନାହିଁ । ସୁତରାଂ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଥିବା ଜୁନିଅର ଡାକ୍ତରମାନେ ହସ୍ପିଟାଲରେ ସେମାନଙ୍କ ପାଇଁ ସୁରକ୍ଷା ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି ।
ସୋମବାର ଆରଜି କର ମେଡିକାଲ କଲେଜ୍ ଏବଂ ହସ୍ପିଟାଲରେ ୮ ଘଣ୍ଟିଆ ବୈଠକ ପରେ ପଶ୍ଚିମବଙ୍ଗ ଜୁନିଅର ଡାକ୍ତର ଫ୍ରଣ୍ଟ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଏସମ୍ପର୍କରେ ସୂଚନା ଦେଇଥିଲା । ଏପରିକି ସେମାନେ ଆଜି ଅର୍ଥାତ୍ ମଙ୍ଗଳବାରଠାରୁ କାର୍ଯ୍ୟ ବନ୍ଦ କରିବେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ । ଜୁନିଅର ଡାକ୍ତରଙ୍କ କହିବାନୁସାରେ ଯେପର୍ଯ୍ୟନ୍ତ ରୋଗୀ ସେବାରେ ସୁରକ୍ଷା, ଆମକୁ ସୁରକ୍ଷା ନ ମିଳିଛି ସେ ପର୍ଯ୍ୟନ୍ତ ଆମର ଧର୍ମଘଟ ଜାରି ରଖିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ । ଡାକ୍ତରମାନେ ପୁଣି ଥରେ ବିକ୍ଷୋଭ ତଥା ଆନ୍ଦୋଳନ କରିଥିବା ବେଳେ ସରକାରଙ୍କୁ ପ୍ରଦାନ କରିଥିବା ଦାବିପତ୍ରରେ ୧୦ଟି ଦାବି ଉଲ୍ଲେଖ କରିଛନ୍ତି । ଅନ୍ୟପକ୍ଷେ ଜୁନିୟର ଡାକ୍ତରଙ୍କ ସଂପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗୁ ଆଜି ରାଜ୍ୟର ପ୍ରାୟ ସମସ୍ତ ହସ୍ପିଟାଲରେ ରୋଗୀ ସେବା ପ୍ରଭାବିତ ହୋଇଛନ୍ତି । ସିନୟର ଡାକ୍ତରମାନଙ୍କୁ ଆରପିଡି, ଓପିଡି ଓ ଜରୁରୀ ସେବା ଯୋଗାଇବା ପାଇଁ ନିୟୋଜିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking