ବ୍ୟାଙ୍କକ୍: ଥାଇଲାଣ୍ଡର ବ୍ୟାଙ୍କକ୍ ସହରରେ ଏକ ଭୟଙ୍କର ବସ୍ ଦୁର୍ଘଟଣାରେ ୨୫ ସ୍କୁଲ ଛାତ୍ରଛାତ୍ରୀଙ୍କ ପ୍ରାଣହାନୀ ହୋଇଥିବା ଭଳି ଅଭାବନୀୟ ଘଟଣା ସମ୍ପର୍କରେ ସୂଚନା ମିଳିଛି । ସ୍କୁଲ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ନେଇ ଯାଉଥିବା ଏକ ବସ୍ରେ କୌଣସି କାରଣ ବଶତଃ ନିଆଁ ଲାଗିଯାଇଥିଲା । ଅନ୍ୟମାନେ ବସ୍ ଭିତରୁ ବାହାରିଯିବାରେ ସଫଳ ହୋଇଥିଲେ ମଧ୍ୟ ୧୫ଜଣ ସ୍କୁଲ ପିଲା ବସ୍ ଭିତରେ ହିଁ ରହିଯାଇଥିଲେ । ଥାଇଲାଣ୍ଡ୍ ପରିବହନ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ବସ୍ଟି କେନ୍ଦ୍ରୀୟ ଉଥାଇ ଥାନି ପ୍ରଦେଶରୁ ୪୪ ଜଣ ଯାତ୍ରୀ (ଛାତ୍ରଛାତ୍ରୀ ଓ ଶିକ୍ଷକ)ଙ୍କୁ ନେଇ ବ୍ୟାଙ୍କକ୍ ଅଭିମୁଖେ ଯାଉଥିବା ବେଳେ ମଧ୍ୟାହ୍ନରେ ରାଜଧାନୀର ଉତ୍ତର ଉପକଣ୍ଠ ପଥୁମ୍ ଥାନି ପ୍ରଦେଶରେ ନିଆଁ ଲାଗିଯାଇଥିଲା । ଅନ୍ୟପକ୍ଷେ ଆଭ୍ୟନ୍ତରୀଣ ମନ୍ତ୍ରୀ ଅନୁତିନ ଚେରନୱିରାକୁଲ କହିଛନ୍ତି ଯେ, ଘଟଣାସ୍ଥଳରେ ତଦନ୍ତ ଶେଷ ହୋଇନଥିବାରୁ କର୍ତ୍ତୃପକ୍ଷ ମୃତକଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ନିଶ୍ଚିତ କରିପାରିନାହାନ୍ତି, କିନ୍ତୁ ବଞ୍ଚିଥିବା ଲୋକଙ୍କ ସଂଖ୍ୟାକୁ ଆଧାର କରି ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ତେବେ ବସ୍ରୁ ବାହାରି ଆସିଥିବା ପିଲାମାନଙ୍କ ମଧ୍ୟରୁ କେତେକ ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଥିବା ଜଣେ ଉଦ୍ଧାରକାରୀ କହିଛନ୍ତି ଯେ ଟାୟାର ଫାଟିବା ପରେ ବସ୍ଟି ନିୟନ୍ତ୍ରଣ ହରାଇ ରାସ୍ତାର ଡିଭାଇଡରରେ ଜୋରଦାର ଧକ୍କା ଦେଇଥିଲା, ଫଳରେ ସେଥିରେ ନିଆଁ ଲାଗିଯାଇଥିଲା । ସରକାରୀ ତଦନ୍ତ ରିପୋର୍ଟ ଆସିବା ପରେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିବ ।