28.1 C
Bhubaneswar
Saturday, September 28, 2024
Homeଓଡିଶା୭ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ: ଏଜିଙ୍କ ଫି’ ୫ଗୁଣ ବୃଦ୍ଧି

୭ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ: ଏଜିଙ୍କ ଫି’ ୫ଗୁଣ ବୃଦ୍ଧି

ଭୁବନେଶ୍ୱର :  ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଓଡ଼ିଶା ସାଧାରଣ ବଂଟନ ବ୍ୟବସ୍ଥା(ନିୟନ୍ତ୍ରଣ) ଆଦେଶ,୨୦୧୬’ର ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଫଳରେ ଘରୋଇ ଡିଲରଙ୍କ ସ୍ଥାନରେ ଆନୁଷ୍ଠାନିକ ଡିଲରମାନଙ୍କ ନିଯୁକ୍ତି ପ୍ରକ୍ରିୟାକୁ ଆଉ ଦେଢ଼ବର୍ଷ ଅର୍ଥାତ୍ ଆସନ୍ତା ୨୦୨୬ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଘରୋଇ ଡିଲରମାନଙ୍କ କାର୍ଯ୍ୟକାଳ ଚଳିତବର୍ଷ ସେପ୍ଟେମ୍ବର ୩୦ତାରିଖରେ ଶେଷ ହେଉଛି । ସମସ୍ତ ଘରୋଇ ଡିଲାରଙ୍କୁ ଏକକାଳୀନ ଉଚ୍ଛେଦ କରିବାରେ ପ୍ରଶାସନିକ ଅସୁବିଧା ଓ ସାଧାରଣ ବଂଟନରେ ଅବ୍ୟବସ୍ଥାର ଆଶଙ୍କା ରହିଥିବାରୁ ସେମାନଙ୍କ କାର୍ଯ୍ୟକାଳ ଆସନ୍ତା ୨୦୨୬ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ସାଧାରଣ ବଂଟନ ବ୍ୟବସ୍ଥାରେ ରାଜ୍ୟରେ କାର୍ଯ୍ୟରତ ୫୨୯୧ଜଣ ଘରୋଇ ଡିଲରଙ୍କ କାର୍ଯ୍ୟକାଳ ଆଉ ଦେଢ଼ବର୍ଷ ବୃଦ୍ଧି ପାଇଛି । ସେହିପରି ବିଭିନ୍ନ କୋର୍ଟ ଓ ଟ୍ରିବ୍ୟୁନାଲରେ ସରକାରଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଆଡଭୋକେଟ୍ ଜେନେରାଲଙ୍କ ଫି’କୁ ମଧ୍ୟ ସରକାର ହାରାହାରି ୫ଗୁଣ ବଢ଼ାଇଛନ୍ତି । ଏସବୁ ପ୍ରସ୍ତାବ ସମେତ ମୋଟ ୭ଟି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି ।

ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ୨୦୧୫ ନଭେମ୍ବର ମାସରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ-୨୦୧୩ କାର୍ଯ୍ୟକାରୀ ହେଉଛି ଓ ଏହି ଆଇନରେ ୬ମାସ ମଧ୍ୟରେ ଘରୋଇ ଡିଲର ବ୍ୟବସ୍ଥା ଉଚ୍ଛେଦ ପାଇଁ ପ୍ରାବଧାନ ଥିଲେ ମଧ୍ୟ ରାଜ୍ୟ ସରକାର ସେମାନଙ୍କ କାର୍ଯ୍ୟକାଳ ବାରମ୍ବାର ବଢ଼ାଇ ଚାଲିଛନ୍ତି । ବିଜେଡି ସରକାର ଏହି ଘରୋଇ ଡିଲରଙ୍କ କାର୍ଯ୍ୟକାଳକୁ ଥରକରେ ୬ମାସରୁ ଏକବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରୁଥିବାବେଳେ ବିଜେପି ସରକାର ଆଜି ଦେଢ଼ବର୍ଷ ପାଇଁ ବଢ଼ାଇ ଦେଇଛନ୍ତି । ରାଜ୍ୟରେ ସାଧାରଣ ବଂଟନ ବ୍ୟବସ୍ଥାରେ ମୋଟ ୧୧୯୩୧ଟି ସୁଲଭ ମୂଲ୍ୟ ଦୋକାନ ରହିଛି । ସେଥିରୁ ୫୨୯୧ଟି ଘରୋଇ ଡିଲରଙ୍କ ଦ୍ୱାରା ପରିଚାଳିତ ହେଉଛି । ଆନୁଷ୍ଠାନିକ ଖାଉଟି ଡିଲର କେନ୍ଦ୍ର ଯଥା-ପଂଚାୟତ ଦ୍ୱାରା ପରିଚାଳିତ ୪୦୨୮ଟି , ମହିଳା ଏସଏଚଜିଙ୍କ ଦ୍ୱାରା ୨୧୬୧ଟି, ଏସଏଚଜିଙ୍କ ଦବାରା ୧୬୧ଟି , ସେବା ସମବାୟ ସମିତି ଦ୍ୱାରା ୨୪୬ଟି ଓ ଅନ୍ୟାନ୍ୟ ସଂସ୍ଥା ଦ୍ୱାରା ୪୨ଟି ସୁଲଭ ମୂଲ୍ୟ ଦୋକାନ ପରିଚାଳିତ ହେଉଛି ।

ସେହିପରି ଆଡଭୋକେଟ୍ ଜେନେରାଲ(ଏଜି)ଙ୍କ ଫି’ ସଂଶୋଧନ ପ୍ରସ୍ତାବକୁ ପିଛିଲା ଭାବେ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଶେଷଥର ପାଇଁ ୨୦୧୬ ଏପ୍ରିଲ ୨୧ତାରିଖରେ ଏଜିଙ୍କ ଫି’ ସଂଶୋଧିତ ହୋଇଥିଲା । ସୁପ୍ରିମକୋର୍ଟ, ହାଇକୋର୍ଟ, ବିଭିନ୍ନ ଟ୍ରିବ୍ୟୁନାଲରେ ସରକାରଙ୍କ ପକ୍ଷରୁ ମାମଲା ଲଢ଼ିବା ପାଇଁ ଏଜିଙ୍କ ଫି’କୁ ରାଜ୍ୟ ସରକାର ପ୍ରାୟ ୬ଗୁଣ ବୃଦ୍ଧି କରିଛନ୍ତି ।

ସରକାର ଆଇନ ପରାମର୍ଶଦାତା ଭାବେ ମାସିକ ରିଟେନର ଫି’ ବାବଦରେ ୫୦ହଜାର ଟଙ୍କା ପରିବର୍ତ୍ତେ ୩ଲକ୍ଷ ଟଙ୍କା ପାଇବେ । ସେହିପରି ସୁପ୍ରିମକୋର୍ଟରେ କୌଣସି ମାମଲାରେ ହାଜର ହେବା ପାଇଁ ଥରକୁ ୫୫୦୦୦ ଟଙ୍କା, ଆଟର୍ଣ୍ଣି ଜେନେରାଲଙ୍କୁ ସହାୟତା ପାଇଁ ସୁପ୍ରିମକୋର୍ଟରେ ଉପସ୍ଥିତ ହେଲେ ଦୈନିକ ୩୫ହଜାର ଟଙ୍କା, କୌଣସି କାର୍ଯ୍ୟ ସମ୍ପାଦନ ପାଇଁ ସଦରମହକୁମା ବାହାରକୁ ଗଲେ ଦୈନିକ ୩୫ହଜାର ଟଙ୍କା, କଟକରେ କୌଣସି କୋର୍ଟ, ଟ୍ରିବ୍ୟୁନାଲ ଓ ଆୟୋଗରେ ହାଜର ହେଲେ ଦୈନିକ ୩୦ହଜାର ଟଙ୍କାର ଫି’ ସରକାର ଦେବେ । ସେହିପରି ଭାରତର ସମ୍ବିଧାନର ଅନୁଚ୍ଛେଦ ୨୨୬ ଓ ୨୨୭ ଅନୁସାରେ କାର୍ଯ୍ୟବିଧିରେ ହାଇକୋର୍ଟରେ ଉପସ୍ଥିତ ପାଇଁ ଦୈନିକ ୩୦ହଜାର ଟଙ୍କା ଫି’ ମିଳିବ ବୋଲି ଜଣାପଡ଼ିଛି ।

‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’କୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଏହି ଯୋଜନା ୨୦୨୪-୨୫ ଆର୍ଥିକ ବର୍ଷରୁ ୨୦୨୮-୨୯ ମସିହା ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବ । ଏହି ଯୋଜନାରେ ଦୁଗ୍ଧ ଉତ୍ପାଦନକୁ ବୃଦ୍ଧି କରିବା ସହ ୧୫ଲକ୍ଷ ୪୭ହଜାର ୮୩୭ଜଣ ଗୋପାଳକଙ୍କ ଆୟ ବୃଦ୍ଧିକୁ ତ୍ୱରାନ୍ୱିତ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଏଥିରେ ମଈଁଷି ପାଳନ ପାଇଁ ୬୩୩୭ଜଣ ଚାଷୀଙ୍କୁ ୧୧୦.୨୩କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯିବ ।

ଗୋପାଳନ ଯୋଜନାରେ ୩୧୫୦୦ ଚାଷୀଙ୍କୁ ଦୃଷ୍ଟିରେ ରଖି ୪୭୬କୋଟି ଟଙ୍କା, ଗୋସମ୍ପଦ ବୀମା ଯୋଜନାରେ ୩ଲକ୍ଷ ଚାଷୀଙ୍କ ପାଇଁ ୧୮୭.୪୨କୋଟି ଟଙ୍କା, ବାଛୁରୀ ପାଳନ ଯୋଜନାରେ ୭୫ହଜାର ଚାଷୀଙ୍କ ପାଇଁ ୨୧୬.୦୯କୋଟି ଟଙ୍କା, ଓମଫେଡକୁ ସହାୟତା ବାବଦରେ ୨୫.୫୨କୋଟି ଟଙ୍କା, କୃତ୍ରିମ ପ୍ରଜନନ ପାଇଁ ୪୧.୧୦କୋଟି ଟଙ୍କା, ତୃଣ ଉତ୍ପାଦନ ଓ ସରକାରୀ ତୃଣ ଉତ୍ପାଦନ ଫାର୍ମଗୁଡ଼ିକର ସୁଦୃଢ଼ୀକରଣ ପାଇଁ ୨୦୦.୬୮କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏହି ତୃଣ ଉତ୍ପାଦନ କ୍ଷେତ୍ରରେ ୫ବର୍ଷ ମଧ୍ୟରେ ୫ଲକ୍ଷ ଚାଷୀ ଉପକୃତ ହେବାକୁ ଲକ୍ଷ୍ୟ ରଖାଯାଇଛି।

ସେହିପରି ଓଡ଼ିଶା ହାଇକୋର୍ଟଙ୍କ ବାସଗୃହ ପାଇଁ କଟକର ସିଡିଏ ସେକ୍ଟର-୧୩ ର ୧୦ଏକର ପରିମିତ ଅଂଚଳରେ ୫୫୦ଟି ବାସଗୃହ ନିର୍ମାଣ ପାଇଁ ଆଇରନ୍ ଟ୍ରିଙ୍ଗାଲ ଲିଃ ନାମକ ଠିକା ସଂସ୍ଥାର ୨୨୦.୪୦କୋଟି ଟଙ୍କାର ଟର୍ଣ୍ଣକି ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍ ଆଜି ଅନୁମୋଦନ କରିଛନ୍ତି । ଏହି ୫୫୦ଟି ବାସଗୃହ ମଧ୍ୟରେ ୨୦୦ଟି ଟାଇପ-ଡି ଓ ୩୫୦ଟି ଟାଇପ-ଇ କ୍ୱାର୍ଟର୍ସ ନିର୍ମାଣ ସମେତ କମ୍ୟୁନିଟ ହଲ୍ ଓ ଖେଳପଡ଼ିଆ ନିର୍ମାଣ ହେବ । ଏହି ପ୍ରକଳ୍ପକୁ ୩୦ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

‘ସରକାରୀ ପରିସଂଖ୍ୟାନ ସମ୍ପର୍କୀୟ ତଥ୍ୟ ପ୍ରସାରଣ ନୀତି-୨୦୨୪’କୁ ଆଜି କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହି ନୀତି ଦ୍ୱାରା ତଥ୍ୟର ଗୁଣବତ୍ତା ଓ ଉପଭୋକ୍ତା ନିୟୋଜନକୁ ବୃଦ୍ଧି କରାଯାଇପାରିବ । ଯାହାକି ନୀତି ନିର୍ଦ୍ଧାରଣକାରୀ, ଯୋଜନା ପ୍ରଣୟନକାରୀ, ଗବେଷକ ଇତ୍ୟାଦିଙ୍କ ଦ୍ୱାରା ତଥ୍ୟଭିତ୍ତିକ ନିଷ୍ପତ୍ତି ନେବାକୁ ସହାୟକ ହେବ ।

ଓଡ଼ିଶା ସୁପ୍ରିମୋ ଜୁଡିସିଆଲ ସର୍ଭିସ ଓ ଓଡ଼ିଶା ଜୁଡିସିଆଲ ସର୍ଭିସ ନିୟମ-୨୦୦୭କୁ ସଂଶୋଧନ ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି। ନୂତନ ଅପରାଧିକ ଆଇନ ପ୍ରଣୟନ ଯଥା- ଦି ଭାରତୀୟ ନ୍ୟାୟ ସଂହିତା ୨୦୨୩, ଦି ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଓ ଦି ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ ପରିପ୍ରେକ୍ଷୀରେ ଜୁଡିସିଆଲ ଅଫିସରମାନଙ୍କର ନୈତିକ ଓ ଆଇନଗତ କର୍ତ୍ତବ୍ୟ, କୋର୍ଟ ପରିଚାଳନା ଓ ପ୍ରଶାସନିକ ଦକ୍ଷତାକୁ ଆଲୋକିତ କରିବା ପାଇଁ ରାଜ୍ୟର ଏହି ଦୁଇଟି ନିୟମରେ ସଂଶୋଧନର ଆବଶ୍ୟକତା ରହିଛି । ବିଧାନସଭା ଅଧିବେଶନର ସତ୍ରାବସାନକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking