26.1 C
Bhubaneswar
Tuesday, September 24, 2024
Homeଦେଶ ବିଦେଶପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ କିଛି ଅକୁହା କଥା

ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ କିଛି ଅକୁହା କଥା

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରାୟ ୧୮ ମାସ ଜେଲରେ ରହି ଫେରିଥିବା ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ନେତା ତଥା ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ବ୍ୟକ୍ତିଗତ ଜୀବନର କିଛି ଅକୁହା କଥାକୁ ଖୋଲି କହିଛନ୍ତି । ଦିଲ୍ଲୀରେ ଆଜି ଆୟୋଜିତ ଏକ କାର୍ଯ୍ୟକ୍ରମରେ ମନୀଷ ସିସୋଦିଆ କହିଛନ୍ତି, ତାଙ୍କ ବିରୋଧରେ ଆସିଥିବା ଦୁର୍ନୀତିରେ ତାଙ୍କ ସମ୍ପୃକ୍ତି ସମ୍ପର୍କରେ ଇଡି-ସିବିଆଇ ପାଖରେ କୌଣସି ବଳିଷ୍ଠ ପ୍ରମାଣ ନାହିଁ । କୋର୍ଟରେ ମାମଲା ବିଚାରାଧୀନ ରହିଛି ।

ତାଙ୍କୁ ଅଭିଯୁକ୍ତ ଭାବେ ଜେଲ୍‌ରେ ଭର୍ତ୍ତି କରାଗଲା, କିନ୍ତୁ ଆଜି ପର୍ଯ୍ୟନ୍ତ ଦୋଷୀ ସାବ୍ୟସ୍ତ କରାଯାଇପାରିନାହିଁ । ତଥାପି ତାଙ୍କୁ ଏପରି ଏକ ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା ଯେଉଁଠି ତାଙ୍କୁ ତାଙ୍କ ପୁଅର କଲେଜ ଫି’ ଦେବାକୁ ମଧ୍ୟ ଲୋକଙ୍କୁ ଭିକ ମାଗିବାକୁ ପଡ଼ିଥିଲା । କାରଣ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କର ବ୍ୟାଙ୍କ ଆକାଉଣ୍ଟ ଅଚଳ କରିଦେଇଥିଲା । ସିସୋଦିଆଙ୍କ କହିବାନୁସାରେ ସେ ଯେତେବେଳେ ସାମ୍ବାଦିକତା କରୁଥିଲେ ସେତେବେଳେ ସେ ୨୦୦୨ ମସିହାରେ ୫ ଲକ୍ଷ ଟଙ୍କା ଦେଇ ଏକ ଛୋଟ ଘରଟିଏ କିଣିଥିଲେ । ଇଡି ସେହି ଘରକୁ ମଧ୍ୟ ସିଲ୍ କରିଦେଇଥିଲା ଓ ନିଜ ହେପାଜତକୁ ନେଇଯାଇଥିଲା । ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୦ ଲକ୍ଷ ଟଙ୍କା ଥିଲା । ସେସବୁ ତାଙ୍କ ଦରମା ଟଙ୍କାରୁ ବଳକା ରହିଥିବା ଅର୍ଥ ।

ଇଡି ସେସବୁ ପଇସାକୁ ନେଇଗଲା । ଇଡି ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଅଚଳ କରିଦେବାରୁ ସେ ପୁଅର କଲେଜ ଫି’ ଭରଣା ପାଇଁ ଅନ୍ୟ ଲୋକଙ୍କୁ ହାତ ପତାଇଥିଲେ । ତେବେ ଏସବୁ କେବଳ ତାଙ୍କୁ ଭିତରୁ ଭାଙ୍ଗିଦେବା ପାଇଁ ଷଡଯନ୍ତ୍ର ଥିଲା । କିନ୍ତୁ ସେ (ସିସୋଦିଆ), କେଜ୍ରିୱାଲ୍‌ଙ୍କ ଜଣେ ବିଶ୍ୱସ୍ତ ସିପାହୀ ହୋଇଥିବାରୁ ସେ ସେସବୁ ମାନସିକ ନିର୍ଯ୍ୟାତନା ସମ୍ମୁଖରେ ଭାଙ୍ଗିପଡ଼ିନଥିଲେ କିମ୍ବା ଭୟଭୀତ ହୋଇନଥିଲେ । କେଜ୍ରିୱାଲ ଓ ସିସୋଦିଆଙ୍କ ସମ୍ପର୍କ କୁଆଡେ ଭଗବାନ ଶ୍ରୀରାମ ଓ ଭଗବାନ ଲକ୍ଷ୍ମଣଙ୍କ ସମ୍ପର୍କ ଭଳି । ଏହାକୁ ବିଜେପି କିମ୍ବା ଅନ୍ୟ କେହି ଭାଙ୍ଗିପାରିବେ ନାହିଁ ବୋଲି ସିସୋଦିଆ କହିଥିଲେ । ପ୍ରକାଶ, ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା ସହିତ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ୨୦୨୩ ଫେବ୍ରୁଆରୀରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ତେବେ ସୁପ୍ରିମକୋର୍ଟରୁ ଜାମିନ୍ ମିଳିବା ପରେ ଗତ ଅଗଷ୍ଟ ମାସରେ ସେ ଜେଲ୍‌ରୁ ବାହାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking