26.1 C
Bhubaneswar
Tuesday, September 24, 2024
Homeଦେଶ ବିଦେଶଚନ୍ଦ୍ରବାବୁ ନାଇଡୁ ଜଣେ ଅଭ୍ୟାସଗତ ‘ମିଛୁଆ' : ଜଗନ୍ ମୋହନ ରେଡ୍ଡୀ

ଚନ୍ଦ୍ରବାବୁ ନାଇଡୁ ଜଣେ ଅଭ୍ୟାସଗତ ‘ମିଛୁଆ’ : ଜଗନ୍ ମୋହନ ରେଡ୍ଡୀ

ହାଇଦ୍ରାବାଦ୍‌: ତିରୁପତି ମନ୍ଦିରରରେ ଦିଆଯାଉଥିବା ପ୍ରସାଦ ‘ଲଡୁ’କୁ ନେଇ ବିବାଦ ତୀବ୍ରତର ହେବା ପରେ ୱାଇଏସଆର୍ କଂଗ୍ରେସ ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି । ଚିଠିରେ ସେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି)ର ପବିତ୍ରତାକୁ ଅପବିତ୍ର କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି । ଏତଦ୍‌ବ୍ୟତୀତ ସେ ଚନ୍ଦ୍ରବାବୁଙ୍କୁ ଜଣେ ‘ଅଭ୍ୟାସଗତ ମିଛୁଆ’ ବୋଲି ମଧ୍ୟ ଅଭିହିତ କରିଛନ୍ତି । ଜଗନ୍ ନିଜ ଚିଠିରେ ଚନ୍ଦ୍ରବାବୁ ନାଇଡୁ ଏବେ ଭଗବାନ ତିରୁପତିଙ୍କ ନାମରେ ରାଜନୀତି କରିବା ଆରମ୍ଭ କରିଛନ୍ତି ବୋଲି ଦର୍ଶାଇଛନ୍ତି । କେବଳ ଏତିକି ନୁହେଁ, ନାଇଡୁଙ୍କୁ ତାଗିଦ୍ କରିବା ସହ ସତ୍ୟ ପ୍ରକାଶ କରିବାକୁ ଜଗନ୍ ରେଡ୍ଡୀ, ପ୍ରଧାନମନ୍ତ୍ରୀଙ୍କୁ ନିବେଦନ ମଧ୍ୟ କରିଛନ୍ତି । ତିରୁପତି ଲଡୁରେ ପଶୁ ଚର୍ବି, ମାଛ ତେଲ ମିଶ୍ରଣ ନେଇ ଏକ ଲ୍ୟାବ୍ ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍‌ମୋହନ ରେଡ୍ଡୀ ଏବଂ ତାଙ୍କ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି । ମନ୍ଦିରରେ ଚାଲିଥିବା ଏପ୍ରକାର ଅନ୍ୟାୟ, ଅନୀତିକୁ ଜଗନ୍ ସରକାର ପ୍ରଶୟ ଦେଇଥିବା ଚନ୍ଦ୍ରବାବୁ ଅଭିଯୋଗ କରିଛନ୍ତି । ତେବେ ଏହାକୁ ନେଇ ସମଗ୍ର ଦେଶରେ ବିବାଦ ଦେଖାଦେଇଛି ।

ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ ରେଡ୍ଡୀ ମୁହାଁମୁହିଁ ହୋଇଛନ୍ତି । ଏପରିକି ତାଙ୍କ ବିରୋଧରେ ହାଇଦ୍ରାବାଦରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି । ଜଗନମୋହନ ହିନ୍ଦୁ ଦେବାଦେବୀଙ୍କୁ ଅପମାନିତ କରିବା ଏବଂ ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି । କେ. କରୁଣାସାଗର ନାମକ ଜଣେ ଆଡଭୋକେଟ୍ ଲ୍ୟାବ୍ ରିପୋର୍ଟକୁ ଦର୍ଶାଇ ସୟଦାବାଦ୍ ପୁଲିସ ଷ୍ଟେସନରେ ଜଗନଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ତେବେ ଏପରି ଏକ ସମୟରେ ୱାଇଏସଆରସିପି ମୁଖ୍ୟ ଜଗନ୍ ମୋହନ ରେଡ୍ଡୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏପ୍ରକାର ଏକ ଚିଠି ଲେଖିଛନ୍ତି । ଆନ୍ଧ୍ରପ୍ରଦେଶରେ ଘଟୁଥିବା ଦୁଃଖଦ ଘଟଣା ପ୍ରତି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସେ ଏହି ଚିଠି ଲେଖିଥିବା ଉଲ୍ଲେଖ କରିଛନ୍ତି । ପ୍ରଭୁ ଭେଙ୍କଟେଶ୍ୱରଙ୍କୁ କେବଳ ଭାରତୀୟମାନେ ପୂଜା କରନ୍ତିନି, ବିଦେଶରେ ମଧ୍ୟ କୋଟି କୋଟି ହିନ୍ଦୁ ଭକ୍ତ ଆରାଧ୍ୟ ମଣନ୍ତି । ଯଦି ଏପରି ସମ୍ବେଦନଶୀଳ ପ୍ରସଙ୍ଗକୁ ଅତି ସାବଧାନତାର ସହ ନିୟନ୍ତ୍ରଣ କରାନଯାଏ, ତେବେ ଏହି ମିଛ ବ୍ୟାପକ କ୍ଷତି ପହଞ୍ଚାଇପାରେ ବୋଲି ଜଗନ୍ ଦର୍ଶାଇଛନ୍ତି ।

ବିବାଦ ପ୍ରସଙ୍ଗରେ ଜଗନ୍ ନିଜ ପକ୍ଷ ରଖି କହିଛନ୍ତି ଯେ, ତିରୁମାଲା ତିରୁପତି ଦେବସ୍ଥାନର ପବିତ୍ରତା, ଅଖଣ୍ଡତା ଏବଂ ସମ୍ମାନ ଅପୂରଣୀୟ କ୍ଷତି ଘଟାଇଛି । କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଭଗବାନ ଭେଙ୍କଟେଶ୍ୱରଙ୍କର ଲକ୍ଷ ଲକ୍ଷ ହିନ୍ଦୁ ଭକ୍ତ ଅଛନ୍ତି । ଯଦି ଏହି ପରିସ୍ଥିତି ସାବଧାନତାର ସହ ପରିଚାଳିତ ନହୁଏ ତେବେ ଏହି ମିଥ୍ୟା ବହୁତ କ୍ଷତି ଘଟାଇପାରେ । ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଟିଟିଡିର କାର୍ଯ୍ୟକଳାପ ବିରୁଦ୍ଧରେ ମିଥ୍ୟା ପ୍ରଚାର କରିଛନ୍ତି ବୋଲି ଜଗନ୍ ଅଭିଯୋଗ କରିଛନ୍ତି । କେବଳ ରାଜନୈତିକ ଆକ୍ରୋଶ, ପ୍ରତିଶୋଧ ପରାୟଣ ରାଜନୀତି ଆଳରେ ତାଙ୍କୁ ଏବଂ ତାଙ୍କ ଦଳକୁ ବଦନାମ୍ କରିବା ପୂର୍ବକ ସବୁଦିନ ପାଇଁ ଶେଷ କରିଦେବା ଉଦ୍ଦେଶ୍ୟରେ ଏସବୁ ଷଡ଼ଯନ୍ତ୍ର ରଚାଯାଇଛି । ତେଣୁ ଭକ୍ତଙ୍କ ବିଶ୍ୱାସ ଓ ଭରସାକୁ ପୁନଃସ୍ଥାପିତ କରିବା ପାଇଁ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ସତ୍ୟକୁ ସାମ୍ନାକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରିଛନ୍ତି ଜଗନ ମୋହନ ରେଡ୍ଡୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking