27.1 C
Bhubaneswar
Thursday, February 12, 2026
Homeଓଡିଶାଦୂରଦର୍ଶୀ ଜନନାୟକ ସୀତାରାମ ୟେଚୁରୀଙ୍କ ଅକାଳ ବିୟୋଗ ସମଗ୍ର ଦେଶ ପାଇଁ ଅପୂରଣୀୟ କ୍ଷତି

ଦୂରଦର୍ଶୀ ଜନନାୟକ ସୀତାରାମ ୟେଚୁରୀଙ୍କ ଅକାଳ ବିୟୋଗ ସମଗ୍ର ଦେଶ ପାଇଁ ଅପୂରଣୀୟ କ୍ଷତି

ରାଜ୍ୟସ୍ତରୀୟ ସର୍ବଦଳୀୟ ଶୋକ ସଭାରେ
ପ୍ରୟାତ ଜନନେତାଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ
ଭୁବନେଶ୍ୱର : ସି.ପି.ଆଇ.(ଏମ୍‌)ର ସାଧାରଣ ସଂପାଦକ ସୀତାରାମ ୟେଚୁରୀଙ୍କ ଅମ୍ଲାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଭୁବନେଶ୍ୱର ଜୟଦେବ ଭବନଠାରେ ଏକ ରାଜ୍ୟସ୍ତରୀୟ ସର୍ବଦଳୀୟ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ସି.ପି.ଆଇ.(ଏମ୍‌) ରାଜ୍ୟ ସଂପାଦକ ଅଳି କିଶୋର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସି.ପି.ଆଇ.(ଏମ୍‌)ର ବରିଷ୍ଠ ନେତା ଜନାର୍ଦ୍ଦନ ପତି, ସି.ପି.ଆଇ, ରାଜ୍ୟ ସଂପାଦକ ଆଶିଷ କାନୁନ୍‌ଗୋ, ସି.ପି.ଆଇ-ଏମ୍‌.ଏଲ୍‌. (ଲିବରେସନ) ରାଜ୍ୟ ସଂପାଦକ ଯୁଧିଷ୍ଠିର ମହାପାତ୍ର, ଫରୱାର୍ଡ ବ୍ଲକ୍ ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, କଂଗ୍ରେସ ରାଜ୍ୟ ନେତା ରାମଚନ୍ଦ୍ର ଖୁଌକ୍ଷଗ୍ଧ;ିଆ, ବିଜେଡି ରାଜ୍ୟ ଉପସଭାପତି ଦେବୀପ୍ରସାଦ ମିଶ୍ର, ଭୁବନେଶ୍ୱର ମେୟର ଶ୍ରୀମତି ସୁଲୋଚନା ଦାସ, ଏସ୍‌.ୟୁ.ସି.ଆଇ. ରାଜ୍ୟ ନେତ୍ରୀ ସ୍ୱୟଂପ୍ରଭା ନାୟକ, ସି.ପି.ଆଇ-ଏମ୍‌-ଏଲ୍ ରେଡ୍ ଫ୍ଲାଗ୍ ରାଜ୍ୟ ନେତ୍ରୀ ପ୍ରମିଳା ବେହେରା, ସମାଜବାଦୀ ପାର୍ଟି ରାଜ୍ୟ ସଂପାଦକ ପ୍ରତାପ ବାରିକ, ଆର୍‌.ଜେ.ଡି ରାଜ୍ୟ ନେତା ହେମନ୍ତ କୁମାର, ସମତାକ୍ରାନ୍ତିର ରାଜ୍ୟ ସଭାପତି ବ୍ରଜକିଶୋର ତ୍ରିପାଠୀ, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ବରିଷ୍ଠ ସାମ୍ବାଦିକ ରବି ଦାସ ସମେତ ବିଶିଷ୍ଟ ସାହିତ୍ୟିକ ଅଶ୍ୱିନୀ ମିଶ୍ର, ପ୍ରଫେସର ବିଜୟ ବହିଦାର, ଜେ.ଏନ୍‌.ୟୁ. ଓଡିଶା ଆଲୁମନି ଆସୋସିଏସନର ସୀତାରାମଙ୍କ ଘନିଷ୍ଠ ବନ୍ଧୁ ରୀତା ବିଶ୍ୱାଳ ପ୍ରମୁଖ ନେତୃବୃନ୍ଦ ଏବଂ ବୁଦ୍ଧିଜୀବିମାନେ ସୀତାରାମ ୟେଚୁରୀଙ୍କ ପଚାଶ ବର୍ଷର ଦୀର୍ଘ ରାଜନୈତିକ ଜୀବନ ସଂପର୍କରେ ବିଭିନ୍ନ ଦୃଷ୍ଟି କୋଣରୁ ଆଲୋକପାତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ସଭା ଆରମ୍ଭରୁ ସୀତାରାମ ୟେଚୁରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଏକ ଶୋକ ପ୍ରସ୍ତାବ ଅଳି କିଶୋର ପଟ୍ଟନାୟକ ଆଗତ କରିଥିଲେ । ସମବେତ ସାଥୀମାନେ ନୀରବତା ଅବଲମ୍ବନ କରି ସମ୍ମାନ ଜଣାଇ ଦଣ୍ଡାୟମାନ ହୋଇଥିଲେ । ସି.ପି.ଆଇ.(ଏମ୍‌)ର ବରିଷ୍ଠ ନେତା ଜନାର୍ଦ୍ଦନ ପତି ସୀତାରାମଙ୍କ ସହିତ ୫୦ବର୍ଷର ରାଜନୈତିକ ଓ ସାମାଜିକ ସଂପର୍କକୁ ଆଧାର କରି କହିଥିଲେ ଯେ ସୀତାରାମ ଜଣେ ଅନନ୍ୟ ଅସାଧାରଣ ଜନନାୟକ, ବିଶ୍ୱ କମ୍ୟୁନିଷ୍ଟ ଆନ୍ଦୋଳନ ସହ ଭାରତ ବର୍ଷର ପରିସ୍ଥିତି ସଂପର୍କରେ ତାଙ୍କର ଗଭୀର ଅଧ୍ୟୟନ ଥିଲା । ତରୁଣ ସୀତାରାମ ଜେ.ଏନ୍‌.ୟୁ.ରୁ ଏସ୍‌.ଏଫ୍‌.ଆଇ.ରେ ଯୋଗଦାନ କରି ଆରମ୍ଭ କରିଥିବା ନିଜର ରାଜନୈତିକ ଜୀବନରେ ନିରନ୍ତର ଅଧ୍ୟୟନ ତ୍ୟାଗ ସଂଘର୍ଷ ଏବଂ ସାଧନା ଯୋଗୁଁ ସେ ସି.ପି.ଆଇ.(ଏମ୍‌)ର ସର୍ବୋଚ୍ଚ ନେତୃତ୍ୱ ପଲିଟିବ୍ୟୁରୋ ଓ ସାଧାରଣ ସଂପାଦକ ଭାବରେ ନିର୍ବାଚିତ ହୋଇଥିଲେ । ସଂସଦରେ ସୀତାରାମଙ୍କର ବିତର୍କର ବୈଦ୍ଧିକତାର ମାନ ଅତ୍ୟନ୍ତ ଉଚ୍ଚକୋଟୀର । ଭାରତ ବର୍ଷର ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଆମ୍ବେଦକର, ଲୋହିଆ, ଭଗତ୍‌ସିଂହ, ଇତ୍ୟାଦିଙ୍କର ସମସ୍ତ ବିଚାରକୁ ଆଧାର କରି ମାର୍କ୍ସବାଦକୁ ପ୍ରୟୋଗ କରିବା କ୍ଷେତ୍ରରେ ସେ ସିଦ୍ଧହସ୍ତ ଥିଲେ । ସାଂପ୍ରଦାୟିକ ଫାସିବାଦର ଭୟଙ୍କର ବିପଦ, ହିନ୍ଦୁତ୍ୱବାଦୀ ବିଚାରଧାରା ଓ ବିଜେପିର ଜନବିରୋଧି ବିଚାରଧାରା ବିରୋଧରେ ବାମ-ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ବ୍ୟକ୍ତିମାନଙ୍କର ବ୍ୟାପକ ମଞ୍ଚ ଗଢି ତୋଳିବା ପାଇଁ ପ୍ରାୟ ୩ଦଶନ୍ଧି ଧରି ସେ ଉଦ୍ୟମ କରି ଆସୁଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ‘ଇଣ୍ଡିଆ ବ୍ଲକ୍‌’ ମଞ୍ଚ ଗଠନ କରିବାରେ ସେ ଅନ୍ୟତମ ରୂପକାର ଥିଲେ । ସୀତାରାମଙ୍କ ମୃତ୍ୟୁ କେବଳ ସି.ପି.ଆଇ.(ଏମ୍‌)ର ନୁହେଁ ସମଗ୍ର ଜନବାଦୀ ଆନ୍ଦୋଳନ ପାଇଁ ଦାରୁଣ ଆଘାତ ବୋଲି ସେ କହିଥିଲେ । ସୀତାରାମ ଧୀଶକ୍ତି ସଂପନ୍ନ, ଦୂରଦର୍ଶୀତାର ବିଚାରକୁ ଆଧାର କରି ସମସ୍ତ ବିଜେପି ବିରୋଧି ଶକ୍ତି ଏକାଠି ହୋଇ ଆନ୍ଦୋଳନକୁ ଆଗେଇ ନେବା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ ।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ଓଡିଶାର ପୂର୍ବତନ ମୂଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଶୋକ ବାର୍ତ୍ତା ପାଠ କରାଯାଇଥିଲା । ଏହାସହ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କ ଶୋକ ବାର୍ତ୍ତାକୁ ପାଠ କରାଯାଇଥିଲା । ଶ୍ରଦ୍ଧାଞ୍ଜଳି ସଭାର ସମଗ୍ର କାର୍ଯ୍ୟକ୍ରମକୁ ସି.ପି.ଆଇ.(ଏମ୍‌) ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ସନ୍ତୋଷ ଦାସ, ସୁରେଶ ପାଣିଗ୍ରାହୀ, ଦୁଷ୍ମନ୍ତ ଦାସ, ପୁଷ୍ପା ଦାଶ, ଜମେଶ୍ୱର ସାମନ୍ତରାୟ, ବିଷ୍ଣୁ ମହାନ୍ତି, ଯୁଧିଷ୍ଠିର ବେହେରା, ବଦ୍ରୀ ନାରାୟଣ ଦାଶ ପ୍ରମୁଖ ସଂଯୋଜନା କରିଥିଲେ । ସି.ପି.ଆଇ.(ଏମ୍‌) ଭୁବନେଶ୍ୱର ଆଞ୍ଚଳିକ କମିଟି ତରଫରୁ ପ୍ରଦୀପ୍ତ ନାୟକ, ପ୍ରଭାତ ପାଣିଗ୍ରାହୀ, ସରୋଜ ନାୟକ, ଏକାଦଶୀ ବେହେରା ପ୍ରମୁଖ ନେତୃବୃନ୍ଦ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଏହି ସଭାରେ ସକଳ ସ୍ତରର ୫୦୦ରୁ ଉର୍ଦ୍ଧ୍ୱ ସାଥୀ ଏବଂ ଶୁଭେଚ୍ଛୁମାନେ ଅଂଶଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking