18.1 C
Bhubaneswar
Thursday, February 12, 2026
Homeଓଡିଶାରାଜ୍ୟସଭା ପରେ ବିଧାନସଭା

ରାଜ୍ୟସଭା ପରେ ବିଧାନସଭା

ଭୁବନେଶ୍ୱର (ବିପିନ୍ ସିଂ): ବିଜେଡିରୁ ଆଜି ଆଉ ଜଣେ ରାଜ୍ୟସଭା ସାଂସଦ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି। ମମତା ମହାନ୍ତଙ୍କ ପରେ ସୁଜିତ କୁମାର ହେଉଛନ୍ତି ଦ୍ୱିତୀୟ ରାଜ୍ୟସଭା ସାଂସଦ ଯେ କି ବିଜେଡି ଛାଡ଼ିଲେ। ବିଜେପି ଏହିପରି ଜଣଙ୍କ ପରେ ଜଣେ ନିର୍ବାଚିତ ନେତାଙ୍କୁ ନେବାକୁ ଯୋଜନା ରଖିଥିବା ନେଇ ଆଗରୁ ଯେଉଁ ସୂଚନା ମିଳୁଥିଲା ତାହା ପ୍ରମାଣିତ ହେଉଛି। ଏକଥା ବି କୁହାଯାଉଛି ବିଜେଡି ଜାଣିପାରିବନି କେତେବେଳେ ତାହାର ଘର ଖାଲି ହୋଇଯିବ। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଏହିପରି ଗୋଟିଏ ପରେ ଗୋଟିଏ ଝଟକା ବିଜେପି ମୁଖିଆ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେବା ଆରମ୍ଭ କରିଛନ୍ତି ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି। ଏହା ମଧ୍ୟ ଆଲୋଚନା ହେଉଛି ଯେ, ରାଜ୍ୟସଭା ପରେ ବିଧାନସଭା ପାଳି ପଡ଼ିବ। ଏହି ଢ଼ଙ୍ଗରେ ବିଜେଡି ବିଧାୟକମାନଙ୍କୁ ନେବା ପାଇଁ ଯୋଜନା ରଖିଥିବା କଥା ବି ସୂଚନା ମିଳୁଛି।

ରାଜ୍ୟସଭାରେ ବିଜେପିର ଆବଶ୍ୟକୀୟ ସଂଖ୍ୟା ନଥିବାରୁ ଏହାକୁ ବୃଦ୍ଧି କରିବା ପାଇଁ ଦଳୀୟ ନେତାମାନେ ଯୋଜନା ଚଳାଇଛନ୍ତି। ରାଜ୍ୟସଭାରେ ଆବଶ୍ୟକୀୟ ସଂଖ୍ୟା ହାସଲ କରିବା ପାଇଁ ବିଜେଡିକୁ ଏବେ ଟାର୍ଗେଟ୍‌ରେ ରଖାଯାଇଛି। ରାଜ୍ୟସଭାର ବିଜେଡିର ୯ସଂଖ୍ୟା ଥିଲା। ଦୁଇ ଜଣଙ୍କ ଇସ୍ତଫା ପରେ ସଂଖ୍ୟା ୭କୁ ଖସିଛି। ଆଗକୁ ଆହୁରି ଖସିବ ବୋଲି ସୂଚନା ମଧ୍ୟ ମିଳୁଛି। ଲୋକସଭାରେ ବିଜେଡି ଶୂନ। ରାଜ୍ୟସଭାରେ ଯାହା ଅଛି ତାକୁ ଖାଲି କରିବାକୁ ବସିଛି ବିଜେପି। ଅତି ଚତୁରାତାର ସହ ବିଜେପି ଏହି ରାଜନୈତିକ ଶୀକାର କରିବା ଆରମ୍ଭ କରିଥିବା କୁହାଯାଉଛି। ଆଗକୁ ଅଧିକ ନିର୍ବାଚିତ ନେତାଙ୍କୁ ଶୀକାର କରିବାର ଲକ୍ଷ ଥିବାରୁ ପ୍ରଥମେ ମମତା ମହାନ୍ତଙ୍କୁ ନେଇ ତାଙ୍କୁ ପୁଣି ରାଜ୍ୟସଭାକୁ ପଠାଇ ଅନ୍ୟମାନଙ୍କ ମନରେ ବିଶ୍ୱାସ ସୃଷ୍ଟି କରାଗଲା। ସୁଜିତ କୁମାରଙ୍କୁ ବି ପୁଣି ରାଜ୍ୟସଭା ପଠାଇପାରେ ବୋଲି କୁହାଯାଉଛି। ବିଜେଡିର ନିର୍ବାଚିତ ନେତାମାନଙ୍କ ମନରେ ଦୃଢ଼ ବିଶ୍ୱାସ ସୃଷ୍ଟି କରି ଗୋଟିଏ ପରେ ଗୋଟିଏ ଶୀକାର କରିବାକୁ ଯୋଜନା ରଖିଛି। କୁହାଯାଉଛି ବିଜେପି ଆରମ୍ଭରୁ ବିଜେଡିର ମମତା ମହାନ୍ତ ଓ ସୁଜିତ କୁମାରଙ୍କ ସହ ଆଲୋଚନା କରି ଦଳକୁ ନେବା ପାଇଁ ଯୋଜନା କରି ରଖିଥିଲା। ଏକକାଳୀନ ଦୁଇ ଜଣ ଇସ୍ତଫା ଦେଇଥିଲେ ଉପନିର୍ବାଚନରେ ବିଜେଡି ସେଥିରୁ ଗୋଟିଏ ନେଇ ପାରିଥାଆନ୍ତା। ସଂଖ୍ୟା ଗଣିତରେ ବିଜେପି ପଛରେ ପଡ଼ି ଥାଆନ୍ତା। ଏଣୁ ଜଣଙ୍କ ପରେ ଜଣେ ସାଂସଦଙ୍କୁ ନେବା ପଛର ଉଦ୍ଦେଶ୍ୟ ହେଉଛି ତାଙ୍କୁ ଛିଡ଼ା କରାଯାଇ ପୁଣିି ଜିତାଇ ଦଳକୁ ଆଣି ପାରିବ। କାରଣ ବିଧାନସଭାରେ ବିଜେପିର ଦୁଇ ସ୍ୱାଧୀନ ସମର୍ଥକଙ୍କୁ ମିଶାଇ ସଂଖ୍ୟା ୮୧ ହୋଇଛି। ଏକ କାଳିନ ଦୁଇଟି ଆସନ ଖାଲି ଗୋଟିଏ ବିରୋଧୀ ପକ୍ଷକୁ ଯିବା ସମ୍ଭାବନା ଅଧିକ ରହୁଛି। ଏଥିପାଇଁ ଜଣଙ୍କ ପରେ ଜଣେ ନେବା ଯୋଜନା ରଖାଯାଇଛି।

ମମତା ମହାନ୍ତଙ୍କ ପରେ ବିଜେଡି ଯେଉଁ ଝଟକା ଖାଇଲା ତାହା ପରେ ଘର ସଜାଡ଼ିବାକୁ ଓ ନେତାଙ୍କୁ ଏକାଠି ରଖିବା ପାଇଁ ଉଦ୍ୟମ ଆରମ୍ଭ କଲା। ଦଳ ସୁପ୍ରିମୋ ନୀବନ ପଟ୍ଟନାୟକ ବିଭିନ୍ନ ପର୍ଯ୍ୟାୟରେ ନେତାମାନଙ୍କୁ ଡ଼ାକି ଆଲୋଚନା କଲେ ଓ ସେମାନଙ୍କୁ ଏକାଠି କରିବାର ଲଗିଲେ। ଏବେ ବିଜେଡି ସହ ସମସ୍ତ ନିର୍ବାଚନ ପ୍ରତିନିଧି ଅଛନ୍ତି। ଏହି ଧାରାଣା ନେଇ ନବୀନ ନିବାସରେ ବିଭିନ୍ନ ସଂସ୍ଥାର ନିର୍ବାଚିତ ପ୍ରତିନିଧିମାନେ ଆସି ନବୀନଙ୍କୁ ଭେଟୁଛନ୍ତି। ଏହା ସତ୍ତ୍ୱେ ବି ନବୀନ କିମ୍ବା ତାଙ୍କ ଦଳର କୌଣସି ନେତା ଜାଣି ପାରୁ ନାହାଁନ୍ତି କାଲି କିଏ ଦଳ ଛାଡ଼ିବ। ସୁଜିତ କୁମାରଙ୍କ ସହ ବିଜେଡି ଯୋଗାଯୋଗରେ ଦୀର୍ଘଦିନ ଥିଲେ ବି ବିଜେଡି ତା’ର ଟେର୍ ପାଇ ନଥିଲା। ସେ ଦଳରୁ ଇସ୍ତଫା ଦେବା ପରେ ଯାଇ ତାଙ୍କୁ ବହିଷ୍କାର କରାଯାଇଛି। ଏଥିରୁ ପ୍ରମାଣିତ ଯେ ବିଜେଡି ପାଖରେ ପୂର୍ବରୁ କୌଣସି ସୂଚନା ନଥିଲା। ସେ ମମତା ହୁଅନ୍ତୁ କି ସୁଜିତ ହୁଅନ୍ତୁ। ଆଗକୁ ଆଉ କିଛି ରାଜ୍ୟସଭା ସାଂସଦଙ୍କୁ ଶୀକାର କରି ନିଜର ଖାଲି ଘର ଭରଣା କରିବା ପାଇଁ ବିଜେପି ଲକ୍ଷ ରଖିଥିବା କଥା ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ହେଉଛି।

ବର୍ତ୍ତମାନ ଆଉ ଏକ ମେଡ଼ା ଆଲୋଚନା ଜୋରଦାର ଦାନା ବାନ୍ଧୁଛି ଯେ ଆସନ୍ତା ୬ମାସ ଭିତରେ ବିଜେଡିରେ ବଡ଼ ଧରଣର ବିସ୍ଫୋରଣ ହୋଇପାରେ। କାରଣ ବିଜେପି ମନ୍ତ୍ରୀମଣ୍ଡଳ ଗଠନ କଲା ବେଳେ ସବୁ ପଦବୀ ପୁରଣ କରି ନାହିଁ। ଏବେ ବି ୬ ମନ୍ତ୍ରୀ ମଦ ଖାଲି ରଖାଯାଇଛି। ରାଜ୍ୟସଭା ଷ୍ଟାଇଲ୍‌ରେ ବିଧାୟକମାନଙ୍କୁ ନିଜ ଆଡ଼କୁ ନବାର ଯୋଜନା ବିଜେପି ରଖିଥିବା କୁହାଯାଉଛି। ବିଜେଡିର ବିଧାୟକଙ୍କ ସଂଖ୍ୟା ୫୦ ଥିବାରୁ ଏହାକୁ ଭାଙ୍ଗିବାକୁ ହେଲେ ଦୁଇ ତୃତୀୟାଂଶ ବିଧାୟକଙ୍କୁ ଏକାଠି କରିପାରିଲେ ଯାଇ ଦଳ ବଦଳ ଆଇନ୍ ଆଉ ଲାଗୁ ହୋଇ ପାରିବ ନାହିଁ। ଯାହା ହୁଏତ ସମ୍ଭବ ହେବା କଷ୍ଟକର। ଏଣୁ ବିଧାୟକଙ୍କୁ ଇସ୍ତଫା ଦେବାକୁ କହି ଲକ୍ଷ୍ୟ ହାସଲ କରିବା ପାଇଁ ରାଜ୍ୟସଭାରୁ ଇସ୍ତଫା ଦେଉଥିବା ସାଂସଦଙ୍କୁ ପୁଣି ନିର୍ବାଚିତ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଯେଉଁ ବିଧାୟକ ଇସ୍ତଫା ଦେଇ ଆସିଲେ ତାଙ୍କୁ ସେହି ଆସନରୁ ଉପ ନିର୍ବାଚନରେ ଛିଡ଼ା କରାଯିବ। ଏହା ହେଲେ କିଛି ବିଧାୟକ ଆସି ସାମିଲ ହୋଇପାରିବେ। ବିଜେପିର ସଂଖ୍ୟା ସ୍ୱାଧୀନକୁ ମିଶାଇ ୮୧ ଥିବାରୁ ଦଳ ନେତୃବୃନ୍ଦ ଏହି ସଂଖ୍ୟାରେ ସରକାର ଚଳାଇବା ମାନସିକତାରେ ନଥିବା କୁହାଯାଉଛି। ଦଳର ବିଧାୟକଙ୍କ ସଂଖ୍ୟା ୧୦୦ ପାର୍ କରିବା ପାଇଁ ଯୋଜନା ରଖିଥିବା ଜଣାପଡ଼ିଛି। ବିଜେପିର ବହୁ ନେତା ମଧ୍ୟ ଆଲୋଚନାରେ ସେମାନଙ୍କର ମନୋଭାବ ପ୍ରକାଶ ମଧ୍ୟ କରୁଛନ୍ତି। କଂଗ୍ରେସ କି ବିଜେଡି ହେଉ ଏହି ଦୁଇ ଦଳରୁ ବିଧାୟକଙ୍କୁ ନେଇ ନିଜର ସଂଖ୍ୟା ବଢ଼ାଇବା ଯୋଜନାରେ ଥିବା କଥା ରାଜନୀତିକ ମହଲରେ ଜୋରଦାର୍ ଚର୍ଚ୍ଚା ଚାଲିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking