ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଅନ୍ତର୍ଗତ ହୋଇଥିବା ବ୍ୟାପକ ଦୁର୍ନୀତି ସମ୍ପର୍କରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି ସୁପ୍ରିମକୋର୍ଟ । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ତଦନ୍ତ ଏଜେନ୍ସି ଭାବେ ତଦନ୍ତ କରିଆସୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ସିବିଆଇଙ୍କ ନିରପେକ୍ଷତା ଉପରେ ସୁପ୍ରିମକୋର୍ଟ ସିଧାସଳଖ ପ୍ରଶ୍ନ ଉଠାଇଛନ୍ତି । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ବିଆର ଗଭାଇ ଓ ଜଷ୍ଟିସ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, “କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକ କେବଳ ଅଭିଯୁକ୍ତରୁ ରାଜସାକ୍ଷୀ ବନିଥିବା ବ୍ୟକ୍ତିଙ୍କ ବୟାନ ଉପରେ ନିର୍ଭର କରି ରହିବା ଉଚିତ୍ ନୁହେଁ । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କୁ ତଦନ୍ତ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ନିରପେକ୍ଷତା ଅବଲମ୍ବନ କରିବାକୁ ପଡ଼ିବ । ଯେଉଁ ବ୍ୟକ୍ତିଙ୍କ ଉପରେ ଅଭିଯୋଗ ଆଜି ସେ ନିଜେ ସାକ୍ଷୀ ସାଜିଛି? କାହା ବୟାନ୍କୁ ସତ ଭାବେ ଗ୍ରହଣ କରାଯିବା ସେସମ୍ପର୍କରେ ଆପଣମାନେ ନିଜ ଇଚ୍ଛାରେ ଚୟନ କରିପାରିବେ ନାହିଁ ।” ଏହା କେଉଁ ପ୍ରକାରର ନିରପେକ୍ଷତା ଓ ସ୍ୱଚ୍ଛତା ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି ।
ଦିଲ୍ଳୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଦିଆ ଏବଂ କେ. କିବତାଙ୍କ ଭଳି ହେଭିୱେଟ୍ ରାଜନେତାଙ୍କୁ ଗିରଫ କରାଯାଇଛି । ବିଶେଷ କରି ଗତ ମାର୍ଚ୍ଚରେ ବିଆରଏସ୍ ନେତ୍ରୀ କେ କବିତାଙ୍କୁ ଇଡି ଗିରଫ କରିଥିଲା । ଏହାପରେ ସିବିଆଇ ଦ୍ୱାରା ମଧ୍ୟ ସେ ଗିରଫ ହୋଇଥିଲେ । ତେବେ ସେ ବାରମ୍ବାର ଜାମିନ୍ ଆବେଦନ କରୁଥିଲେ ମଧ୍ୟ ତାଙ୍କ ଜାମିନ ଆବେଦନକୁ ଇଡି ଓ ସିବିଆଇ ପକ୍ଷରୁ ବିରୋଧ କରାଯାଇଆସୁଛି । କବିତାଙ୍କ ଜାମିନ୍ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଇଡି ଓ ସିବିଆଇଙ୍କୁ ସମାଲୋଚନା କରିବା ସହ କବିତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ।
ଆଜିର ଏହି ଶୁଣାଣି ସମୟରେ କବିତାଙ୍କ ଜାମିନ ଆବେଦନକୁ ବିରୋଧ କରି ଇଡି ଓ ସିବିଆଇ ପକ୍ଷରୁ ମାମଲା ଲଢ଼ୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ୍ଭି ରାଜୁ ଅଭିଯୁକ୍ତରୁ ରାଜସାକ୍ଷୀ ବନିଥିବା ବୁଚ୍ଚି ବାବୁ ଓ ରାଘବ ମଙ୍ଗୁଟା ରେଡ୍ଡୀ ଦେଇଥିବା ତଥାକଥିତ ସ୍ୱାଧୀନ ପ୍ରମାଣ କଥା କହିଥିଲେ । ଏହି ଦୁଇ ରାଜସାକ୍ଷୀ ଦେଇଥିବା ପ୍ରମାଣ କବିତାଙ୍କ ସଂପୃକ୍ତିକୁ ଦର୍ଶାଉଛି ବୋଲି ସେ ଯୁକ୍ତି ରଖିଥିଲେ । ତେବେ କବିତାଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଯୁକ୍ତି ବାଢ଼ିଥିଲେ ଯେ, ଅନେକ ଥର, ସମାନ ବ୍ୟକ୍ତିଙ୍କ ସମାନ ବିବୃତିକୁ ମାମଲା ସହ ଜଡ଼ିତ ପ୍ରମାଣ ଭାବେ ଦର୍ଶାଯାଉଛି । ବିଶେଷ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବେଳେ ମଧ୍ୟ ସମାନ କଥା କୁହାଯାଇଥିଲା । ରାଜସାକ୍ଷୀ ବନିଥିବା ଲୋକଙ୍କ ବୟାନ ଛଡ଼ା ତଦନ୍ତକାରୀ ସଂସ୍ଥା ପାଖରେ କୌଣସି ପ୍ରମାଣ ନାହିଁ ।
ଉଭୟ ପକ୍ଷର ଯୁକ୍ତି ଶୁଣି ସାରିବା ପରେ ଖଣ୍ଡପୀଠ ସଲିସିଟର ଜେନେରାଲ୍ଙ୍କୁ କହିଥିଲେ ଯେ, ରାଜସାକ୍ଷୀଙ୍କ ବୟାନର ସତ ସେତେବେଳେ ପ୍ରମାଣିତ ହେବ ଯେତେବେଳେ ଏନେଇ ସିଧାସଳଖ ପ୍ରମାଣ ମିଳିବ । ଆପଣଙ୍କ ପାଖରେ କ’ଣ ସବୁ ପ୍ରମାଣ ରହିଛି? ଅପରାଧରେ କବିତା ସାମିଲ ଥିବା ଆପଣ କେମିତି ଜାଣିଲେ? ପ୍ରମାଣ କେଉଁଠି ଅଛି? ଫୋନ୍ ଫର୍ମାଟିଂକୁ କେବେ ହେଲେ କୋର୍ଟରେ ଯୁକ୍ତି ଭାବେ ଗ୍ରହଣ କରାଯାଇ ପାରିବନାହିଁ । ଏହା କୌଣସି ଅପରାଧିକ ଦିଗକୁ ଇଙ୍ଗିତ କରୁନାହିଁ । ଅପରାଧକୁ ପ୍ରମାଣ କରିବା ପାଇଁ ଆପଣଙ୍କ ପାଖରେ କିଛି ସ୍ୱାଧୀନ ଓ ନିରପେକ୍ଷ ତଥ୍ୟ ରହିଛି କି?” ଯଦି ଅଛି ତେବେ ଆଜି ପର୍ଯ୍ୟନ୍ତ କାହିଁକି ଏହାକୁ କୋର୍ଟରେ ଦାଖଲ କରାଯାଇନାହିଁ?
ପ୍ରକାଶ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଉଭୟ ଇଡି ଏବଂ ସିବିଆଇ ତଦନ୍ତ କରିଆସୁଥିବା ବେଳେ କିନ୍ତୁ ଏହି ମାମଲାରେ ତଦନ୍ତ ଯେଉଁଭଳି ହେବା କଥା, ନିର୍ଦ୍ଦିଷ୍ଟ ସମୟସୁଦ୍ଧା ଯେଉଁସବୁ ରିପୋର୍ଟ କୋର୍ଟରେ ଦାଖଲ କରାଯିବା କଥା ସେସବୁ ହୋଇପାରିନାହିଁ । ସବୁଠୁ ବଡ଼କଥା ହେଉଛି ଇଡି ଏବଂ ସିବିଆଇ ପକ୍ଷରୁ ଯେଉଁସବୁ ଅଭିଯୋଗ ଅଣାଯାଉଛି ସେସମ୍ପର୍କୀତ ପ୍ରମାଣ ମଧ୍ୟ ଦାଖଲ କରାଯାଇନାହିଁ । ଏସବୁ ଘଟଣାକୁ ନେଇ ସୁପ୍ରିମକୋର୍ଟ ଆଜି ସିବିଆଇ ଓ ଇଡିର ନିରପେକ୍ଷତା ଓ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି । ସୂଚନାଯୋଗ୍ୟ, ସିସୋଦିଆ ଏବେ ଜାମିନ୍ରେ ମୁକୁଳିଥିବା ବେଳେ କେଜ୍ରିୱାଲ୍ କିନ୍ତୁ ଜେଲ୍ରେ ଅଛନ୍ତି ।









