ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଘଟିଛି ଅଭାବନୀୟ ଘଟଣା। ପୁଅର ମୋବାଇଲ ଦେଖାକୁ ନେଇ ରାଗିଗଲେ ପରିବାର ଲୋକେ। ବାପାର ଲାଇସେନ୍ସପ୍ରାପ୍ତ ବନ୍ଧୁକ ଧରି ନିଜକୁ ଏକ ରୁମ୍ରେ ବନ୍ଦ କରିଦେଲା ପୁଅ। ଏପରି ଘଟଣା ଘଟାଇଥିବା ଛାତ୍ରଜଣକ ଦ୍ୱାଦଶ ଶ୍ରେଣୀ ଛାତ୍ର ବୋଲି ଜଣାଯାଇଛି। ଛାତ୍ରଜଣକ ଅତ୍ୟଧିକ ମୋବାଇଲ ଦେଖୁଥିବାରୁ ପରିବାର ଲୋକେ ଆକଟ କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଛାତ୍ରଜଣକ ନିଜ ବାପାଙ୍କ ବନ୍ଧୁକ ଧରି ଏକ ରୁମ୍କୁ ଭିତରୁ ବନ୍ଦ କରିଦେଇଥିଲେ। ପରିବାର ଲୋକଙ୍କ ବହୁ ଅନୁରୋଧ ପରେ ବି ସେ କବାଟ ଖୋଲି ନ ଥିଲେ। ଏନେଇ ଖବର ପାଇ ତୁରନ୍ତ ବରିଷ୍ଠ ପୁଲିସ୍ ଅଧିକାରୀ ଫୋର୍ସ ସହ ସମ୍ପୃକ୍ତ ଅଞ୍ଚଳରେ ପହଞ୍ଚିଥିଲେ। ପୁଲିସ୍ ତୁରନ୍ତ ବିଲ୍ଡିଂକୁ ଚାରିପଟୁ ଘେରି ଯାଇଥିଲା। ଘଟଣାସ୍ଥଳରେ ପହଞ୍ଚିଥିବା ଏସଡିପିଓ, ଡିସିପି ପ୍ରମୁଖ ପିଲାଟି ସହ କଥାବାର୍ତ୍ତ କରିବାକୁ ଚେଷ୍ଟା ଚଳାଇଥିବା ଜଣାଯାଇଛି। ଏଥିସହ ପିଲାଟିକୁ ଫାୟାରିଂ କରିବାରୁ କ୍ଷାନ୍ତ ରହିବାକୁ ଜଣେ ମନୋଚିକିତ୍ସକଙ୍କୁ ବି ଘଟଣାସ୍ଥଳକୁ ଡକା ଯାଇଥିବା ଜଣାଯାଇଛି। ତେବେ ପିଲାଟି ଭିତରେ ଥିବା ବେଳେ ପ୍ରାୟ ୩ ଥର ବ୍ଲାଙ୍କ ଫାୟାରିଂ କରିଥିବା ଜଣାଯାଇଛି। ସବିଶେଷ ରିପୋର୍ଟ ସୁଦ୍ଧା ପିଲାଟି ନିଜ ରୁମ୍ରୁ ବାହାରି ନ ଥିବା ଜଣାଯାଇଛି।










