ମୁମ୍ବାଇ: ଜଣେ ୭୩ ବର୍ଷୀୟ ବ୍ୟକ୍ତିଙ୍କ ବିରୋଧରେ ରୁଜୁ ଦୁଷ୍କର୍ମ ମାମଲାକୁ ବମ୍ବେ ହାଇକୋର୍ଟ ଖାରଜ କରି ଦେଇଛନ୍ତି । ବ୍ୟକ୍ତି ଜଣଙ୍କ ୧୯୮୭ରୁ ୨୦୧୭ ଅର୍ଥାତ ଦୀର୍ଘ ୩୧ ବର୍ଷୀ ଧରି ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଥିଲା । ତେବେ ଉଭୟଙ୍କ ମଧ୍ୟରେ ସହମତି ଭିତ୍ତିରେ ସମ୍ପର୍କ ରହିଥିବାରୁ କୋର୍ଟ ଉକ୍ତ ମାମଲାକୁ ରଫାଦଫା କରି ଦେଇଛନ୍ତି ।
ବମ୍ବେ ହାଇକୋର୍ଟରର ଡିଭିଜନ ବେଞ୍ଚ ବିଚାରପତି ଜଷ୍ଟିସ ଏଏସ ଗଡକରୀ ଓ ନୀଳା ଗୋଖଲେ କହିଛନ୍ତି, ସହମତି ଭିତ୍ତିରେ ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ରହିଥିବା ଏଫଆଇଆରରେ ଥିବା ବିଷୟବସ୍ତୁରୁ ସଙ୍କେତ ମିଳୁଛି । ଏଫଆଇଆର ୨୦୧୮ରେ ରୁଜୁ କରାଯାଇଥିଲା । କିନ୍ତୁ କାହିଁକି ଏତେ ବିଳମ୍ୱ ହେଲା, ତା’ର ସଠିକ କାରଣ ଦିଆଯାଇ ନଥିଲା । ଦୁଇ ପକ୍ଷ ମଧ୍ୟରେ ୩୧ ବର୍ଷ ଧରି ଯୌନ ସମ୍ପର୍କ ରହିଥିଲା ।
ହେଲେ ଅଭିଯୋଗକାରୀ ଗୋଟିଏ ହେଲେ ବି ଶବ୍ଦ ଏହି ସମ୍ପର୍କ ବିରୋଧରେ ଉଚାରଣ କରି ନଥିଲେ । ଦୁଇ ଜଣଙ୍କ ମଧ୍ୟରେ ତିକ୍ତତା ଆସିଥିଲା ଓ ଏହାପରେ ହିଁ ଅଭିଯୋଗକାରୀ ପୁଲିସ୍ରେ ଏଫଆଇଆର ଦେଇଥିବା କୋର୍ଟ କହିଛନ୍ତି । ସୂଚନାରୁ ଜଣାପଡ଼ିଛି ଯେ ବ୍ୟକ୍ତିଙ୍କ କମ୍ପାନୀରେ ମହିଳା ଜଣଙ୍କ ୧୯୮୭ରେ ଯୋଗ ଦେଇଥିଲେ । ସେହି ସମୟରେ ଅଭିଯୁକ୍ତ ଜଣଙ୍କ ମହିଳାଙ୍କ ସହ ବଳପୂର୍ବକ ଯୌନ ସମ୍ପର୍କ ରଖିଥିଲେ । ଏହାପରେ ୧୯୮୭ ଜୁଲାଇରୁ ୨୦୧୭ ମଧ୍ୟରେ ଅଭିଯୁକ୍ତ ଜଣଙ୍କ ତାଙ୍କୁ ମୁମ୍ବାଇର କଲ୍ୟାଣ, ଭିୱାଣ୍ଡି ଓ ଅନ୍ୟାନ୍ୟ ସ୍ଥାନରେ ଏକାଧିକ ଥର ଦୁଷ୍କର୍ମ କରିଥିଲେ । ଶାରୀରିକ ସମ୍ପର୍କ ରଖିବା ପରେ ଅଭିଯୁକ୍ତ ଜଣଙ୍କ ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ତାଙ୍କ ବେକରେ ୧୯୯୩ରେ ମଙ୍ଗଳସୂତ୍ର ମଧ୍ୟ ପକାଇଥିଲେ । ମହିଳାଙ୍କୁ ବ୍ୟକ୍ତି ଜଣଙ୍କ ତାଙ୍କ ଦ୍ୱିତୀୟ ପତ୍ନୀ ଭାବେ ଘୋଷଣା କରି ଆଉ କାହା ସହ ବାହା ହେବାକୁ ମଧ୍ୟ ଦେଇ ନଥିଲେ ।