23.1 C
Bhubaneswar
Wednesday, January 15, 2025
Homeଓଡିଶାଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା

ବାରିପଦା : ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତ ବାରିପଦାରେ ଶ୍ରୀଶ୍ରୀ ହରିବଳଦେବ ଜୀଉଙ୍କ ରଥଯାତ୍ରା ଆଜି ଆରମ୍ଭ ହୋଇଯାଇଛି । ରବିବାର ସକାଳୁ ମହାପ୍ରଭୁମାନଙ୍କର ମଙ୍ଗଳଆଳତୀ, ମହାସ୍ନାନ ଓ ଅବକାଶ ନୀତି ପରେ ରଥକଳସ ପ୍ରତିଷ୍ଠା ହୋଇଥିଲା । ତତ୍‌ପରେ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ପୂଜାନୀତି ତା’ପରେ ମହାପ୍ରଭୁ ବଳଭଦ୍ରଙ୍କ ରଥ ତାଳଧ୍ୱଜ ଓ ଶେଷରେ ଦେବୀଶୁଭଦ୍ରା ଓ ସୁଦର୍ଶନ ଠାକୁରଙ୍କ ରଥ ଦର୍ପଦଳନ ପ୍ରତିଷ୍ଠା ଓ ପୂଜାନୀତି ସମ୍ପାଦିତ ହୋଇଥିଲା । ଏହାପରେ ଗ୍ରାମଦେବୀ ମା’ଅମ୍ବିକାଙ୍କ ଠାରୁ ଦେବୀଙ୍କ ଖଡଗ ସହ ଆଜ୍ଞାମାଳ ନେଇ ସମସ୍ତ ରଥକୁ ତିନିଥର ପ୍ରଦକ୍ଷଣ କରିଥିଲେ । ଶେଷରେ ମା’ଅମ୍ବିକାଙ୍କ ପୂଜକ ଓ ଦେହୁରୀଙ୍କ ତତ୍ତ୍ୱାବଧାନରେ ପ୍ରଭୁବଳଭଦ୍ରଙ୍କ ରଥ ସମ୍ମୁଖରେ ପୂଜାନୀତି ଶେଷ ହୋଇଥିଲା । ମଧ୍ୟାହ୍ନରେ ସମସ୍ତ ଠା ନୀତି ପରେ ଠାକୁରଙ୍କ ପହଡ ଓ ପୁନର୍ବାର ପହଡଭଙ୍ଗା ଆରତୀ ପରେ ଆରିସାପିଠା ଓ ଛେନାପୂଡ ଲାଗିଥିଲା । ପରେ ପରେ ଆରମ୍ଭ ହୋଇଥିଲା ଠାକୁରଙ୍କ ପହଣ୍ଡିନୀତି, ଶଙ୍ଖ, ଘଣ୍ଟ, କାହାଳୀ ଓ ହରିବୋଲ ଧ୍ୱନୀ ମଧ୍ୟରେ ତୁଳସୀ ଫୁଲଟାହିଆରେ ସଜ୍ଜିତ କରି ଗୋଟିପହଣ୍ଡି କରାଯାଇଥିଲା । ପ୍ରଥମେ ବଳରାମ, ପରେ ପରେ ସୁଦର୍ଶନଙ୍କ ସହିତ ଦେବୀଶୁଭଦ୍ରା ଓ ସବାଶେଷରେ ଶ୍ରୀଜଗନ୍ନାଥଙ୍କୁ ନାଟମନ୍ଦିରରୁ ବିଜେ କରି ରଥାରୁଢ କରାଯାଇଥିଲା । ଏହାପରେ ସନ୍ଧ୍ୟାରେ ରଥାରୁଢ ତିନିଠାକୁର ରୂପାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଶ୍ରୀକ୍ଷେତ୍ର ପୁରୀ ରଥଯାତ୍ରାଠାରୁ ବାରିପଦା ରଥଯାତ୍ରାର ପରମ୍ପରା ନିଆରା । ଏଠାରେ ପହଣ୍ଡିବିଜେ ନୀତି ପରେ ଦୁଇଦିନ ଧରି ରଥଟଣାର ପରମ୍ପରା ରହିଛି । ପ୍ରଥମଦିନରେ ପ୍ରଥମେ ବଳଭଦ୍ରଙ୍କ ରଥକୁ ଗୁଣ୍ଡିଚା ବା ମାଉସୀମା’ମନ୍ଦିରକୁ ନିଆଯାଇଥାଏ । ପରେ ଦେବୀଶୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣି ନେଇଥାନ୍ତି । ପ୍ରଥମଦିନରେ ଦେବୀଶୁଭଦ୍ରାଙ୍କ ରଥ ବଡଦାଣ୍ଡ ସ୍ଥିତ ଟାଉନଥାନା ପର୍ଯ୍ୟନ୍ତ ଓ ଦ୍ୱିତୀୟଦିନରେ ଥାନାଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗଡିଥାନ୍ତି । ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ନିକଟରୁ ଟଣାଯାଇ ମାଉସୀମା’ ମନ୍ଦିରରେ ପହଞ୍ଚି ଥାଏ । ସେଠାରେ ପହଞ୍ଚିବା ପରେ ଜଗନ୍ନାଥଙ୍କ ରଥ ଉପରେ ପ୍ରସିଦ୍ଧ ଗୁଡଲଡୁ ଭକ୍ତଙ୍କ ଉପରକୁ ଫିଙ୍ଗା ଯାଇଥାଏ । ଏହି ଲଡୁ ପାଇବାପାଇଁ ଭକ୍ତମାନେ ଭାବବିହ୍ୱଳ ହୋଇଥାନ୍ତି । ଅପରପକ୍ଷରେ ପ୍ରସିଦ୍ଧ ରଥଯାତ୍ରା ପାଇଁ ବାରିପଦା ସହର ଉତ୍ସବମୁଖର ହୋଇଛି, ବଡଦାଣ୍ଡ ଆଲୋକ ମାଳାରେ ଝଲସୁଛି ଓ ବାହାରୁ ଆସିଥିବା ବିଭିନ୍ନ ଷ୍ଟୋଲ, ଦୋକାନ, ଦୋଳି ଆଦିର ଆଗମନରେ ସହରସାରା ଗହଳି ଚହଳି ଲାଗିରହିଛି । ରଥଯାତ୍ରା ସମୟରେ ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯିବା ସହିତ କଡାକଡି କରାଯାଇଛି । ଅନ୍ୟପକ୍ଷରେ ଆସନ୍ତାକାଲି ସୁଭଦ୍ରା ରଥଟଣାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉପସ୍ଥିତ ରହି ମହିଳାମାନଙ୍କ ସହ ରଥ ଟାଣିବା କାର୍ଯ୍ୟକ୍ରମ ଥିବାରୁ ରଥଟଣା ବେଳେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ ସହ କଡାକଡି କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking