ଭୁବନେଶ୍ୱର : ଅସହ୍ୟ ଗୁଳୁଗୁଳି । ତ’ସାଙ୍ଗକୁ ଝାଞ୍ଜିପବନ । ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାରେ ତିନି ଦିନ ସକାଳୁଆ ସ୍କୁଲ ହେବ । ସକାଳ ୬ଟାରୁ ୧୦ଟା ୩୦ ଯାଏଁ ପାଠପଢା ହେବ । ୧୮ରୁ ୨୦ ଯାଏଁ ଜିଲ୍ଲାର ସବୁ ସ୍କୁଲ ସକାଳୁଆ ଖୋଲା ରହିବ । ଝାରସୁଗୁଡା ଜିଲ୍ଲାରେ କାଲି ସବୁ ସ୍କୁଲ ଛୁଟି ବୋଲି ଘୋଷଣା କରାଯାଇଛି । ତେବେ ୧୯ ଓ ୨୦ ତାରିଖରେ ସକାଳୁଆ ସ୍କୁଲ ହେବ ବୋଲି ନିଷ୍ପତ୍ତି ନାଆଯାଇଛି । ସେହିପରି ବାଲେଶ୍ୱରରେ କାଲି ବନ୍ଦ ରହିବ ସମସ୍ତ ସ୍କୁଲ । ଛୁଟି ଘୋଷଣା କଲେ ଜିଲ୍ଲାପାଳ । ୧୯ରୁ ଜିଲ୍ଲାରେ ହେବ ସକାଳୁଆ ସ୍କୁଲ । ସକାଳ ୬ଟାରୁ ୧୦ଟା ୩୦ ଯାଏଁ ହେବ ପାଠପଢା । ଦେବଗଡ ଜିଲ୍ଲାରେ କାଲିଠୁ ଖୋଲିବ ସ୍କୁଲ । ସକାଳୁଆ ସ୍କୁଲ ଖୋଲିବାକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ । ସେହିପରି ଯାଜପୁର ଜିଲ୍ଲାରେ ସକାଳୁଆ ସ୍କୁଲ ଖୋଲିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ସ୍କୁଲ ମାନଙ୍କରେ ମଧ୍ୟ ପ୍ରସ୍ତୁତି ଆରମ୍ଭ କରାଯାଇଛି । ସ୍କୁଲ ପରିସର ସମେତ ଶ୍ରେଣୀଗୃହ, ରୋଷେଇଘର, ଶୌଚାଳୟକୁ ପରିଷ୍କାର କରାଯାଉଛି । ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବିଭିନ୍ନ ବ୍ୟବସ୍ଥା କରାଯାଇଛି । ସ୍କୁଲରେ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସମେତ ପାଚିକା ଆଦିଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଅନ୍ୟପକ୍ଷରେ ଗ୍ରୀଷ୍ମ ଛୁଟି ପରେ ଆସନ୍ତା ଆସନ୍ତା ୧୮ ତାରିଖରୁ ଖୋଲିବ ସ୍କୁଲ୍। ସ୍କୁଲ୍ ଖୋଲିବାର ପ୍ରଥମ ଦିନରୁ ହିଁ ପିଲାଙ୍କୁ ଦିଆଯିବ ମଧ୍ୟାହ୍ନ ଭୋଜନ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବା ପାଇଁ ପଦକ୍ଷେପ ନେବାକୁ ସମସ୍ତ ଡିଇଓଙ୍କୁ ପିଏମ୍ ପୋଷଣ ରାଜ୍ୟ ନୋଡାଲ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି, ପ୍ରଥମରୁ ୮ମ ଶ୍ରେଣୀରେ ପଢ଼ୁଥିବା ୬ରୁ ୧୪ ବର୍ଷ ବୟସର ପ୍ରତିଟି ଶିଶୁ ମଧ୍ୟାହ୍ନ ଭୋଜନ ପାଇବାକୁ ହକଦାର। ସ୍କୁଲର ଅବ୍ୟବସ୍ଥା ପାଇଁ ଛାତ୍ରଛାତ୍ରୀ ଯେପରି ସେମାନଙ୍କ ହକରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ତାଗିଦ କରାଯାଇଛି।