ଡେନମାର୍କ : ଜଣେ ବ୍ୟକ୍ତି ଡେନମାର୍କର ପ୍ରଧାନମନ୍ତ୍ରୀ ମେଟ୍ଟେ ଫ୍ରେଡ୍ରିକ୍ସନଙ୍କୁ ମାଡ଼ ମାରିଛନ୍ତି । ଏହାପରେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଦୁଇ ଜଣ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ସେମାନେ ଫ୍ରେଡ୍ରିକ୍ସନଙ୍କୁ ସନ୍ଧ୍ୟା ୬ଟା ପୂର୍ବରୁ ଛକରେ ପହଞ୍ଚିଥିବା ଦେଖିଥିଲେ। ଜଣେ ବ୍ୟକ୍ତି ବିପରୀତ ଦିଗରୁ ଆସି ତାଙ୍କ କାନ୍ଧରେ ଜୋରରେ ଧକ୍କା ଦେଇଥିଲା, ଯାହା ଫଳରେ ସେ ତଳେ ପଡ଼ି ଯିବା ବେଳେ ଅଳ୍ପକେ ରକ୍ଷା ପାଇଯାଇଥିଲେ। ଅଭିଯୁକ୍ତ ଆକ୍ରମଣକାରୀ ଖସିଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ପୁଲିସ ହାତରେ ଧରା ପଡ଼ିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରେଡ୍ରିକ୍ସନଙ୍କ ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି ଏବଂ ଏଭଳି ଘଟଣା ପାଇଁ ସେ ଚିନ୍ତିତ ବୋଲି ଟ୍ବିଟ୍ କରିଛନ୍ତି। ୟୁରୋପୀୟ ସଂଘ ମୁଖ୍ୟ ଚାର୍ଲସ ମିସେଲ ଏବଂ ୟୁରୋପୀୟ ସଂସଦର ସଭାପତି ରବର୍ଟା ମେଟ୍ସୋଲା ମଧ୍ୟ ଫ୍ରେଡ୍ରିକ୍ସନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି। ତେବେ ଚଳିତ ସପ୍ତାହରେ ହେବାକୁ ଥିବା ୟୁରୋପୀୟ ସଂଘ ନିର୍ବାଚନ ପୂର୍ବରୁ ଜର୍ମାନୀରେ ପ୍ରଚାର ଅଭିଯାନରେ ବାହାରିଥିବା ଅନେକ ଦଳୀୟ ରାଜନେତାଙ୍କ ଉପରେ କିଛିଦିନ ହେଲା ଏଭଳି ଆକ୍ରମଣ ହେଉଛି। ଗତ ମାସ ୧୫ ତାରିଖରେ ସ୍ଲୋଭାକ୍ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କୁ ହାଣ୍ଡଲୋଭା ସହରରେ ଏକ ସରକାରୀ ବୈଠକ ପରେ ସମର୍ଥକମାନଙ୍କୁ ଶୁଭେଚ୍ଛା ଜଣାଇବା ବେଳେ ୪ ଥର ଗୁଳିମାଡ଼ ହୋଇଥିଲା। ତେବେ ହତ୍ୟା ଉଦ୍ୟମରୁ ବର୍ତ୍ତିଯାଇଥିବା ଫିକୋ ହସ୍ପିଟାଲରୁ ଏବେ ହୋମ୍ କେୟାରକୁ ଯାଇଛନ୍ତି।