32.1 C
Bhubaneswar
Saturday, September 28, 2024
Homeଖେଳକାର୍ଲସେନ୍ ନରୱେ ଚେସ୍ ଚାମ୍ପିଅନ୍‌; ନାକାମୁରାଙ୍କୁ ହରାଇ ପ୍ରଜ୍ଞାନନ୍ଦ ତୃତୀୟ

କାର୍ଲସେନ୍ ନରୱେ ଚେସ୍ ଚାମ୍ପିଅନ୍‌; ନାକାମୁରାଙ୍କୁ ହରାଇ ପ୍ରଜ୍ଞାନନ୍ଦ ତୃତୀୟ

ନୂଆଦିଲ୍ଲୀ:  ଭାରତୀୟ ଗ୍ରାଣ୍ଡ୍‌ମାଷ୍ଟର୍ ରମେଶବାବୁ ପ୍ରଜ୍ଞାନନ୍ଦ ନରୱେ ଚେସ୍ ଟୁର୍ଣ୍ଣାମେଣ୍ଟ୍‌ର ଅନ୍ତିମ ରାଉଣ୍ଡ୍‌ରେ ଆମେରିକାର ହିକାରୁ ନାକାମୁରାଙ୍କଠାରୁ ପରାଜିତ ହୋଇ ତୃତୀୟ ସ୍ଥାନରେ ସକାରାତ୍ମକ ଅଭିଯାନ ଶେଷ କରିଛନ୍ତି । ଅନ୍ୟପକ୍ଷରେ ବିଶ୍ୱର ଏକ ନମ୍ବର ଖେଳାଳି ମାଗ୍ନସ୍ କାର୍ଲସେନ୍ ନିଜ ଖ୍ୟାତି ଅନୁରୂପ ପ୍ରଦର୍ଶନ କରି ଚାମ୍ପିଅନ୍ ହୋଇଛନ୍ତି । କାର୍ଲସେନ୍ ୧୭.୫ ପଏଣ୍ଟ୍ ସହ ଅଭିଯାନ ଶେଷ କରିଛନ୍ତି । ବିଜେତା ରୂପେ ତାଙ୍କୁ ପ୍ରାୟ ୬୫ ହଜାର ଡଲାର ପୁରସ୍କାର ରାଶି ମିଳିଛି । ସେ କ୍ଲାସିକାଲ୍ ଟାଇମ୍ କଣ୍ଟ୍ରୋଲ୍ ଏବଂ ଆର୍ମାଗେଡୋନ୍‌ର ପ୍ରତ୍ୟେକ ରାଉଣ୍ଡ୍‌ରେ ବିଜୟୀ ହୋଇଛନ୍ତି । ଅନ୍ୟପକ୍ଷରେ ଅନ୍ତିମ ରାଉଣ୍ଡ୍‌ରେ ପରାଜୟ ସତ୍ତ୍ୱେ ନାକାମୁରା ୧୫.୫ ପଏଣ୍ଟ୍ ସହ ଦ୍ୱିତୀୟ ହୋଇଛନ୍ତି । ସେହିପରି ପ୍ରଜ୍ଞାନନ୍ଦ ୧୪.୫ ପଏଣ୍ଟ୍ ନେଇ ତୃତୀୟ ସ୍ଥାନରେ ଅଭିଯାନ ଶେଷ କରିଛନ୍ତି । ତେବେ ଏହି ଟୁର୍ଣ୍ଣାମେଣ୍ଟ୍‌ରେ ବିଶ୍ୱର ତିନିଜଣ ଶୀର୍ଷସ୍ଥାନୀୟ ଖେଳାଳିଙ୍କୁ ପରାଜିତ କରିବା ପ୍ରଜ୍ଞାନନ୍ଦଙ୍କ ପାଇଁ ଆଶ୍ୱସ୍ତିର ବିଷୟ । ସେ କାର୍ଲସନ୍ ଏବଂ ଫାବିଆନୋ କାରୁଆନାଙ୍କୁ କ୍ଲାସିକାଲ୍ ଟାଇମ୍ କଣ୍ଟ୍ରୋଲ୍‌ରେ ହରାଇଥିବା ବେଳେ ଅନ୍ତିମ ରାଉଣ୍ଡ୍‌ରେ ନାକାମୁରାଙ୍କ ବିପକ୍ଷରେ ବିଜୟୀ ହୋଇ ଶୀର୍ଷ ତିନି ଖେଳାଳିଙ୍କୁ ହରାଇବାରେ ପ୍ରଥମ ଖେଳାଳି ହୋଇଛନ୍ତି । ଅଲିରେଜା ଫିରୌଜି (୧୩.୫) ଚତୁର୍ଥ, କାରୁଆନା (୧୦) ପଞ୍ଚମ ଏବଂ ବିଶ୍ୱ ଚାମ୍ପିଅନ୍ ଡିଙ୍ଗ୍ ଲିରେନ୍ ୬ଷ୍ଠ ସ୍ଥାନରେ ରହିଛନ୍ତି ।
ମହିଳା ବର୍ଗରେ ଚୀନ୍‌ର ୱେନ୍‌ଜୁନ୍ ଜୁ (୧୯) ନିଜ ଦେଶର ତିଙ୍ଗ୍‌ଜି ଲେଇଙ୍କୁ ହରାଇ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ୟୁକ୍ରେନ୍‌ର ଆନ୍ନା ମୁଜିଚୁକ୍ (୧୬) ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଭାରତର ଆର୍ ବୈଶାଳୀ (୧୨.୫) ଚତୁର୍ଥ ଓ କୋନେରୁ ହମ୍ପି (୧୦) ପଞ୍ଚମ ସ୍ଥାନରେ ରହିଛନ୍ତି । ଅନ୍ତିମ ରାଉଣ୍ଡ୍‌ରେ ବୈଶାଳୀଙ୍କୁ କ୍ରେମ୍‌ଲିଙ୍ଗ୍ ଏବଂ ହମ୍ପିଙ୍କୁ ମୁଜିଚୁକ୍ ହରାଇଛନ୍ତି । ଲେଇ (୧୪.୫) ତୃତୀୟ ଏବଂ କ୍ରେମ୍‌ଲିଙ୍ଗ୍ (୮) ୬ଷ୍ଠ ସ୍ଥାନରେ ଅଭିଯାନ ଶେଷ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking