ନୂଆଦିଲ୍ଲୀ: ବିରୋଧୀ ଇଣ୍ଡିଆ ମେଣ୍ଟ ପକ୍ଷରୁ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କୁ ଇଣ୍ଡିଆ ମେଣ୍ଟର ସଂସଦୀୟ ଦଳ ନେତା ଚୟନ ସହ ପ୍ରଧାନମନ୍ତ୍ରୀ ପଦ ମଧ୍ୟ ଅଫର କରାଯାଇଥିଲା । କିନ୍ତୁ ନୀତୀଶ, ମୋଦୀଙ୍କ ସମର୍ଥନରେ ଇଣ୍ଡିଆ ମେଣ୍ଟର ଏହି ପ୍ରସ୍ତାବକୁ ମଧ୍ୟ ଅଣଦେଖା କରିଥିଲେ । ଏପରି କିଛି ବିବୃତ୍ତି ଏବେ ଜେଡିୟୁ ଶିବିରରୁ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ଜେଡିୟୁ ମୁଖପାତ୍ର କେସି ତ୍ୟାଗୀ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଛନ୍ତି ଯେ, ଇଣ୍ଡିଆ ବ୍ଲକ ନୀତୀଶ କୁମାରଙ୍କୁ ନିଜ ପାଖକୁ ନେବା ପାଇଁ ପ୍ରଧାନମନ୍ତ୍ରୀ ପଦର ଅଫର କରିଥିଲା । କିନ୍ତୁ ସେ ଏପରି ଅଫରକୁ ସିଧାସିଧା ମନା କରି ଦେଇଛନ୍ତି । ଏନ୍ଡିଏରେ ଏବେ ଦୃଢ଼ ଭାବେ ରହିଥିବା ବେଳେ ଇଣ୍ଡିଆ ମେଣ୍ଟରେ ଯୋଗଦେବାର ପ୍ରଶ୍ନ ଉଠୁନି ବୋଲି କେସି ତ୍ୟାଗୀ କହିଛନ୍ତି । ତ୍ୟାଗୀ କହିଛନ୍ତି, ନୀତୀଶ ଯେତେବେଳେ ଇଣ୍ଡିଆ ମେଣ୍ଟରେ ଥିଲେ ସେତେବେଳେ ମେଣ୍ଟର ସଦସ୍ୟ ଦଳଙ୍କ ବ୍ୟବହାର ଅତ୍ୟନ୍ତ କଦର୍ଯ୍ୟ ଥିଲା । ଏହାକୁ ଦେଖି ନୀତୀଶ ମେଣ୍ଟରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିଲେ । ବର୍ତ୍ତମାନ ସମୟରେ ଆମେ ଏନଡିଏରେ ସାମିଲ ହୋଇଛୁ ଓ ଏବେ ପଛକୁ ଫେରିବାର ପ୍ରଶ୍ନ ଉଠୁ ନାହିଁ । ତ୍ୟାଗୀ ଏହା ମଧ୍ୟ କହିଛନ୍ତି, ୨୦୨୪ ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ମଧ୍ୟ କଂଗ୍ରେସ ଓ ଅନ୍ୟ ଇଣ୍ଡିଆ ମେଣ୍ଟରେ ସାମିଲଥିବା ଏକାଧିକ ବିରୋଧୀ ଦଳଙ୍କ ନେତାମାନେ କୁଆଡେ ନୀତୀଶଙ୍କୁ ଭେଟି ପ୍ରଧାନମନ୍ତ୍ରୀ ପଦର ଲୋଭ ଦେଖାଇଥିଲେ ।
୨୦୨୪ ଲୋକସଭା ନିର୍ବାଚନ ଫଳାଫଳ ଆଧାରରେ କ୍ରମାଗତ ୩ୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଥିବା ଏନ୍ଡିଏ ମେଣ୍ଟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପାଲଟିଯାଇଛି ଅନ୍ୟତମ ସହଯୋଗୀ ଦଳ ଜେଡିୟୁ । ତେବେ ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କୁ ପୁଣିଥରେ ଫେରାଇନେବା ପାଇଁ ବିରୋଧୀ ମେଣ୍ଟ ଇଣ୍ଡିଆ ବ୍ଲକ୍ ପକ୍ଷରୁ କରାଯାଇଆସୁଥିବା ସମସ୍ତ ପ୍ରୟାସ ଗତକାଲି ସୁଦ୍ଧା ବିଫଳ ହୋଇଯାଇଛି । ଗତକାଲି ଏନ୍ଡିଏ ମେଣ୍ଟ ପକ୍ଷରୁ ଆୟୋଜିତ ବୈଠକରେ ନୀତୀଶ, ଇଣ୍ଡିଆ ବ୍ଲକ୍କୁ ତୀବ୍ର ସମାଲୋଚନା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଛାଡି କୁଆଡେ ଯିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ । ଏଥିରୁ ବର୍ତ୍ତମାନ ସମୟରେ ଏନ୍ଡିଏ ମେଣ୍ଟ ଛାଡି ନୀତୀଶ କୁଆଡେ ଯିବେ ନାହିଁ ବୋଲି ଜଣାପଡିଥିଲେ ମଧ୍ୟ ନୀତୀଶଙ୍କ ପ୍ରବୃତ୍ତି ଜାଣିଥିବା ଲୋକ ତାଙ୍କୁ ଭରସା କରିପାରୁନାହାନ୍ତି । ନୀତୀଶ କୌଣସି ମୁହୂର୍ତ୍ତରେ ମଧ୍ୟ ପଟ ପରିବର୍ତ୍ତନ କରିଦେଇପାରନ୍ତି ବୋଲି ଅନେକ ବିଶ୍ୱାସ କରୁଛନ୍ତି । ତେବେ ଜେଡିୟୁ ପକ୍ଷରୁ କରାଯାଇଥିବା ଏହି ଦାବିକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ କଂଗ୍ରେସ ଏହାକୁ ଖଣ୍ଡନ କରିଛି । କଂଗ୍ରେସ ନେତା କେସି ବେଣୁଗୋପାଳ କହିଛନ୍ତି, “ନୀତୀଶ କୁମାରଙ୍କୁ ଇଣ୍ଡିଆ ବ୍ଲକ ପ୍ରଧାନମନ୍ତ୍ରୀ ହେବାକୁ ଅଫର ଦେଇଥିବା ନେଇ ତାଙ୍କ ପାଖରେ କୌଣସି ସୂଚନା ନାହିଁ । କେବଳ ନୀତୀଶ ନିଜେ ହିଁ ଏହି ଦାବି ବିଷୟରେ ଜାଣିଥିବେ ।