32.1 C
Bhubaneswar
Saturday, September 28, 2024
Homeଦେଶ ବିଦେଶମୋଦୀଙ୍କୁ ଏଯାଏ ଶୁଭେଚ୍ଛା ଜଣାଇନି ପାକିସ୍ତାନ

ମୋଦୀଙ୍କୁ ଏଯାଏ ଶୁଭେଚ୍ଛା ଜଣାଇନି ପାକିସ୍ତାନ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟ ଏବେ ଦେଶରେ ନୂଆ ସରକାର ଗଠନ କରିବାକୁ ଯାଉଛି । ଅପରପକ୍ଷେ ମୋଦୀ, କ୍ରମାଗତ ୩ୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ରବିବାର ସନ୍ଧ୍ୟାରେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀଙ୍କ ଶପଥ ସମାରୋହରେ ଯୋଗଦେବା ପାଇଁ ଏକାଧିକ ପଡ଼ୋଶୀ ଦେଶଗୁଡ଼ିକର ରାଷ୍ଟ୍ରମୁଖ୍ୟମାନଙ୍କୁ ନିମନ୍ତ୍ରଣ କରାଯାଇଛି । ତେବେ ମୋଦୀଙ୍କୁ ଏବେ ବିଶ୍ୱର ବିଭିନ୍ନ ଦେଶ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । କିନ୍ତୁ ମୋଦୀଙ୍କ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବାକୁ ନେଇ ବୋଧହୁଏ ହତୋତ୍ସାହ ହୋଇପଡିଥିବା ପଡୋଶୀ ପାକିସ୍ତାନ ଏଯାଏ ମୋଦୀଙ୍କ ଶୁଭେଚ୍ଛା ଜଣାଇନାହିଁ । ଓଲଟା ଏସମ୍ପର୍କୀତ ଏକ ପ୍ରଶ୍ନର ଉତ୍ତରରେ ପାକିସ୍ତାନ ଏକ ବଡ଼ ବିବୃତି ଦେଇଛି ।
ରିପୋର୍ଟ ଅନୁସାରେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳର ମୁଖପାତ୍ର ମମତାଜ୍ ଜହରା ବଲୋଚ୍‌ଙ୍କୁ ପାକିସ୍ତାନ ପକ୍ଷରୁ ବିଧିବଦ୍ଧ ଭାବେ ନରେନ୍ଦ୍ର ମୋଦୀଙ୍କୁ ବିଜୟ ଶୁଭେଚ୍ଛା ଜଣାନଯିବା ପଛର କାରଣ କ’ଣ ବୋଲି ପ୍ରଶ୍ନ କରାଯାଇଥିଲା । ଏହାର ଜବାବରେ ମମତାଜ୍ କହିଛନ୍ତି, “ଭାରତର ନିର୍ବାଚନ ପ୍ରକ୍ରିୟା ଉପରେ ଆମର ମତାମତ ଦେବା ଉଚିତ୍ ନୁହେଁ । ନିଜ ପ୍ରତିନିଧିଙ୍କୁ ବାଛିବାର ଅଧିକାର କେବଳ ଭାରତୀୟଙ୍କର ରହିଛି । ଭାରତୀୟ ଏସମ୍ପର୍କରେ ନିଷ୍ପତ୍ତି ନେବେ । ଅନ୍ୟପକ୍ଷେ ଭାରତରେ ବର୍ତ୍ତମାନ ସରକାର ଗଠନ ପ୍ରକ୍ରିୟା ଚାଲିଛି । କେହି ବି ଭାରତର ପ୍ରଧାନମନ୍ତ୍ରୀ ଭାବେ ଏଯାଏ ଶପଥ ନେଇନାହାନ୍ତି । ତେଣୁ ଏବେ ଠାରୁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ଠିକ୍ ହେବନି ।” ତେବେ ଏହି ପରିପ୍ରେକ୍ଷୀରେ ମମତାଜ୍ ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଛନ୍ତି ଯେ, ‘ପାକିସ୍ତାନ ସବୁବେଳେ ଭାରତ ସମେତ ଅନ୍ୟ ସମସ୍ତ ପଡ଼ୋଶୀ ଦେଶଗୁଡ଼ିକ ସହ ଉତ୍ତମ ଓ ସହଯୋଗପୂର୍ଣ୍ଣ ସମ୍ପର୍କ ରଖିବାକୁ ଚାହୁଁଛି । ପାକିସ୍ତାନ ସବୁବେଳେ ବିବାଦର ସମାଧାନ ଶାନ୍ତିପୂର୍ଣ୍ଣ ଆଲୋଚନା ଦ୍ୱାରା ସମାଧାନ କରିବାକୁ ଚାହେଁ । ଏତଦ୍‌ବ୍ୟତୀତ ଭାରତ ସହ ରହିଥିବା ଜମ୍ମୁ-କାଶ୍ମୀର ସମେତ ଅନ୍ୟ ମୁଖ୍ୟ ବିବାଦୀୟ ପ୍ରସଙ୍ଗଗୁଡ଼ିକର ସାମାଧାନ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା କରିବା ପାଇଁ ପାକିସ୍ତାନ ପକ୍ଷରୁ ନିୟମିତ ପ୍ରୟାସ କରାଯାଉଛି ଏବଂ ଏହା ଆଗକୁ ମଧ୍ୟ ଜାରିରହିବ ।’
ନିକଟରେ କେନ୍ଦ୍ର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଥିଲେ ଭାରତର ଦ୍ୱାର ଆଲୋଚନା ପାଇଁ ସବୁବେଳେ ଉନ୍ମୁକ୍ତ ରହିଛି । କିନ୍ତୁ ପ୍ରସଙ୍ଗ ହେଉଛି କେଉଁ ବିଷୟରେ ଆଲୋଚନା କରାଯିବ । ଯଦି କେହି ନିଜ କୋଳରେ ଆତଙ୍କବାଦକୁ ଧରିରଖି ଶାନ୍ତିର ଆଲୋଚନା କରିବାକୁ ଚାହିଁବ ତେବେ ଏହା କଦାପି ସମ୍ଭବପର ନୁହେଁ । ପାକିସ୍ତାନ ପାଇଁ ମଧ୍ୟ ଭାରତର ଦ୍ୱାର ବିକାଶମୂଳକ ଆଲୋଚନା ପାଇଁ ସବୁବେଳେ ଖୋଲା ରହିଛି । କିନ୍ତୁ ଯେଉଁ ପର୍ଯ୍ୟନ୍ତ ଆତଙ୍କବାଦ ସମ୍ପର୍କରେ ପାକିସ୍ତାନ କାର୍ଯ୍ୟକ୍ରମ ଗ୍ରହଣ ନକରିଛି ସେପର୍ଯ୍ୟନ୍ତ ପାକିସ୍ତାନ ସହ ଆଲୋଚନା ସମୟରେ ଆତଙ୍କବାଦ ହିଁ ମୁଖ୍ୟ ଆଲୋଚନାର ବିଷୟ ହେବ । ପ୍ରକାଶ, ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଦଶନ୍ଧି ଦଶନ୍ଧି ଧରି ଲାଗି ରହିଛି । ୨୦୧୯ରେ ଭାରତ ସରକାର ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଇ ଏହାକୁ ଦୁଇ ଭାଗ କରିବା ପରେ ପାକିସ୍ତାନ ସହ ତିକ୍ତତା ଆହୁରି ବଢ଼ି ଯାଇଛି । ସୀମାରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ମଧ୍ୟ ପାକିସ୍ତାନ ପଟୁ ପ୍ରୋତ୍ସାହିତ କରାଯାଉଛି । ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଆଇଏସ୍‌ଆଇ ସମର୍ଥିତ ଆତଙ୍କୀଗୋଷ୍ଠୀ ନିରନ୍ତର ଭାବେ କିଛି ନା କିଛି କ୍ଷତି ପହଞ୍ଚାଇବାର ପ୍ରୟାସ କରିଆସୁଛନ୍ତି । ଅନ୍ୟପଟେ ପାକିସ୍ତାନ ଆଶାରଖୁଛି ଯେ, ଭାରତ ଆଗକୁ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଗଠନମୂଳକ ପଦକ୍ଷେପ ଗ୍ରହଣ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking