ଭୁବନେଶ୍ୱର: ବାଇକ ଯୋଗେ ବ୍ରାଉନ ସୁଗର ଚାଲାଣ ବେଳେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭରତପୁର ଥାନା ପୁଲିସ । ଗିରଫ ହେଲେ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳର ତିଳସୀ ଦାସ ନାୟକ ଓରଫ ଅଜୁ(୩୮), ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅଞ୍ଚଳର ସୁମନ୍ତ ବିଶ୍ୱାଳ(୪୨), କାହ୍ନୁ ଚରମ ପାଳଟସିଂହ(୩୦) । ସୂଚନା ମୁତାବକ, ବାଇକ ଯୋଗେ ୩ ଜଣ ବକ୍ତି ବ୍ରାଉନ ସୁଗର ନେଇ ଆସୁଥିବାର ଖବର ପାଇଥିଲା ଭରତପୁର ଥାନା ପୁଲିସ । ଫଳରେ ଭରତପୁର ଥାନାର ଏକ ସ୍ୱତନ୍ତ୍ର ଟିମ୍ କଳିଙ୍ଗ ନଗର ବଗ ପାର୍କ ନିକଟରେ ଅତର୍କିତ ଚଢଉ କରି ଘାଟିକିଆ ପାର୍ଶ୍ୱରୁ ଭରତପୁର ପାର୍ଶ୍ୱକୁ ଏକ ମୋଟରସାଇକେଲରେ ବ୍ରାଉନ ସୁଗର ଚାଲାଣ କରୁଥିବା ବେଳେ ଉକ୍ତ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଛାନଭିନ ସମୟରେ ପୁଲିସ ଅଭିଯୁକ୍ତଙ୍କ ହେପାଜତରୁ ମୋଟ ୨୬.୧୩ ଗ୍ରାମ ଓଜନର ବ୍ରାଉନ ସୁଗାର ଏବଂ ପରିବହନରେ ବ୍ୟବହୃତ ହୋଇଥିବା ମୋଟରସାଇକେଲ ଟିକୁ ଜବତ କରିଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତମାନେ ନିଜର ଅପରାଧ ସ୍ୱୀକାର କରିଥିଲେ । ତଦନ୍ତ ବେଳେ ଅଭିଯୁକ୍ତମାନେ ଏହି ବେଆଇନ ବ୍ରାଉନସୁଗାରକୁ କନ୍ଧମାଳ ଅଞ୍ଚଳରୁ ସଂଗ୍ରହ କରୁଥିଲେ ଏବଂ ସ୍ଥାନୀୟ ଅଞ୍ଚଳରେ ବିକ୍ରି ନିମନ୍ତେ ନେଇ ଯାଉଥିବାର ଦର୍ଶାଇଥିଲେ ।