ନୂଆଦିଲ୍ଲୀ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ମୁଖ୍ୟ ହେମନ୍ତ ସୋରେନ୍ଙ୍କୁ ଆଜି ପୁଣିଥରେ ସୁପ୍ରିମକୋର୍ଟରୁ ନିରାଶ ହେବାକୁ ପଡ଼ିଛି । ମନି ଲଣ୍ଡରିଂ ମାମଲାରେ ଛନ୍ଦି ହୋଇ ଏବେ ବିଚାରାଧୀନ କଏଦୀ ଭାବେ ଜୀବନ କାଟୁଥିବା ହେମନ୍ତଙ୍କୁ ନିର୍ବାଚନ ପ୍ରଚାର ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବା ପାଇଁ ସୁପ୍ରିମକୋର୍ଟରେ ବାରମ୍ବାର ଆବେଦନ କରାଯାଉଥିଲେ ମଧ୍ୟ ସୁପ୍ରିମକୋର୍ଟ ଜାମିନ୍ ପାଇଁ ମନା କରିଆସୁଛନ୍ତି । ଏହାକୁ ମିଶାଇ କ୍ରମାଗତ ୩ୟ ଥର ପାଇଁ ହେମନ୍ତଙ୍କ ଜାମିନ୍ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ହେମନ୍ତଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନ୍ଜୀବୀ କପିଲ ସିବଲ୍, ନିର୍ବାଚନ ଦୃଷ୍ଟି କୋଣରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କୁ ଯେଉଁ ଗ୍ରାଉଣ୍ଡ୍ରେ ଜାମିନ୍ ଦିଆଯାଇଛି, ହେମନ୍ତଙ୍କୁ ମଧ୍ୟ ସେହି ସମାନ ଗ୍ରାଉଣ୍ଡ୍ରେ ଜାମିନ୍ ଦିଆଯିବା ଉଚିତ୍ ବୋଲି ଯୁକ୍ତି ବାଢ଼ିଥିଲେ । ଏପରିକି ହେମନ୍ତ ଜୁନ ୨ରେ ଆତ୍ମସମର୍ପଣ କରିବେ ବୋଲି ମଧ୍ୟ ସିବଲ୍, ସୁପ୍ରିମକୋର୍ଟ ଖଣ୍ଡପୀଠଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତଙ୍କ ବେଞ୍ଚ୍ ଆଜି ଏହି ମାମଲାର ଶୁଣାଣି କରିଥିବା ବେଳେ ପରବର୍ତ୍ତୀ ଶୁଣାଣି ଆସନ୍ତା ୨୧ରେ ହେବ ବୋଲି ତାରିଖ ଧାର୍ଯ୍ୟ କରିଛନ୍ତି । ସୂଚନାଯୋଗ୍ୟ, ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପ୍ରକ୍ରିୟା ଅନୁଷ୍ଠିତ ହୋଇସାରିଛି । ପରବର୍ତ୍ତୀ ଭୋଟିଂ ପ୍ରକ୍ରିୟା ଆସନ୍ତା ୨୦ ମେ, ୨୫ମେ ଏବଂ ୧ ଜୁନ୍ରେ ଅନୁଷ୍ଠିତ ହେବ ।