କେନ୍ଦୁଝର,ନୂଆପଡ଼ା: ନିର୍ବାଚନ ସମୟ ଚାଲିଥିବା ଯୋଗୁ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ପୁଲିସ୍ ପକ୍ଷରୁ ଗାଡ଼ିଗୁଡ଼ିକୁ ଚେକିଂ କରାଯାଉଛି । ଏହି କ୍ରମରେ ଆଜି ରାଜ୍ୟର ଦୁଇଟି ସ୍ଥାନରୁ ପୁଲିସ୍ ୨୪ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଭଦ୍ରାସାହି ଛକ ନିକଟରେ ଯାଞ୍ଚ ଚାଲିଥିବା ବେଳେ ଏକ କାର୍ରୁ ପୁଲିସ ୨୦ ଲକ୍ଷ ଟଙ୍କା ଜବତ କରିଛି । ଦୁଇଟି ବ୍ୟାଗ୍ରେ ଏହି ଟଙ୍କା ଥିଲା । ତେବେ ଟଙ୍କା କାହାର ସ୍ପଷ୍ଟ ହୋଇନାହିଁ । ଅନ୍ୟପକ୍ଷରେ ଧରାପଡ଼ିଯିବା ଭୟରେ କାର୍ ଚାଳକ କାର ଛାଡ଼ିଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।
ସେହିପରି ନୂଆପଡ଼ା-ବରଗଡ଼ ଜିଲ୍ଲା ସୀମାନ୍ତ ନୂଆପଡ଼ା ପୁଲିସର ସାହିପଲା ଚେକ୍ ପୋଷ୍ଟ ନିକଟରେ ବ୍ଳକିଂ ଚେକିଂ ଚାଲିଥିବା ବେଳେ ଏକ ଭ୍ୟାନରୁ ୪ ଲକ୍ଷ ୮୯ ହଜାର ଟଙ୍କା ଜବତ ହୋଇଛି । ବରଗଡ ଜିଲ୍ଲାରୁ ନୂଆପଡ଼ା ଅଭିମୁଖେ ଏହି ଭ୍ୟାନ୍ଟି ଆସୁଥିବା ବେଳେ ନୂଆପଡ଼ା ପୁଲିସ ଏହାକୁ ଯାଞ୍ଚ କରି ଥିଲା । ପୁଲିସ୍ ଗାଡ଼ିରୁ ମିଳିଥିବା ୪ ଲକ୍ଷ ୮୯ ହଜାର ଟଙ୍କା ଜବତ କରିଥିବା ବେଳେ ୨ ଜଣଙ୍କୁ ଅଟକ ରଖିଛି । ଅଟକ ବ୍ୟକ୍ତି ଦ୍ୱୟ ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ର ବୋଲି ଜଣାପଡ଼ିଛି ।