29.1 C
Bhubaneswar
Saturday, September 21, 2024
Homeଓଡିଶାରାଜ୍ୟରେ ମୁକ୍ତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

ରାଜ୍ୟରେ ମୁକ୍ତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

*ସରକାରଙ୍କ ପରିଚାଳିତ “ନୂଆ-ଓ” କଲ ସେଂଟରକୁ ବନ୍ଦ କରାଯାଉ: ଗୋଲକ ମହାପାତ୍ର*

 ଚଳିତ ନିର୍ବାଚନ ଜିତିବା ପାଇଁ ବିଜେଡି ଆଇନକାନୁନ, ନୀତିନିୟମକୁ ଜଳାଞ୍ଜଳୀ ଦେଇଛି
 ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତା ତତ୍ୱାବଧାନରେ ପୁଣି ରାଜ୍ୟ ସରକାରଙ୍କ “ନୂଆ-ଓ” କଲ୍ ସେଂଟରରୁ କଲେଜ ପଢ଼ୁଆ ଯୁବକ ଯୁବତୀଙ୍କୁ ଫୋନ୍ କରି ବିଜେଡିକୁ ଭୋଟ ଦେବାକୁ କୁହାଯାଉଛି

ଭୁବନେଶ୍ୱର : ବିଜେଡି ଜାଣିଛି ଏଥର ନିର୍ବାଚନ ଫଳାଫଳ କ’ଣ ହେବ । ସେଥିପାଇଁ ବୃଦ୍ଧବୃଦ୍ଧାଙ୍କୁ ଭତାର ଲୋଭ ଦେଖାଉଥିଲା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ଛାଡର ଲୋଭ, କୃଷକଙ୍କୁ ଉତ୍ପାଦନର ମୂଲ୍ୟ ବୃଦ୍ଧିର ଆଶା ଦେଖାଇବା ପରେ ଏବେ ଛାତ୍ରଛାତ୍ରୀଙ୍କ ଉପରେ ନଜର ପକାଇଛି । ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତା ତତ୍ୱାବଧାନରେ ପୁଣି ରାଜ୍ୟ ସରକାରଙ୍କ ପରିଚାଳିତ “ନୂଆ-ଓ” କଲ୍ ସେଂଟରରୁ କଲେଜ ପଢ଼ୁଆ ଯୁବକ ଯୁବତୀଙ୍କୁ ଫୋନ୍ କରି ବିଜେଡିକୁ ଭୋଟ ଦେବାକୁ କୁହାଯାଉଛି । ଯିଏ ମନା କରୁଛି ତାକୁ ସେମାନେ କହୁଛନ୍ତି ଆପଣ ଯେଉଁ ୧୦ହଜାର ଟଙ୍କା ପାଇଛନ୍ତି ତାହା ଶାସକ ଦଳ ତଥା ନବୀନ ସରକାର ଦେଇଛି । ବିଜେଡିର ଏଭଳି କାର୍ଯ୍ୟ ନିର୍ବାଚନ ଆଚରଣ ବିଧି ଉଲଘଂନ କରୁଛି । ଶାସକ ବିଜେଡିର ଏହା ଚିରାଚରିତ ଅଭ୍ୟାସ ଏବଂ ଅତୀତରେ ମଧ୍ୟ ଏଭଳି ଘଟଣା ପ୍ରସଙ୍ଗରେ ଅନେକ ପ୍ରମାଣ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଇଛି ବିଜେପି । ବିଜେଡିର ନୂଆ-ଓ କଲସେଂଟର ନମ୍ବର ୮୦୪୨୩୦୩୦୭୨ରେ କଲ୍ ଆସୁଛି । ଏନେଇ ଆଜି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟ ମୁଖ୍ୟନିର୍ବାଚନ ଅଧିକାରୀଙ୍କୁ ଭେଟି ପ୍ରମାଣପତ୍ର ଦେଇଛି । ବିଜେଡି ସରକାରୀ ଟଙ୍କାରେ କଲ ସେଂଟର ଲୋକଙ୍କୁ ଦରମା ଦେଉଛନ୍ତି । ସେମାନଙ୍କୁ ମଧ୍ୟ ନିଜ ଦଳୀୟ ପ୍ରଚାରରେ ଲଗାଉଛନ୍ତି । ବିଜେଡି ସମସ୍ତ କଲ୍ ସେଂଟର ବନ୍ଦ କରାଯିବା ସହ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ।
ଚଳିତ ନିର୍ବାଚନ ଜିତିବା ପାଇଁ ବିଜେଡି ଆଇନକାନୁନ, ନୀତିନିୟମକୁ ଜଳାଞ୍ଜଳୀ ଦେଇଛି । ସରକାରୀ କଳ ଓ ବଳକୁ ବ୍ୟବହାର କରିଚାଲିଛି । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ ସତ୍ୱେ କୌଣସି ଫରକ ପଡୁନାହିଁ , ବରଂ ଏଭଳି ଆଇନ ଅମାନ୍ୟ କାର୍ଯ୍ୟକଳାପ ବଢିଚାଲିଛି । ରାଜ୍ୟରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ତଥ୍ୟ ଓ ପ୍ରମାଣ ସହ ଶାସକ ବିଜେଡି “ନୂଆ-ଓ” ବିରୁଦ୍ଧରେ ବିଭିନ୍ନ ଅଭିଯୋଗକୁ ଉପସ୍ଥାପନା କରିଛୁ । ଏଭଳି ସମ୍ବେଦନଶୀଳ ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ରାଜ୍ୟ ନିର୍ବାଚନ ଅଧିକାରୀ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ପୁଣି ଥରେ ଦାବୀ କରିଛୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା, କୃଷକମୋର୍ଚ୍ଚା କୋଷାଧ୍ୟକ୍ଷ ବିଶ୍ୱଜିତ ସ୍ୱାଇଁ, ତୃପ୍ତିମୟୀ ମକଦ୍ଦମ ପ୍ରମୁଖ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking