ବାରିପଦା : ବ୍ୟାଙ୍କରେ ଲାଗିଲା ନିଆଁ। କୋଉଠୁ ଏବଂ କେମିତି ଲାଗିଲା ନିଆଁ ସ୍ପଷ୍ଟ ହୋଇପାରିନାହିଁ। ମାତ୍ର ବ୍ୟାଙ୍କ ଭିତର ସ୍ଥିତି ଧୂଆଁମୟ ହୋଇଯିବାରୁ ଆତ୍ମରକ୍ଷା ପାଇଁ ବାହାରକୁ ବାହାରିବା ଉଦ୍ଧେଶ୍ୟରେ ଆରମ୍ଭ ହୋଇଥିଲା ଉଦ୍ୟମ। ତେବେ ଆର୍ଥିକ ଦେଣନେଣ ପାଇଁ ବ୍ୟାଙ୍କ ଭିତରେ ଥିବା ଗ୍ରାହକମାନେ ନିଆଁ ଲାଗିଯାଇଛି ଜାଣିବା ପରେ ବାହାରକୁ ବାହାରି ଆତ୍ମରକ୍ଷା ଲାଗି ନିଜ ନିଜ ଭିତରେ ପ୍ରତିଯୋଗିତା ଆରମ୍ଭ କରିଥିଲେ। ସେହିଭିତରେ କେହି କେହି ଅଣନିଃଶ୍ୱାସୀ ହୋଇ ପଡ଼ୁଥିବା ବେଳେ ଅନ୍ୟ କେହି ସହଯୋଗ କରିବାକୁ ଆଗେଇ ଆସି ସୁରକ୍ଷିତ ଭାବେ ବାହାରକୁ ବାହାରିବାରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି। ତେବେ ଏହି ଅସ୍ବାଭାବିକ ଘଟଣାଟି ହେଉଛି ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ବ୍ୟାଙ୍କ ଅଫ ଇଣ୍ଡିଆ ଜୋନାଲ ଶାଖାର। ଏହି ବ୍ୟାଙ୍କଟି ରହିଛି ଏମ କେ ସି ହାଇସ୍କୁଲ ସାମ୍ନାରେ। ତେବେ ଗ୍ରୀଷ୍ମ ପ୍ରବାହର ପ୍ରବଳତା ଯୋଗୁଁ ଅଗ୍ନିବର୍ଷା ଭଳି ପରିସ୍ଥିତି ଲାଗି ରହିଛି ବାରିପଦା ସହରରେ। ଆଉ ଏହି ମାତ୍ରାଧିକ ଗରମ ପ୍ରଭାବରେ ଏଭଳି ଅପ୍ରତ୍ୟାଶିତ ଘଟଣା ଘଟିଥିବାର ଅନୁମାନ କରାଯାଉଛି। ଅନ୍ୟପଟେ ଅଗ୍ନିକାଣ୍ଡ ଘଟଣା ସମ୍ପର୍କରେ ଖବରପାଇ ବାରିପଦା ଅଗ୍ନିଶମ ବିଭାଗ କର୍ମଚାରୀମାନେ ଅବିଳମ୍ବେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଆରମ୍ଭ କରିଥିଲେ। ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କୌଣସି ପ୍ରକାର ଜୀବନହାନୀ ହେବା ଭଳି ଘଟଣା ସାମ୍ନାକୁ ଆସିନଥିବା ଜଣାପଡିଛି। ମାତ୍ର ଆଗକୁ ତଦନ୍ତ ପରେ ସ୍ପଷ୍ଟ ହେବ କେମିତି ଓ କୋଉଠୁ ଲାଗିଲା ନିଆଁ। ତେବେ ବର୍ତ୍ତମାନ ପାଇଁ ସ୍ଥିତି ନିୟନ୍ତ୍ରଣରେ ଥିବା ଜଣାପଡିଛି।