30.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶରାଜଧର୍ମ ସହ ସ୍ତ୍ରୀ ଧର୍ମ ବି ପାଳନ କରିବେ ଅନୁଭା

ରାଜଧର୍ମ ସହ ସ୍ତ୍ରୀ ଧର୍ମ ବି ପାଳନ କରିବେ ଅନୁଭା

ଭୋପାଳ: ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ଜଣେ ପୂର୍ବତନ ବିଧାୟକ ତଥା ସାଂସଦ ରହିସାରିଥିବା କଙ୍କର ମୁଞ୍ଜାରେ ଏବଂ ତାଙ୍କ ରାଜନେତ୍ରୀ ପତ୍ନୀ ଅନୁଭା ମୁଞ୍ଜାରେଙ୍କୁ ନେଇ ଏବେ ମଧ୍ୟପ୍ରଦେଶ ରାଜନୀତି ସରଗରମ ହୋଇପଡିଛି । ରିପୋର୍ଟ ଅନୁସାରେ ଚଳିତ ଲୋକସଭା ନିର୍ବାଚନ-୨୦୨୪ ପାଇଁ ବିଏସ୍‌ପି ପୁଣିଥରେ କଙ୍କର ମୁଞ୍ଜାରେଙ୍କୁ ମଧ୍ୟପ୍ରଦେଶର ବାଲାଘାଟ୍ ଲୋକସଭା ଆସନରୁ ପ୍ରାର୍ଥୀ କରିଛି । ତେବେ ସେ ହଠାତ୍ ନିଜ ଘର ଛାଡି ଏବେ ବାହାରେ ରହୁଥିବା ଏବଂ ନିର୍ବାଚନୀ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଆଜି ଯେତେବେଳେ କିଛି ଗଣମାଧ୍ୟମ ପ୍ରଶ୍ନ କରିଥିଲେ ସେତେବେଳେ ସେ ଉତ୍ତରରେ କହିଥିଲେ ଯେ, ସେ ବିଏସ୍‌ପିର ଜଣେ ସକ୍ରିୟ କର୍ମୀ ଭାବେ କାମ କରୁଛନ୍ତି । କିନ୍ତୁ ତାଙ୍କ ପତ୍ନୀ ଅନୁଭା ମୁଞ୍ଜାରେ ଜଣେ କଂଗ୍ରେସ ନେତ୍ରୀ ହୋଇଥିବାରୁ ଉଭୟଙ୍କ ମଧ୍ୟରେ ରାଜନୈତିକ ବିଚାରଗତ ମତଭେଦ ରହିଆସିଛି ।

ପ୍ରକାଶ, ଅନୁଭା ମୁଞ୍ଜାରେ ଏବେ କଂଗ୍ରେସର ବିଧାୟିକା ଅଛନ୍ତି । ସେ ୨୦୨୩ ନଭେମ୍ବର ମାସରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିର ହେଭିୱେଟ୍ ନେତା ଗୌରୀଶଙ୍କର ବିସେନ୍‌ଙ୍କୁ ପରାଜିତ କରିଥିଲେ । ତେବେ ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସର ବିଜୟ ନେଇ ବରାବର ତାଙ୍କ ଆଗରେ ଯୁକ୍ତି ବାଢ଼ୁଥିଲେ, ଯାହାକି ତାଙ୍କ (କଙ୍କର) ପକ୍ଷେ ଅସହ୍ୟ ହୋଇପଡ଼ିଥିଲା । ବିଶେଷକରି ନିର୍ବାଚନ ସମୟରେ ଦୁଇ ପୃଥକ ଆଦର୍ଶଧାରୀ ବ୍ୟକ୍ତିତ୍ୱ ଗୋଟିଏ ଛାତ ତଳେ ରହିବା କଦାପି ରହିପାରିବେ ନାହିଁ ବୋଲି ସେ ଅନୁଭବ କରିଥିଲେ । ଏହି କାରଣରୁ ସେ ଏବେ ଘର ଛାଡି ବାହାରେ ରହିବାକୁ ବାଧ୍ୟ ହୋଇଛନ୍ତି ।

ତେବେ ଏପ୍ରିଲ୍ ୧୯ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ମତଦାନ ପରେ ସେ ନିଜ ଘରକୁ ଫେରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । କାରଣ ୧୯ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟରେ ହିଁ ସେ ପ୍ରାର୍ଥୀ ହୋଇଥିବା ବାଲାଘାଟ ଲୋକସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ ଶେଷ ହେବ । ଏହାପରେ ଘରକୁ ଫେରିବାରେ ଆଉ ସମସ୍ୟା ନଥିବ ବୋଲି କଙ୍କର କହିଛନ୍ତି । ବର୍ତ୍ତମାନ ସମୟରେ ଯଦି ବା ସେ ଘରେ କୌଣସି ପ୍ରକାରେ ରହିବାକୁ ଚେଷ୍ଟା କରିଥାନ୍ତେ ତେବେ ଜନସାଧାରଣଙ୍କ ମଧ୍ୟରେ ତାଙ୍କୁ ଏବଂ ତାଙ୍କ ପତ୍ନୀଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ସୃଷ୍ଟି ହେବ, ଯାହାକି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମ୍ୟାଚ୍ ଫିକ୍ସିଂ ହୋଇଥିବା ଲୋକଙ୍କ ଧାରଣାକୁ ଦୃଢ଼ୀଭୂତ କରିବ । ତେବେ ଏହି ସମୟ ପର୍ଯ୍ୟନ୍ତ (୧୯ ତାରିଖ ଯାଏ) ସେ ନିଜ ସ୍ତ୍ରୀଙ୍କ ସହ ଫୋନ୍ ଯୋଗେ ମଧ୍ୟ କଥା ହେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଅନ୍ୟପକ୍ଷେ ଅନୁଭା କହିଛନ୍ତି, ସେ ତାଙ୍କ ସ୍ୱାମୀଙ୍କ ନିଷ୍ପତ୍ତିରେ ଆଦୌ ସହମତ ନୁହଁନ୍ତି ।

ଉଭୟଙ୍କ ମଧ୍ୟରେ ୩୩ ବର୍ଷର ଖୁସିମୟ ଦାମ୍ପତ୍ୟଜୀବନ ରହିଛି ଏବଂ ସେମାନେ ସେମାନଙ୍କ ଏକମାତ୍ର ପୁଅ ସହ ବେଶ୍ ଖୁସିରେ ଅଛନ୍ତି । ଅନୁଭା କହିଛନ୍ତି, ଘର ଛାଡି ଯିବାର ନିଷ୍ପତ୍ତି ଏକତରଫା ଭାବେ ତାଙ୍କ ସ୍ୱାମୀ କଙ୍କର ମୁଞ୍ଜାରେ ନେଇଛନ୍ତି । ସୁତରାଂ ସେ ଏଥିରେ କୌଣସି ଟିପ୍ପଣୀ କିମ୍ବା ହସ୍ତକ୍ଷେପ କରିବେ ନାହିଁ । ସ୍ୱାମୀ କଙ୍କର ମୁଞ୍ଜାରେ ତାଙ୍କୁ ତାଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ସେ ଏଥିପାଇଁ ମନା କରିଦେଇଥିଲେ । ରାଜନୈତିକ ଧର୍ମ ପାଳନ କରିବା ପରିପ୍ରେକ୍ଷୀରେ ଜଣେ କଟ୍ଟର କଂଗ୍ରେସ କର୍ମୀ ତଥା ନେତ୍ରୀ ଭାବେ ସେ ବାଲାଘାଟ ଆସନରୁ ତାଙ୍କ ସ୍ୱାମୀଙ୍କ ବିପକ୍ଷରେ କଂଗ୍ରେସର ଲୋକସଭା ପ୍ରାର୍ଥୀ ହୋଇଥିବା ସମ୍ରାଟ ସାରସ୍ୱତ୍‌ଙ୍କ ସମର୍ଥନରେ ହିଁ ପ୍ରଚାର କରିବେ । ଅନ୍ୟପକ୍ଷେ ସ୍ତ୍ରୀ ଧର୍ମ ପାଳନ କରିବା ଆଧାରରେ ପ୍ରଚାର ସମୟରେ ସେ ନିଜ ସ୍ୱାମୀ କଙ୍କର ମୁଞ୍ଜାରେଙ୍କ ବିପକ୍ଷରେ ଗୋଟିଏ ବି ଶବ୍ଦ ପ୍ରୟୋଗ କରିବେ ନାହିଁ ବୋଲି ମଧ୍ୟ ଅନୁଭା ସ୍ପଷ୍ଟ କରିଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking