ଭୁବନେଶ୍ୱର : ଓଡ଼ିଶାରେ ଏବେ ରାଜନୈତିକ ଡିଆଁ ପର୍ବ ଚାଲିଛି। ବିଜେପିରେ ଯୋଗଦେଲେ ସାଂସଦ ଅନୁଭବ ମହାନ୍ତି । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିଲେ ଅନୁଭବ । ମୋଦିଙ୍କ ନେତୃତ୍ୱରେ ପ୍ରଭାବିତ ବୋଇ ବିଜେପିକୁ ଆସିଥିବା କହିଲେ ଅନୁଭବ । ତେବେ ୨ ଦିନ ତଳେ ବିଜେଡି ଛାଡିଥିଲେ ସିନେ ଷ୍ଟାର ଅନୁଭବ । କିଛି ମାସ ତଳେ ବିଜେଡିର ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିଲେ । ନିଜ ନିର୍ବାଚନ ମଣ୍ଡଳୀ କେନ୍ଦ୍ରୀପଡାରେ ମଧ୍ୟ ଦେଖିବାକୁ ମିଳୁନଥିଲା । ବିଭିନ୍ନ ସମୟରେ ନିଜ ମନ୍ତବ୍ୟ ପାଇଁ ବିବାଦରେ ରହି ଆସିଥିଲେ । ନିଜ ପାରିବାରିକ କଳହକୁ ନେଇ ମଧ୍ୟ ବିବାଦରେ ଥିଲେ ଅନୁଭବ । ସୂଚନାଯୋଗ୍ୟ ଯେ, ଅନୁଭବ ଦୁଇ ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ । ବିଜେଡି ଛାଡ଼ିବା ପରେ ଅନୁଭବ କହିଥିଲେ, “ମୁଁ ଦଳ ଛାଡ଼ିଛି, କିନ୍ତୁ ମୋ ପ୍ରଶଂସକଙ୍କ ଦଳ ଛାଡ଼ିନି । ମୁଁ ଆପଣଙ୍କ ଭଲପାଇବାର ଦଳରେ ସବୁବେଳେ ଅଛି ରହିବି ସେ ଦଳ ଛାଡିବିନି । ଜୀବନ ଥିବା ଯାଏଁ ଆପଣଙ୍କ ସହ ଅଛି । ରାଜନୀତି ମୁଁ ଛାଡ଼ିନାହିଁ କି ଛାଡିବିନି ସେ ସମ୍ପର୍କରେ କହିନାହିଁ । ମୁଁ କୂଟ ରାଜନୀତି କରିପାରିନାହିଁ ଓ ତାହା ଶିଖିନାହିଁ ମଧ୍ୟ । ରାଜନୀତି ସହ ଅଭିନୟ କରିବି, କାରଣ ଏହା ମୋ ଭାତହାଣ୍ଡି ଓ ମୋ ପରିଚୟ । ଲୋକଙ୍କ ପାଇଁ ଏଣିକି ରାଜନୀତି କରିବି ।” ‘‘୫ ବର୍ଷ ହେଲାଣି ଆପଣ ମୋ ବିଷୟରେ ଚର୍ଚ୍ଚା କଲେଣି ଯେତେବେଳେ ମୁଁ ଅଭିନୟ କରିବି ନଥିଲି । ଗତ ୪-୫ ବର୍ଷ ମତେ ବହୁତ କିଛି ଶିଖାଇଛି । ଯେତେବେଳେ ଯାହା ହେବ ମୁଁ ସେଥିପାଇଁ ପ୍ରସ୍ତୁତ ଅଛି । ଯେ କୌଣସି ଚ୍ୟାଲେଞ୍ଜ ଆସୁ ତାକୁ ସାମ୍ନା କରିବାର ସାହସ ଓ ଦମ ରଖିଛି ।’’ ନିର୍ବାଚନ ଚଳିତ ବର୍ଷ ଲଢ଼ିବେ ନା ନାହିଁ ଉତ୍ତରରେ ସେ କହିଥିଲେ, “ମୁଁ ଜୀବନରେ ୨୦୨୪ ରେ ନୁହେଁ ବରଂ ବଞ୍ଚିଥିବା ପର୍ୟ୍ୟନ୍ତ ସମସ୍ତ କ୍ଷେତ୍ରରେ ଲଢିବି ଓ ଜିତିବି ମଧ୍ୟ ।” ତେବେ ପ୍ରତ୍ୟେକ କ୍ଷେତ୍ରରେ ଲଢିବା ଓ ଜିତିବାର ଦମ୍ଭୋକ୍ତି ତାଙ୍କ ନିର୍ବାଚନ ଲଢିବା ଆକାଂକ୍ଷାକୁ ପରୋକ୍ଷରେ ପ୍ରତିଫଳିତ କରୁଛି ବୋଲି ସହଜରେ ଅନୁମେୟ ।