ନୂଆଦିଲ୍ଲୀ: କିଛି ଦିନ ପୂର୍ବେ ଶରଦ ପୱାରଙ୍କ ନେତୃତ୍ୱାଧୀନ ରାଜନୈତିକ ଦଳ ଏନ୍ସିପିକୁ ନୂଆ ନାମ ଏବଂ ନୂଆ ନିର୍ବାଚନୀ ସାଂକେତିକ ଚିହ୍ନ ପ୍ରଦାନ କରିଥିଲେ ନିର୍ବାଚନ ଆୟୋଗ । ତେବେ ଆଗାମୀ ଲୋକସଭା ନିର୍ବାଚନରେ ଏହି ନୂଆ ନାମ ଓ ସାଂକେତିକ ଚିହ୍ନ ସହ ତାଙ୍କ ଦଳ ନିର୍ବାଚନୀ ମୈଦାନକୁ ଓହ୍ଲାଇପାରିବ କି ନାହିଁ ସେନେଇ ବର୍ତ୍ତମାନ ସୁଦ୍ଧା କିଛି ବି ସ୍ପଷ୍ଟ ହୋଇପାରିନଥିଲା । ଫଳରେ ଶରଦଙ୍କ ଗୋଷ୍ଠୀ ଏନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । କିନ୍ତୁ ଆଜି ଏସମ୍ପର୍କରେ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ରାୟ ଆସିବା ପରେ ସବୁକିଛି ସ୍ପଷ୍ଟ ହୋଇଯାଇଛି । ରିପୋର୍ଟ ଅନୁସାରେ ଶରଦ ପୱାର୍ଙ୍କ ଗୋଷ୍ଠୀକୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମିଳିଥିବା ନୂଆ ନିର୍ବାଚନୀ ସଂକେତ ‘ବାଜୁଥିବା ତୁରୀ’ ଏବଂ ନୂଆ ଦଳୀୟ ନାମ ‘ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି-ଶରଦଚନ୍ଦ୍ର ପୱାର’କୁ ଆଗାମୀ ଲୋକସଭା ତଥା ବିଧାନସଭା ନିର୍ବାଚନରେ ବ୍ୟବହାର କରିବା ପାଇଁ ସୁପ୍ରିମକୋର୍ଟ ଆଜି ଅନୁମତି ଦେଇଛନ୍ତି ।
ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ବିଶ୍ୱନାଥନ୍ଙ୍କ ଖଣ୍ଡପୀଠ ଶରଦ ପୱାର ଆଜି ଏହି ମାମଲାର ଶୁଣାଣି କରିଥିଲେ ଏବଂ ନିର୍ବାଚନ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶରଦ୍ଙ୍କୁ ଅନୁମତି ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ, ଶରଦ ପୱାର ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ବା ଏନ୍ସିପି ସ୍ଥାପନା କରିଥିଲେ ଏବଂ ଦୀର୍ଘ ସମୟ ଧରି ଏହାର ନେତୃତ୍ୱ ମଧ୍ୟ ନେଇଆସୁଥିଲେ । କିନ୍ତୁ ପୁତୁରା ଅଜିତ୍ ପୱାର ଦଳରେ ବିଦ୍ରୋହ କରିବା ସହ ମୂଳ ଏନ୍ସିପିକୁ ବିଭାଜିତ କରିଦେଇଥିଲେ ଏବଂ କିଛି ସାଂସଦ ତଥା ବିଧାୟକଙ୍କୁ ଧରି ମୂଳ ଏନ୍ସିପି ଉପରେ ନିଜ ଅଧିକାର ଦାବି କରିଥିଲେ । ପରେ ଦଳୀୟ ଆଇନ୍ ଏବଂ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଅଜିତ୍ ପୱାରଙ୍କୁ ହିଁ ମୂଳ ଏନ୍ସିପିର ମାଲିକାନା ହକ୍ ପ୍ରଦାନ କରିଥିଲେ ଏବଂ ଦଳର ମୂଳ ସାଂକେତିକ ଚିହ୍ନ ‘ଟେବୁଲ୍ ଘଣ୍ଟା’ ମଧ୍ୟ ପ୍ରଦାନ କରିଥିଲେ । ଅନ୍ୟପକ୍ଷେ ଶରଦ ପୱାରଙ୍କୁ ନିଜ ଗୋଷ୍ଠୀର ନୂଆ ରାଜନୈତିକ ନାମ ଏବଂ ସାଂକେତିକ ଚିହ୍ନ ପାଇଁ ପ୍ରସ୍ତାବ ଦେବାକୁ କହିଥିଲେ ।
ପରେ ଶରଦ ଗୋଷ୍ଠୀ କିଛି ନାମ ଓ ସଂକେତ ପ୍ରସ୍ତାବ ଦେଇଥିଲେ ଯେଉଁଥିରୁ ଏନ୍ସିପି-ଶରଦଚନ୍ଦ୍ର ପୱାରକୁ ନୂଆ ରାଜନୈତିକ ଦଳର ନାମକରଣ ଭ।।ବେ ଏବଂ ‘ବାଜୁଥିବା ତୁରୀ’କୁ ନୂଆ ନିର୍ବାଚନୀ ସଂକେତ ଭାବେ ବ୍ୟବହାର କରିବାକୁ ନିର୍ବାଚନ ଆୟୋଗ ସ୍ୱୃୀକୃତି ଦେଇଥିଲେ । ଅନ୍ୟପକ୍ଷେ ଅଜିତ୍ ପୱାରଙ୍କୁ ମିଳିଥିବା ଦଳୀୟ ନାମ ଏବଂ ନିର୍ବାଚନୀ ସଂକେତକୁ ବିରୋଧ କରି ଶରଦ ଗୋଷ୍ଠୀଙ୍କ ପକ୍ଷରୁ ଦାୟର କରାଯାଇଥିବା ପିଟିସନ୍ ଉପରେ ଚୂଡାନ୍ତ ରାୟ ଆସିବା ବାକି ରହିଥିଲେ (ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଅପେକ୍ଷା ରହିଛି) ମଧ୍ୟ ସୁପ୍ରିମକୋର୍ଟ ଅଜିତ୍ ଗୋଷ୍ଠୀଙ୍କୁ ମୂଳ ଏନ୍ସିପି ଏବଂ ଟେବୁଲ୍ ଘଣ୍ଟା ସଂତେତ ସହ ନିର୍ବାଚନ ଲଢ଼ିବାକୁ ଅନୁମତି ଦେଇଥିବା ଜଣାପଡିଛି ।