ଫୁଲବାଣୀ: ସିଙ୍ଗାବାଲି ପାହାଡ଼ରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଥାନାରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଅଧୀନ ବାଲିପଦର ଗାଁରେ । ମୃତକ ଜଣଙ୍କ ହେଉଛନ୍ତି ସେହି ଗ୍ରାମର ଦିଗାଲଙ୍କ ସ୍ତ୍ରୀ ମୀରା ଦିଗାଲ । ଜ୍ୱାଇଁ ସହଦେଵ ଦିଗାଲ ଯୌତୁକ ନିର୍ଯାତନା ଦେଇ ଝିଅକୁ ହତ୍ୟା କରିଥିବା ଗୋଛାପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ବାପା । ସୂଚନା ଅନୁସାରେ, ମୃତ ମହିଳା ଜଣକ ଆଠବର୍ଷ ତଳେ ବାଲିପଦର ଗାଁର ସ୍ୱର୍ଗତ ସାନି ଦିଗାଲ ଙ୍କ ସାନ ପୁଅ ସହଦେବ ଦିଗାଲଙ୍କୁ ବୈଦିକ ରିତିନୀତିରେ ବିବାହ କରିଥିଲେ ।
ବର୍ତ୍ତମାନ ତାଙ୍କର ଏକ ପୁଅ ଓ ଝିଅ ମଧ୍ୟ୍ୟ ଅଛନ୍ତି । ବୁଧବାର ସନ୍ଧ୍ୟା ସମୟରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏଥିରେ ରାଗିଯାଇ ସ୍ୱାମୀ ସହଦେଵ ଦିଗାଲ ସ୍ତ୍ରୀ ମୀରା ଦିଗାଲକୁ ମାଡ଼ ମାରିଥିଲେ । ପରେ ମୃତ ମୀରା ଦିଗାଲ ଘରେ କାହାକୁ କିଛି ନକହି କୁଆଡେ ଚାଲି ଯାଇଥିଲେ । ପରିବାର ଲୋକେ ଖୋଜାଖୋଜି କରିବାପରେ ମୀରାଙ୍କ କୌଣସି ପତ୍ତା ପାଇନଥିଲା । ତେବେ ବାଲିପଦର ଗାଁର କିଛି ଲୋକେ ଗତକାଲି ସିଙ୍ଗାବାଲି ପାହାଡ଼କୁ କାଠ ଆଣିବା ପାଇଁ ଯାଇଥିବା ସମୟରେ ପାହାଡ଼ ଉପରେ ଥିବା ଏକ ଗଛରେ ମହିଳାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ । ଏନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇବା ପରେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଗୋଛାପଡା ପୋଲିସକୁ ଖବର ଦେଇଥିଲେ ।