ନୂଆଦିଲ୍ଲୀ : ଇଣ୍ଡିଆନ୍ସ ୱେଲ୍ସ ଟେନିସ୍ ଗାର୍ଡେନ୍ରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଏଟିପି ୧୦୦୦ ମାଷ୍ଟର୍ସ ୨୦୨୪ ପରିବାସ ଓପନ୍ ଟୁର୍ଣ୍ଣାମେଣ୍ଟ୍ରୁ ତିନିଥରର ଚାମ୍ପିଅନ୍ ରାଫେଲ୍ ନାଡାଲ୍ ଓହରିଯାଇଛନ୍ତି । ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ୍ରେ ଅଂଶଗ୍ରହଣ କରିପାରିନଥିବାରୁ ପୂର୍ବତନ ବିଶ୍ୱର ନଂ-୧ ଖେଳାଳି ଦୁଃଖ ପ୍ରକାଶ କରିଛନ୍ତି । ୩୭ ବର୍ଷୀୟ ସ୍ପେନ୍ ଖେଳାଳି କାର୍ଯ୍ୟସୂଚୀ ଅନୁସାରେ ପୂର୍ବତନ ବିଶ୍ୱ ନଂ-୩ ମିଲୋସ୍ ରାଓନିକ୍ଙ୍କୁ ଭେଟିବାର ଥିଲା ।
ମାତ୍ର ସେ ଓହରି ଯିବାରୁ ତାଙ୍କ ସ୍ଥାନରେ ଲକି ଲୁଜର୍ ଭାରତର ସୁମିତ୍ ନାଗଲ୍ଙ୍କୁ ସୁଯୋଗ ମିଳିଛି । କ୍ୱାଲିଫାଇଙ୍ଗ୍ ଟୁର୍ଣ୍ଣାମେଣ୍ଟ୍ର ଦ୍ୱିତୀୟ ରାଉଣ୍ଡ୍ରେ ପରାଜିତ ହୋଇଥିବା ୨୬ ବର୍ଷୀୟ ନାଗଲ୍ ଡ୍ର’ରେ ଉଚ୍ଚ ର୍ୟାଙ୍କିଙ୍ଗ୍ ଖେଳାଳି ହୋଇଥିବାରୁ ତାଙ୍କୁ ଏହି ସୁଯୋଗ ମିଳିଛି । ଏଟିପି ର୍ୟାଙ୍କିଙ୍ଗ୍ରେ ସେ ୧୦୧ତମ ସ୍ଥାନରେ ରହିଛନ୍ତି । ହିପ୍ ଇନ୍ଜୁରୀ ଯୋଗୁଁ ନାଡାଲ୍ ୧୧ ମାସ ଧରି ଟେନିସ୍ରୁ ଦୂରେଇ ରହିଥିଲେ । ସେ ଚଳିତବର୍ଷ ପ୍ରାରମ୍ଭରେ ବ୍ରିସ୍ବେନ୍ରେ ଅନୁଷ୍ଠିତ ଏଟିପି ୨୫୦ ଇଭେଣ୍ଟ୍ରେ ପ୍ରତ୍ୟାବର୍ତ୍ତନ କରିଥିଲେ । ମାତ୍ର ଜୋର୍ଡାନ୍ ଥମ୍ପସନ୍ଙ୍କ ବିପକ୍ଷ କ୍ୱାର୍ଟର୍ ଫାଇନାଲ୍ରେ ମ୍ୟାଚ୍ରେ ପୁଣିଥରେ ଆଘାତପ୍ରାପ୍ତ ହୋଇଥିଲେ ।