ମୟୂରଭଞ୍ଜ : ମୋରଡ଼ା ବିଧାୟକଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ବଞ୍ଚିଗଲା ଅସହାୟା ବୃଦ୍ଧାଙ୍କ ଜୀବନ। ତେବେ ନିରାଶ୍ରୟା ବୃଦ୍ଧାଙ୍କ ସାହା ନାହିଁ କେହି କି ଆହା କରିବାକୁ କେହିନାହିଁ। ଦୟନୀୟ ଅବସ୍ଥାରେ କଟୁଥିଲା ଜୀବନ । ନଡ଼ା ଛପର ଘରଟି ମରାମତି ଅଭାବରୁ ଭାଙ୍ଗି ଯାଇଛି। ଭରସା ଛିଡ଼ା ଜରିପାଲ ତଳେ କଟୁଛି ବୃଦ୍ଧାଙ୍କ ଜୀବନ । ପୂର୍ବରୁ ଗାଁରେ ମାଗିଯାଚି ଯେମିତି ସେମିତି ଚଳୁଯାଉ ଥିଲେ । ୭୦ ବର୍ଷ ବୃଦ୍ଧା ଭଲ ଭାବରେ ଚାଲିବାରେ ଅକ୍ଷମ ଥିବା ସତ୍ତ୍ବେ ପୋଡିଶାଙ୍କ ସହଯୋଗରେ ଚଳୁଥିଲେ । ତେବେ ଅଳ୍ପ କିଛିମାସ ପୂର୍ବରୁ ବୃଦ୍ଧାଙ୍କ ଶରୀରର ଡାହାଣପାଖ ଅଚଳ ହେବାରୁ ଘୁସୁରି ଘୁସୁରି ଘର ବାହାରକୁ ଆସିଲେ ଘର ଭିତରକୁ ଯିବାକୁ ଅକ୍ଷମ ହୋଇ ବାହାରେ ଶୋଇପଡନ୍ତି। ଉଳିଏ ଖାଇଲେ ଉଳିଏ ନାହିଁ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ନୂଆଗାଁ ପଞ୍ଚାୟତ ଅଧିନ ସନ୍ନ୍ୟାସୀ ଗ୍ରାମରେ । ବୃଦ୍ଧା ଜଣକ ହେଲେ କାଞ୍ଚନ ପାତ୍ର । ତାଙ୍କର ଗୋଟିଏ ବୋଲି ପୁଅ ଦୀର୍ଘବର୍ଷ ପୂର୍ବରୁ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବେଳେ ପରେ ସ୍ୱାମୀ ବିଶ୍ଵନାଥ ପାତ୍ରଙ୍କ ମୃତ୍ୟୁ ହୋଇଥିଲା । ସବୁ ଦୁଃଖକୁ ଛାତିତଳେ ଚାପିରଖି କାଞ୍ଚନ ନିଜକୁ ସମ୍ଭାଳି ସରକାରୀ ସହାୟତା ଚାଉଳ ଓ ଭତ୍ତାକୁ ଭରସା କରି ରାନ୍ଧିବାଢି ଖାଇ ଜୀବନ ବଞ୍ଚାଉଥିଲେ । ଯୋଉଠି ଦୁଇଓଳି ପେଟପୂରା ଦାନା ସାଙ୍ଗକୁ ଦେହକୁ କନା ଯୋଗାଡ କରିବାରେ ଅକ୍ଷମ କାଞ୍ଚନ ଭଙ୍ଗାଦଦରା ଘର ମରାମତି କରିନପାରିବାରୁ ଘର ମଧ୍ୟ ଧିରେ ଧିରେ ଭାଙ୍ଗିବାକୁ ଲାଗିଲା । ଗାଁ ଲୋକଙ୍କ ସହଯୋଗରେ ଜରିପାଲର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଏବେ ଜରିପାଲ ଛିଡିଯାଇ ଥିବାବେଳେ ଖରା,ବର୍ଷା, ଶିତକାକର ସେଇ ଘରକୁ ଭରସା କରି କଟାଉଥିଲେ। କିନ୍ତୁ ନିର୍ବାଚିତ ସ୍ଥାନୀୟ ୱାର୍ଡମେମ୍ବର, ସେମିତିସଭ୍ୟ କିମ୍ବା ସରପଞ୍ଚଙ୍କ ନଜର ଅସହାୟ କାଞ୍ଚନଙ୍କ ଉପରେ କେମିତି ପଡ଼ିନଥିଲା ତାହାକୁନେଇ ଉଠୁଛି ପ୍ରଶ୍ନବାଚୀ। ସେହିରି ରାଜ୍ୟ ସରକାରଙ୍କ ସକ୍ରିୟ ପ୍ରଶାସନର ନଜର ମଧ୍ୟ କାଞ୍ଚନ ଉପରେ କେମିତି ପଡ଼ିନଥିଲା ତାକୁନେଇ ଜୋର୍ ଧରିଛି ଚର୍ଚ୍ଚା। ତେବେ ଗତକାଲି ଅପରାହ୍ନରେ ବର୍ଷୀଥିବା ଅଦିନିଆ ବର୍ଷା ସମୟରେ ବୃଦ୍ଧା କାଞ୍ଚନ ଘର ବାହାରେ ଥିଲେ । ଘୁସୁରି ଘୁସୁରି ଘର ଭିତରକୁ ଯିବାକୁ ଚେଷ୍ଟା କରି ବିଫଳ ହୋଇ ବର୍ଷାରେ ଭିଜି ଭିଜି ରାତିସାରା ବାହାରେ ଥିଲେ । ତେବେ ପୋଡିଶା ଲୋକେ ବି ଖଟିଖିଆ ଦିନ ମଜୁରିଆ ହୋଇଥିବାରୁ କାମରୁ ଫେରି ଖାଇପିଇ ଶୋଇପଡିଥିଲେ। କାହାରି ନଜର ପଡ଼ିନଥିଲା ଅସହାୟା କାଞ୍ଚନଙ୍କ ଉପରେ । ମାତ୍ର ସକାଳୁ ପୋଡିଶା ଲୋକଙ୍କ ନଜର କାଞ୍ଚନଙ୍କ ଉପରେ ପଡ଼ିଥିଲା । ସଙ୍ଗେ ସଙ୍ଗେ ପୋଡିଶା ଲୋକେ ତାଙ୍କୁ ଉଦ୍ଧାର କରି ଅନ୍ୟ ସ୍ଥାନରେ ରଖିବା ସହିତ ଖାଇବାକୁ ଦେଇଥିଲେ । ତେବେ ସନ୍ୟାସୀ ଗ୍ରାମର ବିନୁ ପୋଇଙ୍କ ନଜର ପଡ଼ିଥିଲା ଏହି ଘଟଣା ଉପରେ । ସେ ସଙ୍ଗେ ସଙ୍ଗେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଖବର ଦେଇଥିଲେ । ଗଣମାଧ୍ୟମ ପ୍ରତିନିଧି ଘଟଣା ସମ୍ପର୍କରେ ସ୍ଥାନୀୟ ବିଡ଼ିଓଙ୍କ ସହିତ ବିଧାୟକଙ୍କ ନଜରକୁ ଆଣିଥିଲେ। ଖବରପାଇ ବିଧାୟକ ରାଜକିଶୋର ଦାସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଦିଗରେ ବିହୀତ ପଦକ୍ଷେପ ଗ୍ରହଣ କରିଥିଲେ।ଅପରପକ୍ଷରେ ବୃଦ୍ଧା କାଞ୍ଚନଙ୍କୁ ତୁରନ୍ତ ଉଦ୍ଧାର କରି ବୃଦ୍ଧାଶ୍ରମ ନେବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ସହିତ ସରପଞ୍ଚ। ଏନେଇ ମୋରଡା ବିଧାୟକ ରାଜକିଶୋର ଦାସଙ୍କ ମତାମତ ନେବାରୁ କହିଥିଲେ ଯେ ମୁଁ ଗଣମାଧ୍ୟମ ପାଖରୁ ଖବରପାଇଲି । ପ୍ରଥମେ କାଞ୍ଚନଙ୍କୁ ମେଡିକାଲ ନେବାର ବ୍ୟବସ୍ଥା କରିବା ସହିତ ସଙ୍ଗେ ସଙ୍ଗେ ମୋରଡା ବିଡ଼ିଓ ଅଣାକାର ନାୟକ ସହିତ ଆଲୋଚନା କରି କହିଥିଲେ ତୁରନ୍ତ ପଦକ୍ଷେପ ନେଇ ବୃଦ୍ଧା ଆଶ୍ରମ ନେବାକୁ । କିନ୍ତୁ ଆମ୍ବୁଲାନ୍ସ ନ ଆସିବାରୁ ବିଧାୟକ ନିଜେ ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରି ଆମ୍ବୁଲାନ୍ସରେ ମେଡିକାଲ ନେବାର ବ୍ୟବସ୍ଥା କରିଥିଲେ । ସାଙ୍ଗରେ ଥିଲେ ମୋରଡା ବ୍ଲକ ଅଧ୍ୟକ୍ଷ ପିଥନାଥ ସୋରେନ ।