ଭଦ୍ରକ: ପାରିବାରିକ କଳହର କରୁଣ ପରିଣତି । ଜୀବନ ହାରିଲେ ଦୁଇ ଭାଇ ଭଉଣୀ । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ କୋଠାର ପଞ୍ଚାୟତ କୋଠାର ଗ୍ରାମରେ । ମୃତକ ଭାଇ ଏବଂ ଭଉଣୀ ହେଲେ ସନାତନ ବେହେରା ଓ ନିରୁପମା ବେହେରା । ପାରିବାରିକ କଳହକୁ କେନ୍ଦ୍ର କରି ଦୁହେଁ ଜୀବନ ହାରିଥିବା ଚର୍ଚ୍ଚା ହେଉଛି । ଭାଇର ମୃତ୍ୟୁ ଖବର ଶୁଣିବା ପରେ ଭଉଣୀ ଜଣଙ୍କ ଜୀବନ ହାରିଥିବା ଜଣାପଡିଛି । ବିଦ୍ୟାଧର ବେହେରାଙ୍କ ପୁଅ ସନାତନ ବେଙ୍ଗାଲୁରୁରେ ରହି କାମ କରୁଥିଲେ । ବେଙ୍ଗାଲୁରୁରୁ ଫେରି ଗତ ୧୫ ଦିନ ହେଲା ଗାଁରେ ଥିଲେ। ଶନିବାର କୌଣସି ପାରିବାରିକ କଳହକୁ କେନ୍ଦ୍ର କରି ସନାତନ ନିଜକୁ ଘର ଭିତରେ ବନ୍ଦ କରି ଦେଇଥିଲେ । କିଛି ସମୟ ଧରି ସମସ୍ତେ ଡାକି ଡାକିଥିଲେ ମଧ୍ୟ ସେ କବାଟ ଖୋଲି ନଥିଲେ ।
ଶେଷରେ ଘର କବାଟ ଭାଙ୍ଗିବା ପରେ ପୁଅର ଝୁଲନ୍ତା ଅବସ୍ଥାରେ ଦେଖି ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ବିଦ୍ୟାଧର ବେହେରାଙ୍କ ବଡ଼ ଭାଇ ଝିଅ ନିରୁପମା ଜାଣିବା ପରେ ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଥିଲା । ଭାଇ ଏବଂ ଭଉଣୀ କାହିଁକି ଜୀବନ ହାରିଲେ ତାର କାରଣ ସ୍ପଷ୍ଟ ହୋଇପାରିନି । ଧୂଷୁରୀ ଥାନା ପୋଲିସ ଏନେଇ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇ ଦିଆଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ । ସେହିପରି ଘଟଣା ପଛରେ ପ୍ରକୃତ କ’ଣ କାରଣ ରହିଛି, ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ।