18.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ବିଲ୍ ଗେଟ୍‌ସ; ଏଆଇ, କୃଷି ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂଆ ଉଦ୍ଭାବନ...

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ବିଲ୍ ଗେଟ୍‌ସ; ଏଆଇ, କୃଷି ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂଆ ଉଦ୍ଭାବନ ଉପରେ ଆଲୋଚନା

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ କମ୍ପାନୀର ସହ ପ୍ରତିଷ୍ଠାତା ତଥା ବିଶ୍ୱର ୭ମ ସର୍ବବୃହତ୍ ଧନୀବ୍ୟକ୍ତି (ଫୋବର୍ସ ରିପୋର୍ଟ ଅନୁସାରେ ବିଲ୍ ଗେଟ୍‌ସଙ୍କ ସମ୍ପତ୍ତି ପରିମାଣ ସମ୍ପ୍ରତି ୧୨୮.୧ ବିଲିଅନ ଡଲାର ଅର୍ଥାତ୍ ୧୦.୬୧ ଲକ୍ଷ କୋଟି ଟଙ୍କା ରହିଛି) ବିଲ୍ ଗେଟ୍‌ସ ସମ୍ପ୍ରତି ଭାରତ ଗସ୍ତରେ ରହିଛନ୍ତି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସେ ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଉଭୟଙ୍କ ମଧ୍ୟରେ ଏଆଇ ଟେକ୍ନୋଲୋଜି, କୃଷି, ମହିଳା ସଶକ୍ତିକରଣ, ଆୟବୃଦ୍ଧି, ପାଣିପାଗ ପରିବର୍ତ୍ତନ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂଆ ନୂଆ ଉଦ୍ଭାବନ, ଗବେଷଣାର ଆବଶ୍ୟକତା, ପ୍ରଚଳିତ ବ୍ୟବସ୍ଥାର ପରିବର୍ତ୍ତନ ଏବଂ ସର୍ବୋପରି ବୈଶ୍ୱିକସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ଜଣାପଡିଛି । ବିଲ୍ ଗେଟ୍‌ସଙ୍କ ସହ ସାକ୍ଷାତକାର ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ନିଜ ଭାବ ପ୍ରକାଶ କରିବାକୁ ଯାଇ ନିଜ ସୋସିଆଲ ଆକାଉଣ୍ଟରେ ‘ୱଣ୍ଡରଫୁଲ୍‌’ ବୋଲି ଉଲ୍ଲେଖ କରିଛନ୍ତି । ପୃଥିବୀ ପୃଷ୍ଠର ବିକାଶ ତଥା ସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଏବଂ ବିଶ୍ୱର ପ୍ରତ୍ୟେକ ନାଗରିକଙ୍କ ବିକାଶ, ଅଭିବୃଦ୍ଧି ତଥା ସେମାନଙ୍କୁ ସଶକ୍ତ କରୁଥିବା ଆଦି ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବାରେ ବେଶ୍ ଆନନ୍ଦ ମିଳିଥାଏ । ଆଜି ଏହି ଆନନ୍ଦ ବିଲ୍ ଗେଟ୍‌ସଙ୍କ ସହ କଥା ହେବାରେ ସେ ଅନୁଭବ କରିଛନ୍ତି । ଅନ୍ୟପକ୍ଷେ ବିଲ୍ ଗେଟ୍‌ସ ନିଜ ସୋସିଆଲ ଆକାଉଣ୍ଟ ଏକ୍ସ’ ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତକାର ସଦାସର୍ବଦା ପ୍ରେରଣାଦାୟୀ ହୋଇଥାଏ । ଆଜିର ସାକ୍ଷାତକାରରେ ମଧ୍ୟ ଭାରତ ଠାରୁ ସମଗ୍ର ବିଶ୍ୱ କ’ଣ ଶିକ୍ଷା ଗ୍ରହଣ କରିପାରିବ ସେସମ୍ପର୍କରେ ଉଭୟ ଆଲୋଚନା କରିଥିଲେ । ଏତଦ୍‌ବ୍ୟତୀତ ବିଲ୍ ଗେଟ୍‌ସ ଏଠାରେ ଦେଖିଥିବା ଭାରତ ସରକାରଙ୍କ ସ୍ୱଦେଶୀ ମୋବାଇଲ ହସ୍ପିଟାଲ ପରିଯୋଜନା ‘ଭୀଷ୍ମ କ୍ୟୁବ’ର ମଧ୍ୟ ବେଶ୍ ତାରିଫ କରିଛନ୍ତି । ସେହିପରି ଭାରତର ଜି-୨୦ରେ ଅଧ୍ୟକ୍ଷତା, ମହିଳାଙ୍କ ଉନ୍ନତି ପାଇଁ ଭାରତ ସରକାରଙ୍କ ଆର୍ଥିକ ସଶକ୍ତିକରଣ ଯୋଜନାକୁ ମଧ୍ୟ ବେଶ୍ ପ୍ରଶଂସା କରିଛନ୍ତି । ନିଜ ପୋଷ୍ଟରେ ବିଲ୍ ଗେଟ୍‌ସ ଉଲ୍ଲେଖ କରିଛନ୍ତି ଯେ, ଭାରତ ଶିକ୍ଷା ଏବଂ ଟେକ୍ନୋଲୋଜି ଟ୍ରାନ୍ସଫର ମାଧ୍ୟମରେ କ୍ରସ-କଣ୍ଟ୍ରି ସହଯୋଗକୁ ବଢ଼ାଇବା ଦିଗରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ସୂଚନାଯୋଗ୍ୟ, ଭାରତ ଗସ୍ତ ଅବସରରେ ବିଲ୍ ଗେଟ୍‌ସ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ କରି ସାରିବା ପରେ କିଛି କେନ୍ଦ୍ରମନ୍ତ୍ରୀମାନଙ୍କ ସହ ମଧ୍ୟ ସାକ୍ଷାତ କରିଥିବା ଜଣାପଡିଛି । ଏହି କେନ୍ଦ୍ରମନ୍ତ୍ରୀମାନଙ୍କ ମଧ୍ୟରେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର, ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ, ସହର ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ ପ୍ରମୁଖ ସାମିଲ ଅଛନ୍ତି । ପ୍ରକାଶ, ବିଲ୍ ଗେଟ୍‌ସ ଗତ ମଙ୍ଗଳବାର ଦିନ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡ଼ିଶା ସରକାରଙ୍କ ବରିଷ୍ଠ ପଦାଧିକାରୀଙ୍କ ସହ ସାକ୍ଷାତ ତଥା ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking