26.1 C
Bhubaneswar
Friday, September 20, 2024
Homeଓଡିଶାସତ୍ୟବାଦୀରୁ କିଏ ହେବ ପାର୍ଥୀ ?

ସତ୍ୟବାଦୀରୁ କିଏ ହେବ ପାର୍ଥୀ ?

ପୁରୀ : ପୁରୀ ଜିଲ୍ଲାର ସତ୍ୟବାଦୀରୁ କିଏ ପାର୍ଥୀ ହେବ ଏହାକୁ ନେଇ ଲାଗିଥିବା କଳି ତୀବ୍ର ହେବାରେ ଲାଗିଛି । ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ କୁମାର ଦାସବର୍ମା ସଭାସମିତି କରି ସତ୍ୟବାଦୀରୁ ଲଢ଼ୁଥିବା ନେଇ ନେତା, କର୍ମୀଙ୍କୁ କହିବାର ଭିଡିଓ ଭାଇରାଲ୍‌ ହେବା ପରେ ଏହି ବିବାଦ ଉଗ୍ରରୂପ ନେଇଛି। ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ତାଙ୍କ ସମର୍ଥକମାନେ ପ୍ରତିକ୍ରିୟାଶୀଳ ହୋଇଛନ୍ତି। ବିବାଦ ବଢ଼ିବା ପରେ ଆଜି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ହସ୍ତକ୍ଷେପ କରିଛନ୍ତି। ପ୍ରଥମେ ଶଙ୍ଖ ଭବନ ଓ ପରେ ନବୀନ ନିବାସରେ ଦୁଇ ନେତାଙ୍କୁ ନେଇ ବୈଠକ କରାଯାଇଛି। କିନ୍ତୁ ଗତକାଲିର ବୈଠକ ପରେ ସଂଜୟ ସତ୍ୟବାଦୀରୁ ଲଢ଼ିବା ସ୍ପଷ୍ଟ ହୋଇଥିବା ରାଜନୈତିକ ସମୀକ୍ଷକମାନେ ମତପୋଷଣ କରିଛନ୍ତି। ଗତକାଲି ସଂଜୟ ଧଉଳିଠାରେ କଣାସ ବ୍ଲକର ଦୋଛିଆଁ , ଗଡ଼ଖାରଦ ପଞ୍ଚାୟତ ସତ୍ୟବାଦୀ ବ୍ଲକର କାଦୁଆ, ଶ୍ରୀରାମଚନ୍ଦ୍ରପୁର, ରାୟଖଣ୍ଡି, ପେଣ୍ଠପଡ଼ା, ପରଜାପଡ଼ା ଆଦି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ସରପଞ୍ଚ, ପୂର୍ବତନ ବ୍ଲକ ଅଧ୍ୟକ୍ଷ, ପୂର୍ବତନ ଜିଲ୍ଲା ପରିଷଦଙ୍କଠାରୁ ଆରମ୍ଭ କରି ବହୁ ବରିଷ୍ଠ ନେତାଙ୍କୁ ନେଇ ବୈଠକ କରିଥିଲେ। ଯେଉଁଥିରେ ପରଜାପଡ଼ା ସମିତି ସଭ୍ୟ ରାମଚନ୍ଦ୍ର ମହାନ୍ତି, ରାୟଖଣ୍ଡି ସମିତି ସଭ୍ୟ ପ୍ରେମାନନ୍ଦ ବେହେରା, ୩ଥର ବ୍ଲକ ଅଧ୍ୟକ୍ଷ ଓ ଗୋଟିଏ ଥର ଜିଲ୍ଲା ପରିଷଦ ହୋଇଥିବା ବରିଷ୍ଠ ନେତା ପ୍ରହଲ୍ଲାଦ ଘଟୁଆରି, ଦେବାଶିଷ ରାୟ ଓ ପ୍ରମୋଦ ଛାଟୋଇ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ସଂଜୟ ନେତାଙ୍କ ସହ ଆଲୋଚନା ବେଳେ କେଉଁଠାରୁ ସେ ଲଢ଼ିବେ ବୋଲି ନେତା ଓ କର୍ମୀମାନେ ପ୍ରଶ୍ନ କରିଥିଲେ। ଯେଉଁଥିରେ ସଂଜୟ ଦୃଢ଼ତାର ସହ କହିଛନ୍ତି ଯେ ସେ ସତ୍ୟବାଦୀରୁ ଲଢ଼ୁଛନ୍ତି। ଏହା ବିଜେଡି ସୁପ୍ରିମୋ ଓ ୫-ଟି ଅଧ୍ୟକ୍ଷ ସ୍ପଷ୍ଟ କରି ସାରିଛନ୍ତି। ବିଧାୟକ ଉମାକାନ୍ତ ସାମନ୍ତରାୟ କହିଛନ୍ତି, ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା ନିଷ୍ପତ୍ତି ନେବେ ତାହା ସର୍ବମାନ୍ୟ। କିନ୍ତୁ ମୁଖ୍ୟମନ୍ତ୍ରୀ ଆଜି ପର୍ଯ୍ୟନ୍ତ ମୋତେ ବ୍ରହ୍ମଗିରିରୁ ଲଢ଼ିବା ନେଇ କିଛି କହିନାହାନ୍ତି। ମୋର ଜନ୍ମ ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ। ମୁଁ ଏଠାରେ ସ୍ବାଧୀନ ଭାବେ ବିଧାୟକ ହୋଇଥିଲି ଓ ପରେ ବିଜେଡିରୁ ବିଧାୟକ ହୋଇଛି। ଏଣୁ ମୁଁ ସତ୍ୟବାଦୀରୁ ନିର୍ବାଚନ ଲଢ଼ିବି ବୋଲି ଆଶା ରଖିଛି। ମୋ ନିର୍ବାଚନମଣ୍ଡଳୀର ଲୋକେ ବି ମୋତେ ବିଧାୟକ ଭାବେ ଲଢ଼ିବାକୁ ଚାହୁଛନ୍ତି। ଶ୍ରୀ ସାମନ୍ତରାୟ କହିଛନ୍ତି, ନିଜ ନିର୍ବାଚନମଣ୍ଡଳୀ ଛାଡ଼ି ସଂଜୟ ଅନ୍ୟ ନିର୍ବାଚନମଣ୍ଡଳୀରୁ କାହିଁକି ଲଢ଼ିବାକୁ ଚାହୁଁଛନ୍ତି, ତାହା ଏକ ବଡ଼ ପ୍ରଶ୍ନ। କିନ୍ତୁ ସେ କେଉଁଥିପାଇଁ ଏଭଳି କହୁଛନ୍ତି, ମୁଁ ଜାଣିନି। ସଂଜୟ ତାଙ୍କ ସହିତ ଏ ସଂପର୍କରେ ଆଲୋଚନା କରିନାହାନ୍ତି ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking