ହମାସ: ହମାସ୍ ବିଦ୍ରୋହୀ ଗୋଷ୍ଠୀଙ୍କ ଉପରେ ଆକ୍ରମଣ ଜାରି ରଖିଥିବା ଇସ୍ରାଏଲ ସେନାର ଆଉ ଏକ ନରସଂହାର ଘଟଣା ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ହମାସ୍ ପ୍ରାନ୍ତରେ ଇସ୍ରାଏଲ ସେନା ପକ୍ଷରୁ ଶନିବାର କରାଯାଇଥିବା ଏୟାରଷ୍ଟ୍ରାଇକ୍ରେ ମୋଟ୍ ୨୮ଜଣ ପାଲେଷ୍ଟାନୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । ତେବେ ଦୁଃଖଦ ବିଷୟ ହେଉଛି ଏହି ୨୮ମୃତକଙ୍କ ମଧ୍ୟରେ ପ୍ରାୟ ୧୦ଜଣ ଛୋଟ ପିଲା ମଧ୍ୟ ଅଛନ୍ତି । ଏମାନଙ୍କ ବୟସ ୩ ମାସରୁ ୯/୧୦ ବର୍ଷ ମଧ୍ୟରେ ହେବ । ଶନିବାର ହମାସ୍ ପ୍ରାନ୍ତର ରଫାହ ଅଞ୍ଚଳରେ ଇସ୍ରାଏଲର ବାୟୁସେନା ପକ୍ଷରୁ ୩ଥର ଏୟାରଷ୍ଟ୍ରାଇକ୍ କରାଯାଇଥିଲା । ଏଥିରେ ବ୍ୟାପକ କ୍ଷୟକ୍ଷତି ହେବା ସହ ୩ ପରିବାରର ସମସ୍ତ ସଦସ୍ୟଙ୍କ ସହ ୨୮ଜଣ ପ୍ରାଣ ହରାଇଥିବା ବିବିସି ରିପୋର୍ଟ ପ୍ରକାଶ କରିଛି । ସୂଚନାଯୋଗ୍ୟ, ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରଫାହା ଅଞ୍ଚଳରୁ ସାଧାରଣ ନାଗରିକଙ୍କୁ ସ୍ଥାନାନ୍ତରଣ କରିବା ପାଇଁ ଚେତାବନୀ ଦେବା ସହ ହମାସ୍ ଉପରେ ଆକ୍ରମଣ କରାଯିବା ନେଇ ଘୋଷଣା କରିସାରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଏଠାରେ ପ୍ରାୟ ୧୨ଲକ୍ଷ ଲୋକ ଫସି ରହିଥିବା ବେଳେ ଏମାନଙ୍କ ମଧ୍ୟରେ କୌଣସି ମୁହୂର୍ତ୍ତରେ ଏୟାରଷ୍ଟ୍ରାଇକ୍ ହେବା ନେଇ ଭୟ ସଞ୍ଚାର ହୋଇଛି ।