22.1 C
Bhubaneswar
Friday, November 29, 2024
Homeଓଡିଶାଅର୍ପଣ ରଥ ଚାଉଳରେ ପ୍ରସ୍ତୁତ ହେଲା ଖିରି, ଖେଚୁଡ଼ି ଓ କାନିକା

ଅର୍ପଣ ରଥ ଚାଉଳରେ ପ୍ରସ୍ତୁତ ହେଲା ଖିରି, ଖେଚୁଡ଼ି ଓ କାନିକା

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଅର୍ପଣ ରଥରେ ସଂଗୃହୀତ ଅରୁଆ ଚାଉଳରେ ପ୍ରସ୍ତୁତ ଭୋଗକୁ ମହାପ୍ରଭୁଙ୍କ ନିକଟରେ ଲାଗି କରାଯାଇଛି । ସକାଳ ଧୂପରେ ଖେଚୁଡ଼ି ଭୋଗ ଲାଗି କରାଯିବା ସହ ଅନ୍ୟ ଧୂପରେ କାନିକା ଭୋଗ ପରେ ଭକ୍ତଙ୍କ ମଧ୍ୟରେ ଏହାକୁ ବଣ୍ଟନ କରାଯାଇଥିଲା । ଶ୍ରୀମନ୍ଦିର ସିଂହଦ୍ୱାରକୁ ଛାଡ଼ି ଅନ୍ୟ ତିନିଦ୍ୱାରରେ ଏହି ଖେଚୁଡ଼ି ଭୋଗ ବଣ୍ଟନ କରାଯାଇଥିଲା । ଏଥିସହ ସୁଆର ମହାସୁଆର ନିଯୋଗ ପକ୍ଷରୁ ଭକ୍ତଙ୍କୁ ଖେଚୁଡ଼ି ଓ କାନିକା ଭୋଗ ପ୍ରଦାନ କରାଯାଇଥିଲା ।

ତେବେ ମହାପ୍ରଭୁଙ୍କ ଏହି ଖେଚୁଡ଼ି କାନିକା ମହାପ୍ରସାଦ ପାଇ ଭକ୍ତ ମାନେ ବେଶ୍ ଭାବ ବିହ୍ୱଳ ହୋଇପଡ଼ିଥିଲେ । ସେପଟେ ପ୍ରତ୍ୟେକ ଧୂପରେ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗି କରାଯାଇ ଭକ୍ତଙ୍କ ମଧ୍ୟରେ ଏହା ବଣ୍ଟନ କରାଯିବ ବୋଲି ସୁଆର ମହାସୁଆର ନିଯୋଗ ପକ୍ଷରୁ କୁହାଯାଇଥିଲା । ନିଯୋଗ ସମ୍ପାଦକ ନାରାୟଣ ମହାସୁଆରଙ୍କ ସୂଚନା ଅନୁସାରେ ମହାପ୍ରଭୁଙ୍କର ଦୈନନ୍ଦିନ ବିଭିନ୍ନ ଧୂପ ନୀତି ଅନୁଷ୍ଠିତ ହେଉଥିବା ବେଳେ ପ୍ରତ୍ୟେକ ଧୂପରେ ଭକ୍ତ ଦାନ କରିଥିବା ଚାଉଳରୁ ଭୋଗ ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କ ପାଖରେ ଲାଗି କରାଯିବ । ଖେଚୁଡ଼ି, କାନିକା ପ୍ରସ୍ତୁତ କରାଯାଇ ମହାପ୍ରସାଦ ଭାବେ ଭକ୍ତଙ୍କୁ ଶ୍ରୀମନ୍ଦିର ସିଂହଦ୍ୱାର ଛାଡ଼ି ଅନ୍ୟ ତିନି ଦ୍ୱାରରେ ଏହାକୁ ବଣ୍ଟାଯାଉଛି ।

ଅର୍ପଣ ରଥରୁ ସଂଗୃହୀତ ଚାଉଳକୁ ସୁରକ୍ଷିତ ଭାବେ ଗୁଣ୍ଡିଚା ମନ୍ଦିରରେ ରଖାଯାଇଛି । ମହାପ୍ରଭୁଙ୍କ ଠାରେ ଭୋଗ ଲାଗି ହେବା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଗଠିତ ସ୍ୱତନ୍ତ୍ର କମିଟିର ସଦସ୍ୟମାନେ ପ୍ରଥମେ ଚାଉଳର ମାନ ଯାଞ୍ଚ କରି ଶ୍ରୀମନ୍ଦିର ରୋଷ ଶାଳାକୁ ଯୋଗାଉଛନ୍ତି । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଚାଉଳ ଦାନ କରିଥିବାରୁ ଏହି ଚାଉଳ କିଭଳି ମହାପ୍ରଭୁଙ୍କ ଭୋଗରେ ଲାଗିପାରିବ ସେଦିଗରେ ଶ୍ରୀମନ୍ଦିର ପ୍ରଶାସନ ବିଶେଷ ଗୁରୁତ୍ୱ ଦେଇଛି । ସଂଗୃହୀତ ଚାଉଳକୁ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗି କରିବା ପାଇଁ ଯେଭଳି କୌଣସି ପ୍ରକାର ଅସୁବିଧା ସୃଷ୍ଟି ନହୁଏ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି ।

ନିୟମିତ ବ୍ୟବଧାନରେ ବୈଠକ ବସି ଏହି କାର୍ଯ୍ୟକୁ କିଭଳି ତ୍ୱରାନ୍ୱିତ କରାଯାଇପାରିବ ସେ ବିଷୟରେ କମିଟି ପକ୍ଷରୁ ଆଲୋଚନା କରାଯାଉଛି । ତେବେ ଅର୍ପଣ ରଥରୁ ସଂଗୃହୀତ ଚାଉଳରୁ ପ୍ରତିଦିନ ଶହେ ହାଣ୍ଡି ଖେଚୁଡ଼ି ଓ କାନିକା ପ୍ରସ୍ତୁତ କରାଯାଇ ଭକ୍ତଙ୍କ ମଧ୍ୟରେ ବଣ୍ଟାଯିବାର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ସୁଆର ମହାସୁଆର ନିଯୋଗ ସମ୍ପାଦକ । ସେପଟେ ଅର୍ପଣ ରଥରୁ ସଂଗୃହୀତ ପ୍ରାୟ ୩କୋଟିରୁ ଊର୍ଦ୍ଧ୍ୱ ଦାନ ଟଙ୍କା ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିଛି । ତେବେ ଅନ୍ୟ କେତେକ ଜିଲ୍ଲାରୁ ଦାନ ଟଙ୍କା ପହଞ୍ଚି ନଥିବାରୁ ଏହା ତିନି କୋଟିକୁ ଟପି ଯିବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking