30.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶଶିନ୍ଦେ ଗୋଷ୍ଠୀ ନେତାଙ୍କୁ ଗୁଳିମାଡ଼: ସିସିଟିଭିରେ ରେକର୍ଡ ହେଲା ପୁରା ଘଟଣା; ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି...

ଶିନ୍ଦେ ଗୋଷ୍ଠୀ ନେତାଙ୍କୁ ଗୁଳିମାଡ଼: ସିସିଟିଭିରେ ରେକର୍ଡ ହେଲା ପୁରା ଘଟଣା; ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ

ଥାଣେ:ମହାରାଷ୍ଟ୍ରର ଥାଣେ ଜିଲ୍ଲାର ଉହ୍ଲାସନଗର ପୁଲିସ୍ ଷ୍ଟେସନ୍‌ରେ ଗୁଳିକାଣ୍ଡ ଘଟଣାରେ ବିଜେପି ବିଧାୟକ ଗଣପତ୍ ଗାୟକୱାଡ୍ ଏବଂ ତାଙ୍କର ଅନ୍ୟ ୨ ସହଯୋଗୀଙ୍କୁ ଗିରଫ କରାଯିବା ସହ ୧୪ ପର୍ଯ୍ୟନ୍ତ ପୁଲିସ୍ କଷ୍ଟଡିରେ ପଠାଇ ଦିଆଯାଇଛି । କୋର୍ଟରେ ଗଣପତ୍ ନିଜ ସଫେଇରେ କହିଛନ୍ତି, ଶିବସେନା ନେତା ମହେଶ ଗାୟକୱାଡ୍‌ଙ୍କ ଲୋକମାନେ ତାଙ୍କ ପୁଅଙ୍କୁ ପୁଲିସ୍ ଉପସ୍ଥିତିରେ ଏବଂ ତାଙ୍କ ସମ୍ମୁଖରେ ମାଡ ମାରିଥିଲେ । ସେ କେବଳ ପୁଅକୁ ସେମାନଙ୍କ କବଳରୁ ବଞ୍ଚାଇବା ଏବଂ ନିଜ ଆତ୍ମସୁରକ୍ଷା ପାଇଁ ଫାଙ୍କା ଗୁଳି ଚଳାଇଥିଲେ, ଯାହାକି କୋର୍ଟଙ୍କୁ ଆଶ୍ୱସ୍ତ କରିପାରିନାହିଁ । ଅନ୍ୟପକ୍ଷେ ମହେଶ ଏବଂ ତାଙ୍କ ସହଯୋଗୀମାନେ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ ଗଣପତ୍ କହିଛନ୍ତି, ସେ ଯାହା କରିଛନ୍ତି ସେଥିପାଇଁ ତାଙ୍କର କୌଣସି ପଶ୍ଚାତାପ ନାହିଁ । ପୁଲିସ ଉପସ୍ଥିତିରେ ଯଦି ତାଙ୍କ ପୁଅକୁ ତାଙ୍କରି ଆଖି ସମ୍ମୁଖରେ ମାଡ ମାରିବ ତେବେ ବାପା ହିସାବରେ ସେ କ’ଣ କରିବେ? ଏହି ଅବସରରେ ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଏକନଥା ଶିନ୍ଦେ, ମହାରାଷ୍ଟ୍ରରେ ଅସାମାଜିକ ତତ୍ତ୍ୱଙ୍କୁ ନେଇ ନିଜର ଏକ ସାମ୍ରାଜ୍ୟ ଗଠନ କରିବାକୁ ଚାହୁଁଛନ୍ତି । ଶିନ୍ଦେ, ଉଦ୍ଧବ ଠାକୁରଙ୍କୁ ଧୋକା ଦେଇଛନ୍ତି, ଆଗକୁ ବିଜେପିକୁ ମଧ୍ୟ ଧୋକା ଦେବେ । ତାଙ୍କୁ (ଗଣପତ୍‌) ମଧ୍ୟ ନିଜ ଦଳକୁ ଆସିବା ପାଇଁ ଏକନାଥ ଶିନ୍ଦେ କୁଆଡେ କୋଟି କୋଟି ଟଙ୍କାର ଲାଞ୍ଚ ଦେଖାଇସାରିଛନ୍ତି ।

ମହାରାଷ୍ଟ୍ରକୁ ବଞ୍ଚାଇବାକୁ ହେଲେ ଏକନାଥ ଶିନ୍ଦେ ଭଳି ନେତା ଇସ୍ତଫା ଦେବା ଉଚିତ୍ । ଗଣପତ୍‌, ବିଜେପି ନେତା ତଥା ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଥିବା ଦେବେନ୍ଦ୍ର ଫଡନବୀସ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଏନେଇ ଧ୍ୟାନ ଦେବାକୁ ଅପିଲ୍ କରିଛନ୍ତି । ଯଦି ଏକନାଥ ଶିନ୍ଦେ ମୁଖ୍ୟମନ୍ତ୍ରୀ ରହିବେ ତେବେ ରାଜ୍ୟରେ କେବଳ ଅପରାଧୀ ହିଁ ଜନ୍ମ ହେବେ । ଆଜି ତାଙ୍କ (ଗଣପତ୍‌) ଭଳି ଜଣେ ସରଳ ଲୋକକୁ ମଧ୍ୟ ଶିନ୍ଦେ ଅପରାଧୀ ସଜାଇଦେଇଛନ୍ତି ବୋଲି ଗଣପତ୍ କହିଛନ୍ତି ।

ଅନ୍ୟପକ୍ଷେ ରାଜ୍ୟରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀ ଶିନ୍ଦେ ଇସ୍ତଫା ଦିଅନ୍ତୁ ବୋଲି ପ୍ରଦେଶ କଂଗ୍ରେସ ଏବଂ ଉଦ୍ଧବ ଠାକ୍‌ରେ ନେତୃତ୍ୱାଧୀନ ଶିବସେନା ଗୋଷ୍ଠୀ, ଏନ୍‌ସିପି ସମେତ ଅନ୍ୟ ବିରୋଧୀ ଦଳ ଦାବି କରିଛନ୍ତି । ଅପରପକ୍ଷେ ପ୍ରଦେଶ ବିଜେପି ପକ୍ଷରୁ ଏପର୍ଯ୍ୟନ୍ତ ଏନେଇ କୌଣସି ବିବୃତି ଦିଆଯାଇନାହିଁ । ତେବେ ଗଣପତ୍‌ଙ୍କ ଏପ୍ରକାର ବିବୃତି ଏବଂ ଅଭିଯୋଗ, ତଥା ଘଟିଯାଇଥିବା ଘଟଣାକୁ ନେଇ ଆଗାମୀ ଦିନରେ ରାଜ୍ୟରେ ବିଜେପି ଏବଂ ଏକନାଥ ଶିନ୍ଦେ ଗୋଷ୍ଠୀଙ୍କ ମଧ୍ୟରେ ଥିବା ମେଣ୍ଟ ଉପରେ ପ୍ରଭାବ ପଡିବ ବୋଲି ଆଶଙ୍କା କରାଯାଉଛି ।

ପ୍ରକାଶ, ମହାରାଷ୍ଟ୍ରର ଥାଣେ ଜିଲ୍ଲା ଅନ୍ତର୍ଗତ କଲ୍ୟାଣ ଇଷ୍ଟ ଆସନରୁ ଗଣପତ୍ ଗାୟକୱାଡ ବିଜେପି ବିଧାୟକ ଅଛନ୍ତି । ସେହିପରି କଲ୍ୟାଣ ଅଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଗୋଷ୍ଠୀର ନେତା ଭାବେ ମହେଶ ଗାୟକୱାଡ୍ କାମ କରୁଛନ୍ତି । ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ଏକ ଜମିକୁ ନେଇ ବିବାଦ ରହିଆସିଛି । ତେବେ ଏହି ମାମଲାରେ ଗଣପତ୍‌ଙ୍କ ପୁଅ ଉହ୍ଲାସନଗରରେ ଥିବା ହିଲ୍ ଲାଇନ୍ ପୁଲିସ୍ ଷ୍ଟେସନ୍‌ରେ ମହେଶ ଗାୟକୱାଡ୍‌ଙ୍କ ବିରୋଧରେ ମାମଲା ରୁଜୁ କରିିବା ପାଇଁ ଆସିଥିଲେ । ଏହି ସମୟରେ ମହେଶ ଏବଂ ଗଣପତ୍ ନିଜ ନିଜ ସମର୍ଥକ ସହଯୋଗୀଙ୍କ ସହ ଏଠାରେ ଆସି ପହଞ୍ôଚଥିଲେ ।

ଉଭୟ ନେତାଙ୍କୁ ପୁଲିସ୍ ଷ୍ଟେସନ୍‌ର ଜଣେ ବରିଷ୍ଠ ଇନ୍ସପେକ୍ଟରଙ୍କ ଚାମ୍ବରରେ ବସି ଆପୋଷ ବୁଝାମଣା ମାଧ୍ୟମରେ ବିବାଦର ସମାଧାନର ରାସ୍ତା ବାହାର କରିବା ପାଇଁ ଏକ ପ୍ରୟାସ ପୁଲିସ୍ ଟିମ୍ ପକ୍ଷରୁ କରାଯାଇଥିଲା । ଉଭୟ ପକ୍ଷ ମଧ୍ୟରେ ସ୍ୱାଭାବିକ୍ ଆଲୋଚନା ଚାଲିଥିବା ବେଳେ ହଠାତ୍ ଗଣପତ୍ ଉଠିପଡି ନିଜ ସାଙ୍ଗରେ ଆଣିଥିବା ବନ୍ଧୁକ ଶିବସେନା ନେତା ମହେଶଙ୍କ ଆଡକୁ ଦେଖାଇ ଗୁଳି ଚଳାଇଥିଲେ । ଏସବୁ ଘଟଣା ଉକ୍ତ ରୁମ୍‌ରେ ଲାଗିଥିବା ସିସିଟିଭିରେ ରେକର୍ଡ ହୋଇଥିଲା, ଯାହାକି ସ୍ପଷ୍ଟ ଦେଖିବାକୁ ମିଳିଛି । ୨ ମିନିଟର ଏହି ଭିଡିଓ ଆଧାରରେ ଗଣପତ୍ ଏବଂ ତାଙ୍କ ୨ ସହଯୋଗୀଙ୍କୁ ପୁଲିସ୍ ଗିରଫ କରିଛି ଏବଂ କୋର୍ଟରେ ହାଜର କରାଇବା ପୂର୍ବକ ୧୪ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking