32.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶହେମନ୍ତଙ୍କ ପରେ ଏବେ କାହା ପାଳି?; ଇଡି ରାଡାରରେ କେଜରିୱାଲ୍‌ଙ୍କ ସମେତ ଅନେକ ନେତା

ହେମନ୍ତଙ୍କ ପରେ ଏବେ କାହା ପାଳି?; ଇଡି ରାଡାରରେ କେଜରିୱାଲ୍‌ଙ୍କ ସମେତ ଅନେକ ନେତା

ନୂଆଦିଲ୍ଲୀ: ଇଡି ଜାଲରେ ଛନ୍ଦି ହୋଇ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ବାଧ୍ୟତାମୂଳକ ଇସ୍ତଫା ଦେଇଥିବା ହେମନ୍ତ ସୋରେନ୍‌ଙ୍କ ପରେ ଏବେ କାହା ପାଳି? ଇଡି ଏବେ ଆଉ କେଉଁ ରାଜନେତାଙ୍କୁ ଟାର୍ଗେଟ୍ କରିବ? କାରଣ ହେମନ୍ତ ଏକା ନୁହଁନ୍ତି, ଦେଶର ଏପରି ଆଉ କିଛି ନେତା ଅଛନ୍ତି ଯେଉଁମାନେ ଏବେ ଇଡି ସ୍କାନରରେ ରହିଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ମୁଖ୍ୟମନ୍ତ୍ରୀ ରହିଥିବା ବେଳେ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଛନ୍ତି ।

ହେମନ୍ତଙ୍କ ପରେ ଯଦି ଇଡି ଏବେ କାହାପଛରେ ଜୋରସୋରରେ ପଡିଥାଏ ତେବେ ସେ ହେଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଯେବେଠାରୁ ଦିଲ୍ଲୀ ଅବକାରୀ ନୀତିରେ ବ୍ୟାପକ ଦୁର୍ନୀତି ଏବଂ ବ୍ୟାପକ ଟଙ୍କା ହେରଫେର ଘଟଣାରେ କେଜରିୱାଲଙ୍କ ନାମ ସାମ୍ନାକୁ ଆସିଛି ଇଡି ତାଙ୍କୁ ସମନ୍ ଉପରେ ସମନ୍ ପଠାଇଚାଲିଛି । ବର୍ତ୍ତମାନ ସୁଦ୍ଧା ଇଡି ତାଙ୍କୁ ପ୍ରାୟ ୫ଥର ସମନ୍ କରିସାରିଥିଲେ ମଧ୍ୟ କେଜରିୱାଲ, ଇଡି ସମ୍ମୁଖରେ ହାଜର ହୋଇନାହାନ୍ତି । ଅବକାରୀ ଦୁର୍ନୀତି ମାମଲାରେ କେଜରିୱାଲଙ୍କ ସରକାରରେ ଶିକ୍ଷା ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ମନୀଷ ସିସୋଦିଆ ଏବଂ ସାଂସଦ ସଂଜୟ ସିଂହ ଏବେ ଜେଲ୍‌ରେ ଅଛନ୍ତି ।
କେଜରିୱାଲ୍‌ଙ୍କ ବ୍ୟତୀତ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ ମଧ୍ୟ ୧୯୯୫ ମସିହାର ଏକ ମନି ଲଣ୍ଡରିଂ ମାମଲାରେ ଇଡି ରାଡାରରେ ଅଛନ୍ତି । ତାଙ୍କ ବିରୋଧରେ ଇଡି ପ୍ରିଭେନ୍‌ସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲ୍‌ଏ) ଅନ୍ତର୍ଗତ ତଦନ୍ତ ଜାରି ରଖିଛି ।

ସେହିପରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ୍ ରେଡ୍ଡୀ ମଧ୍ୟ ଇଡି ସ୍କାନରରେ ଅଛନ୍ତି । ତାଙ୍କ ବିରୋଧରେ ଭାରତ ସିମେଣ୍ଟର ଆର୍ଥିକ ଅନିୟମିତତା ବିରୋଧରେ ଇଡି ତଦନ୍ତ କରୁଛି । ଏତଦ୍‌ବ୍ୟତୀତ ତେଲେଙ୍ଗାନାରେ ନୂଆକରି ସରକାର ଗଠନ କରିଥିବା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ପଛରେ ମଧ୍ୟ ଇଡି ପଡିଛି । ରେବନ୍ତଙ୍କ ବିରୋଧରେ ମଧ୍ୟ ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଛି ଇଡି । ଏମାନଙ୍କ ସହ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବିରୋଧରେ ମହାଦେବ ବେଟିଂ ଆପ୍ ଠାରୁ କୋଟି କୋଟି ଟଙ୍କା ଲାଞ୍ଚ ସୂତ୍ରରେ ଗ୍ରହଣ କରିଥିବା ଅଭିଯୋଗ ହୋଇଛି । ଇଡି ଏବେ ଏହି ମାମଲାରେ ତଦନ୍ତ କରୁଛି । ମୋଟାମୋଟି ଏସମସ୍ତ ନେତାଙ୍କ ଉପରେ ଏବେ ଇଡି ରୂପକ ଖଣ୍ଡା ଝୁଲୁଥିବା ବେଳେ ଏସବୁ ରାଜ୍ୟରେ କୌଣସି ମୁହୂର୍ତ୍ତରେ ମଧ୍ୟ କିଛି ବି ପରିବର୍ତ୍ତନ ଦେଖିବାକୁ ମିଳିପାରେ ବୋଲି ମତପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking