31.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶଜ୍ଞାନବ୍ୟାପୀରେ ଜାରି ରହିବ ପୂଜାପାଠ; ମୁସଲିମ୍ ପକ୍ଷଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ

ଜ୍ଞାନବ୍ୟାପୀରେ ଜାରି ରହିବ ପୂଜାପାଠ; ମୁସଲିମ୍ ପକ୍ଷଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ

ବାରାଣାସୀ: ବହୁ ଚର୍ଚ୍ଚିତ ଜ୍ଞାନବ୍ୟାପୀ ମାମଲାରେ ଗୁରୁବାର ଆହ୍ଲାବାଦ୍ ହାଇକୋର୍ଟ ପୁଣି ଏକ ହିନ୍ଦୁ ସପକ୍ଷବାଦୀ ରାୟ ଶୁଣାଇଛନ୍ତି । ଜ୍ଞାନବ୍ୟାପୀ ମାମଲାରେ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ୍ କମିଟି ପକ୍ଷରୁ ଆଗତ ପିଟିସନ୍ ଉପରେ ଶୁଣାଣି କରି ହାଇକୋର୍ଟ କହିଛନ୍ତି, ମସଜିଦ୍ ବେସମେଣ୍ଟରେ ଥିବା ତେହଖାନାରେ ପୂଜାପାଠ ଯେମିତି ଚାଲିଛି ସେମିତି ଚାଲିବ । ଏଥିରେ କେହି ବାଧା ସୃଷ୍ଟି କରିପାରିବେ ନାହିଁ । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୬ ତାରିଖରେ ପୁନର୍ବାର କରାଯିବ । ଏହି ସମୟ ସୁଦ୍ଧା ନିଜ ଆବେଦନକୁ ସଂଶୋଧନ କରିବା ସହ ପୁନର୍ବାର ପିଟିସନ୍ ଫାଇଲ୍ କରିବା ପାଇଁ ମୁସଲିମ୍ ପକ୍ଷଙ୍କୁ ହାଇକୋର୍ଟ କହିଛନ୍ତି ।

ଦୁଇ ଦିନ ପୂର୍ବେ ହିନ୍ଦୁପକ୍ଷରୁ ଆଗତ ଏକ ମାମଲାର ଶୁଣାଣି କରିବା ପୂର୍ବକ ବାରାଣସୀ କୋର୍ଟ ହିନ୍ଦୁପକ୍ଷଙ୍କୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଥିବା ଜ୍ଞାନବ୍ୟାପୀ ମସଜିଦ୍‌ର ବେସ୍‌ମେଣ୍ଟ (ବ୍ୟାସ କା ତେହଖାନା)ରେ ପୂଜାର୍ଚ୍ଚନା ଆଦି କରିବାକୁ ଅନୁମତି ପ୍ରଦାନ କରିଥିଲେ । ଏପରିକି ଏନେଇ ଆସନ୍ତା ୭ଦିନ ମଧ୍ୟରେ ସମସ୍ତ ବନ୍ଦୋବସ୍ତ କରିବାକୁ ସ୍ଥାନୀୟ ପ୍ରଶାସନକୁ କୋର୍ଟ ନିର୍ଦ୍ଦେଶ ମଧ୍ୟ ଜାରି କରିଥିଲେ । ଫଳରେ ମୁସଲିମ-ହିନ୍ଦୁ ପକ୍ଷ ମଧ୍ୟରେ ଜ୍ଞାନବ୍ୟାପୀକୁ ନେଇ ଦୀର୍ଘ ୩୦ବର୍ଷ ଧରି ଚାଲିଥିବା ବିବାଦରେ ଆଇନଗତ ପ୍ରଥମ ପର୍ଯ୍ୟାୟ ଲଢ଼େଇରେ ହିନ୍ଦୁପକ୍ଷଙ୍କ ବିଜୟ ହୋଇଥିବା କୁହାଯାଉଛି । ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ଆହ୍ଲାବାଦ୍ ହାଇକୋର୍ଟରେ ମୁସଲିମ୍ ପକ୍ଷ ଚ୍ୟାଲେଞ୍ଜ୍ କରିଥିଲେ । ପିଟିସନ୍ ଆଧାରରେ ଏଠାରେ ହିନ୍ଦୁପକ୍ଷଙ୍କୁ ପୂଜାପାଠ ବନ୍ଦ କରିବାକୁ ଏବଂ ବାରାଣାସୀ କୋର୍ଟ ଦେଇଥିବା ରାୟକୁ ରଦ୍ଦ କରିବାକୁ ମୁସଲିମ୍ ପକ୍ଷ ଦାବି କରିଥିଲେ । ଏହା ଉପରେ ଶୁଣାଣି କରି ଆହ୍ଲାବାଦ୍ ହାଇକୋର୍ଟ ସେମାନଙ୍କ ଆବେଦନକୁ ଖାରଜ କରିବା ସହ ବାରାଣାସୀ କୋର୍ଟଙ୍କ ରାୟ ଉପରେ ରହିତାଦେଶ ଲାଗୁ ହୋଇପାରିବନି ବୋଲି ସ୍ପଷ୍ଟ କରିଛନ୍ତି । ମସ୍‌ଜିଦ୍ ବେସ୍‌ମେଣ୍ଟରେ ହିନ୍ଦୁଧର୍ମ ଅନୁସାରେ ପୂଜାପାଠ ଜାରି ରହିବ ବୋଲି ହାଇକୋର୍ଟ କହିଛନ୍ତି ।

ଅନ୍ୟପକ୍ଷେ ହାଇକୋର୍ଟଙ୍କ ଏପ୍ରକାର ରାୟ ଆସିବା ପରେ ମସଜିଦ୍ କମିଟି ତଥା ମୁସଲିମ୍ ଲିଗ୍‌ର ଏକାଧିକ ଶୀର୍ଷସ୍ତରୀୟ ନେତାମାନେ ଏହାକୁ ନେଇ ଆପତ୍ତି କରିଛନ୍ତି । ଧାର୍ମିକ ପ୍ରସଙ୍ଗ ସହ ଜଡିତ ପ୍ରସଙ୍ଗରେ ମୁସଲିମ୍ ପକ୍ଷ ସହ ଶତ୍ରୁଙ୍କ ଭଳି ବ୍ୟବହାର କରାଯାଉଛି ବୋଲି ମୁସଲିମ୍ ପକ୍ଷ ଅଭିଯୋଗ କରିଛି । ଅଯୋଧ୍ୟା ଠାରୁ ଆରମ୍ଭ କରି ସମସ୍ତ ପ୍ରସଙ୍ଗରେ ନ୍ୟାୟପାଳିକା ଏବଂ ସରକାର ମିଳିତ ଭାବେ ମୁସଲିମ୍ ପକ୍ଷଙ୍କ ସହ ପକ୍ଷପାତିତା କରୁଥିବା ଅଭିଯୋଗ କରିଛି ମୁସଲିମ୍ ଲିଗ୍ । ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡର ମୁଖପାତ୍ର ଡ. ସୟଦ୍ କାସିମ୍ ରସୁଲ ଇଲିୟାସ୍ ଏକ ସାମ୍ବାଦିକ ସମ୍ମିଳନୀ କରି ଏପ୍ରକାର ଅଭିଯୋଗ କରିଛନ୍ତି । ଏପ୍ରକାର ଭେଦଭାବ ଦ୍ୱାରା ନ୍ୟାୟପାଳିକା ଏବଂ ନ୍ୟାୟ ବ୍ୟବସ୍ଥା ଉପରୁ ମୁସଲିମ୍ ପକ୍ଷଙ୍କ ବିଶ୍ୱାସ ତୁଟିଯିବ ବୋଲି ସେ ପରୋକ୍ଷରେ ଚେତାବନୀ ମଧ୍ୟ ଦେଇଛନ୍ତି । ହିନ୍ଦୁପକ୍ଷଙ୍କ ସହ ସରକାର ଏବଂ ପ୍ରଶାସନ ମିଶି କାମ କରୁଥିବା ମୁସଲିମ୍ ପକ୍ଷ ଅଭିଯୋଗ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking