ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଲକ୍ଷ୍ନୌର ମଲିହାବାଦ ଗ୍ରାମାଞ୍ଚଳରେ ଶୁକ୍ରବାର ଏକ ଗୁଳିକାଣ୍ଡ ଘଟି ୩ ଜଣଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଜମି ମାପିବା ସମୟରେ ଗୁଳି ମାଡ଼ ହୋଇଥିଲା, ଯେଉଁଥିରେ ଦମ୍ପତି ଓ ତାଙ୍କ ପୁଅଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ପରେ ଆଖପାଖ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।ସୂଚନା ଅନୁସାରେ, ମଲିହାବାଦର ମହମ୍ମଦନଗରରେ ରହୁଥିବା ଫରହିନ୍ (୩୫)ଙ୍କର ଜମିକୁ ନେଇ ତାଙ୍କ ଚାଚା ଲଲନଙ୍କ ସହ ବିବାଦ ଲାଗି ରହିଥିଲା ।
ଉକ୍ତ ମାମଲାରେ ଶୁକ୍ରବାର ଉଭୟ ପକ୍ଷ ଜମି ମାପିବା ପାଇଁ ଏକାଠି ହୋଇଥିଲେ । ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ବିବାଦ ଲାଗି ରହିଥିଲା । ଲଲନ ପକ୍ଷର ଲୋକମାନେ ଗୁଳି ଚଳାଇବା ଆରମ୍ଭ କରିଥିବା ଅଭିଯୋଗ ହୋଇଛି । ଗୁଳି ଚାଳନା ସମୟରେ ମୁନିର (୫୫), ତାଙ୍କ ପତ୍ନୀ ଫରହିନ (୩୫) ଓ ପୁଅ ହଞ୍ଜଲ (୧୬)ଙ୍କୁ ଗୁଳି ମାଡ଼ ହୋଇଥିଲା । ଗୁଳିମାଡ଼ରେ ଏହି ୩ ଜଣ ଘଟଣାସ୍ଥଳରେ ହିଁ ଟଳିପଡ଼ିଥିଲେ । ହଠାତ୍ ଗୁଳିଚାଳନା ସେଠାରେ ଆତଙ୍କ ଖେଳାଇ ଦେଇଥିଲା । ଏହି ଘଟଣା ପରେ ସମସ୍ତ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ । ୩ ଜଣଙ୍କ ହତ୍ୟା ଖବର ପାଇ ଡିସିପି ପଶ୍ଚିମ ରାହୁଲ ରାଜ ଓ ଅନ୍ୟ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ ।