ଲକ୍ଷ୍ନୌ: ଭୟଙ୍କର ସଡ଼କ ଦୁର୍ଘଟଣା । ବ୍ୟାରେଜ ତଳକୁ ଖସିଲା କାର୍ । ଭାରସାମ୍ୟ ହରାଇ ବ୍ୟାରେଜରୁ କାରଟି ତଳକୁ ଖସି ପଡ଼ିବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଘନ କୁହୁଡ଼ି ପାଇଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଉତ୍ତରପ୍ରଦେଶର ବିଜନୌରରେ ଘଟିଛି ଏଭଳି ଭୟଙ୍କର ସଡ଼କ ଦୁର୍ଘଟଣା । ତେବେ ମୃତକମାନେ ଉତ୍ତରପ୍ରଦେଶ ସେରକୋଟର ନୁରପୁର ଛିପରୀ ଗାଁର ବୋଲି ଜଣାପଡିଛି । ସୂଚନା ମୁତାବକ, ଗତକାଲି ଉତ୍ତରପ୍ରଦେଶର ସେରକୋଟର ୫ ଜଣ ଯୁବକ ଏକ କାର୍ ଯୋଗେ ଅଫଜଲଗଢକୁ ନୁମାଇସ୍ ଦେଖିବାକୁ ଯାଇଥିଲେ ।
ସେଠାରୁ ବିଳମ୍ବିତ ରାତିରେ ଫେରୁଥିବା ସମୟରେ ଘନ କୁହୁଡି ଯୋଗୁଁ ହରେବଲି ବ୍ୟାରେଜ ନିକଟରେ କାର୍ ଭାରସାମ୍ୟ ହରାଇ ଗଙ୍ଗା ନଦୀ ଭିତରକୁ ଖସି ପଡ଼ିଥିଲା । ଫଳରେ ନଦୀରେ ବୁଡି ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କୁ ପୋଲିସ ଉଦ୍ଧାର କରିଛି । ତେବେ ଏହି ଖବର ପାଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଯେଉଁ କାରରେ ଏହି ଦୁର୍ଘଟଣା ଘଟିଛି ତାହା ମାତ୍ର ୧୦ ଦିନ ପୂର୍ବରୁ କିଣା ଯାଇଥିଲା । ବର୍ତ୍ତମାନ ଦୁର୍ଘଟଣା ହେତୁ ସମଗ୍ର ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି । ଏନେଇ ସିଓ କହିଛି ଯେ, ‘କାରରେ ଥିବା ମୋଟ ୫ ଜଣଙ୍କ ମଧ୍ୟରୁ ୪ ଜଣ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । କୁହୁଡ଼ି ହେତୁ କାରଟି ଭାରସାମ୍ୟ ହରାଇ ବ୍ୟାରେଜର ତଳକୁ ପଡିଯାଇଥିଲା ।
ଏନେଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଜଣଙ୍କୁ ଉଦ୍ଧାର କରିଥିବା ବେଳେ ମୃତଦେହଗୁଡ଼ିକୁ ବର୍ତ୍ତମାନ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାପରେ ମୃତକଙ୍କ ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯିବ । ଦୁର୍ଘଟଣାରେ ଜଣେ ବଞ୍ଚିଥିବା କୁହାଯାଉଥିବା ବେଳେ , ସେ ସୁସ୍ଥ ହେବା ପରେ ହିଁ କେମିତି ଏବଂ କେଉଁ ପରିସ୍ଥିତିରେ କାର୍ ଦୁର୍ଘଟଣାଗ୍ରସ୍ତ ହେଲା ତାହା ଜଣାପଡ଼ିବ । ଗତମାସରେ ଉତ୍ତରପ୍ରଦେଶ ଆଗ୍ରାରେ ଏକ ଦ୍ରୁତଗାମୀ ଟ୍ରକ, ଏକ ଅଟୋକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ସକନ୍ଦ୍ରା ପୋଲିସ ଷ୍ଟେସନ ଅଧିନରେ ଥିବା ଆଗ୍ରା-ଦିଲ୍ଲୀ ଜାତୀୟ ରାଜପଥରେ ଅଟୋକୁ ପଛରୁ ଧକ୍କା ଦେଇଥିଲା ଏହି ଟ୍ରକ । ଅଟୋଟି ଚୂରମାର ହୋଇଯିବା ସହ କିଛି ମିଟର ମଧ୍ୟ ଘୋଷାଡି ମଧ୍ୟ ହୋଇଯାଇଥିଲା । ଏନେଇ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା ।