ଭୁବନେଶ୍ୱର: ଆଜିଠୁ ବିଜୁ ଜନତା ଦଳ ‘ପରିବାର ସମ୍ପର୍କ ଅଭିଯାନ’ ଆରମ୍ଭ କରୁଛି । ଜାନୁଆରୀ ୨୩ରୁ ଆରମ୍ଭ ହୋଇ ଏହି ପରିବାର ସମ୍ପର୍କ ଅଭିଯାନ ମାର୍ଚ୍ଚ ୫ ବିଜୁ ଜୟନ୍ତୀ ଯାଏ ଚାଲିବ । ଏହି ଅଭିଯାନରେ ବିଜୁ ଜନତା ଦଳ ପ୍ରତି ପରିବାରରେ ପହଞ୍ଚିବ । ଲିଫ୍ଲେଟ୍ ମାଧ୍ୟମରେ କ୍ୟାମ୍ପେନ କରିବା ସହ ନବୀନ ସରକାରଙ୍କ ସଫଳତା ସହ ସବୁ ଯୋଜନା ବାବଦରେ ଲୋକଙ୍କୁ ଅବଗତ କରିବ । ଏନେଇ ବଜେଡିର ବରିଷ୍ଠ ନେତା ତଥା ବିଧାୟକ ଦେବୀପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପ୍ରତି ବର୍ଷ ପରି ଗତ ବର୍ଷ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଜୟପ୍ରକାଶ ନାରାୟଣ ଜୟନ୍ତୀ ଯାଏ ଜନ ସମ୍ପର୍କ ପଦଯାତ୍ରା ହୋଇଥିଲା । ତା ପରେ ଯେ ପ୍ରତି ନିର୍ବାଚନ ମଣ୍ଡଳୀର ୨୦୦ ପ୍ରତିନିଧିଙ୍କୁ ଶଙ୍ଖ ଭବନରେ ବିଭିନ୍ନ ପ୍ରସଙ୍ଗରେ ଟ୍ରେନିଂ ଦିଆଯାଇଥିଲା । ଡିସେମ୍ବର ୨୫ ସୁଦ୍ଧା ଜୋନ ସ୍ତରୀୟ ଟ୍ରେନିଂ ସମ୍ପୂର୍ଣ୍ଣ ହୋଇଛି । ଜାନୁଆରୀ ୨୩ ନେତାଜୀ ଜୟନ୍ତୀରୁ ମାର୍ଚ୍ଚ ୫ ବିଜୁ ଜୟନ୍ତୀ ଯାଏ ପରିବାର ସମ୍ପର୍କ ଅଭିଯାନ କରାଯିବ ।
ଘରେ ଘରେ ପହଞ୍ଚିବା ସହ, ଲିଫ୍ଲେଟ୍ ମାଧ୍ୟମରେ କ୍ୟାମ୍ପେନ କରାଯିବ । ନବୀନ ସରକାରଙ୍କ ସଫଳତା ଘରେ ଘରେ ପହଞ୍ଚାଇବାକୁ କାର୍ଯ୍ୟକ୍ରମ ହେବ । ଏହାକୁ ସ୍ଥାନୀୟ ନେତୃତ୍ୱ ଅନୁପାଳନ କରିବେ । ଜିଲ୍ଲା ପର୍ଯ୍ୟବେକ୍ଷକ ଏହାକୁ ତଦାରଖ କରିବେ । ଏହି କାର୍ଯ୍ୟକ୍ରମ ଜରିଆରେ ବିଜେଡିର ନେତୃବୃନ୍ଦ ରାଜ୍ୟର ପ୍ରତିଟି ପରିବାର ନିକଟରେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମର ବାର୍ତ୍ତାକୁ ପହଞ୍ଚାଇବେ ବୋଲି ଜଣାପଡ଼ିଛି ।
ଏନେଇ ଦଳର ବରିଷ୍ଠ ନେତା ତଥା ବିଧାୟକ ଅମର ପ୍ରସାଦ ଶତପଥୀ ଅଧିକ ସୂଚନା ଦେଇ କହିଛନ୍ତି, ଆମେ ପ୍ରତି ପରିବାର ସହ ସମ୍ପର୍କ ନିବିଡ଼ ରଖିଛୁ । ଏହାକୁ ଆହୁରି ନିବିଡ଼ କରିବାକୁ ଗୋଟେ ପରିବାରର ଆବଶ୍ୟକତା ସମ୍ପର୍କରେ ତଥ୍ୟ ନେବାକୁ ପରିବାର ସମ୍ପର୍କ ଅଭିଯାନ ହେବ । ସମାଜର ସବୁ ବର୍ଗରୁ ସମୃଦ୍ଧ କରିବାକୁ ଏହା ହେବ । ଆମେ ପଦଯାତ୍ରା କରିଛୁ । ସରକାରଙ୍କ ଯୋଜନାକୁ ଠିକ୍ ଭାବେ ପହଞ୍ଚାଇବାକୁ ଓ ଆଉ କ’ଣ କରି ହେବ ସେ ନେଇ ମତ ନିଆଯିବ । ଏହା ହିଁ ହେଉଛି ‘ପରିବାର ସମ୍ପର୍କ ଅଭିଯାନ’ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅମର କହିଛନ୍ତି ।