ୱାଶିଂଟନ୍: ଆମେରିକାର କାଲିଫର୍ଣ୍ଣିଆରେ ଜଣେ ୨୭ ବର୍ଷିୟ ଗୁଗଲ୍ ଇଞ୍ଜିନିୟରଙ୍କ ନାଁ’ରେ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଥିବା କଥା ସାଣ୍ଟା କ୍ଲାରା କାଉଣ୍ଟିସ୍ଥିତ ଜିଲ୍ଲା ଆଟର୍ଣ୍ଣି ଅଫିସ ଜାରି କରିଥିବା ବିବୃତିରୁ ଜଣାପଡ଼ିଛି । ବାସଭବନର ଇଞ୍ଜିନିୟର ଲିରେନ୍ ଚେନ୍ଙ୍କୁ ରକ୍ତସ୍ନାତ ଅବସ୍ଥାରେ ଧରାଯାଇଥିଲା । ଶୋଇବା ଘରୁ ତାଙ୍କ ସ୍ତ୍ରୀଙ୍କ ଶବ ମଧ୍ୟ ଉଦ୍ଧାର କରାଯାଇଥିଲା । ମୃତ ସ୍ତ୍ରୀଙ୍କ ମୁଣ୍ଡରେ ଗଭୀର ଆଘାତଜନିତ କ୍ଷତ ଥିଲା । ଚେନ୍ଙ୍କର ଡାହାଣ ହାତ ଫୁଲି ଯାଇ ବାଇଗଣୀ ଦିଶୁଥିଲା । ତାଙ୍କ ପୋଷାକପତ୍ର, ଦୁଇଗୋଡ଼, ଦୁଇ ବାହୁ, ଦୁଇ ହାତରେ ରକ୍ତ ଛିଟା ପଡ଼ିଥିଲା । ବାହୁରେ ରାମ୍ପୁଡ଼ା କ୍ଷତ ବି ଦିଶୁଥିଲା ।
ଚେନ୍ଙ୍କ ସ୍ତ୍ରୀ ମଧ୍ୟ ଗୁଗଲ୍ରେ ଜଣେ ଇଞ୍ଜିନିୟର୍ ଭାବେ କାର୍ଯ୍ୟ କରୁଥିଲେ । କିନ୍ତୁ, ଜିଲ୍ଲା ଆଟର୍ଣ୍ଣି ଅଫିସ୍ ଜାରି କରିଥିବା ବିବୃତିରେ ଚେନ୍ଙ୍କ ସ୍ତ୍ରୀଙ୍କ ନାମ କ’ଣ ଲେଖାଯାଇନି । କିନ୍ତୁ, ଘରବାଡ଼ି କାଗଜପତ୍ରରୁ ଜଣାପଡ଼ିଛି ଯେ, ତାଙ୍କ ନାଁ ଜୁଆନ୍ୟି ଇୟୁ । ଉଭୟ ଚେନ୍ ଓ ଇୟୁ ତା’ର କର୍ମଚାରୀ ବୋଲି ଗୁଗଲ୍ କହିଛି । ସମ୍ପ୍ରତି ଡାକ୍ତରଖାନାରେ ଥିବାରୁ ଚେନ୍ଙ୍କୁ ଅଦାଲତରେ ହାଜର କରାଯାଇ ପାରୁନାହିଁ । ଚେନ୍ଙ୍କ ନାଁରେ ନରହତ୍ୟା ଅଭିଯୋଗ ହୋଇଛି । ଦୋଷୀ ସାବ୍ୟସ୍ତ ହେଲେ ସେ ଜେଲ୍ ଦଣ୍ଡାଦେଶ ପାଇ ପାରନ୍ତି ବୋଲି ଜିଲ୍ଲା ଆଟର୍ଣ୍ଣି କାର୍ଯ୍ୟାଳୟ କହିଛି । ପୁଲିସ କହିଛି, ମଙ୍ଗଳବାର ଦିନ ସେମାନେ ଚେନ୍ଙ୍କର ଜଣେ ପରିଚିତ ବ୍ୟକ୍ତିଙ୍କଠାରୁ ଫୋନ୍ ପାଇଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଚେନ୍ଙ୍କ ପରିଚିତ ବ୍ୟକ୍ତିଜଣକ କହିଲେ ଯେ, ଚେନ୍ ଫୋନ୍ ଧରୁନି କି, କବାଟ ଖୋଲୁନି । କିନ୍ତୁ, ଚେନ୍ ଘରେ ଅଛି । ସେ ଆଣ୍ଠୁମାଡ଼ି, ଦୁଇ ହାତ ଉପରକୁ ଉଠାଇ ବଲ ବଲ କରି ଚାହିଁଛି ।