23.1 C
Bhubaneswar
Saturday, October 19, 2024
Homeଓଡିଶାଆସନ୍ତାକାଲି ଲୋକାର୍ପିତ ହେବ ପରିକ୍ରମା ପ୍ରକଳ୍ପ

ଆସନ୍ତାକାଲି ଲୋକାର୍ପିତ ହେବ ପରିକ୍ରମା ପ୍ରକଳ୍ପ

ପୁରୀ: ଆସନ୍ତାକାଲି ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହେବ । ଆଜି ଯଜ୍ଞ ପ୍ରକ୍ରିୟାର ପଞ୍ଚମ ତଥା ଯଜ୍ଞର ଦ୍ୱିତୀୟ ଦିନ । ଗତକାଲି ଏକ ହଜାର ଆହୁତି ଦିଆଯାଇଥିବା ବେଳେ ଆଜି ମଧ୍ୟ ହଜାରେ ଆହୁତି ଦିଆଯାଇଥିଲା । ସେହିପରି ଆସନ୍ତାକାଲି ଆଉ ଏକ ହଜାର ଆହୁତି ଦିଆଯିବ । ଶ୍ରୋତ୍ରିୟ ବ୍ରାହ୍ମଣଙ୍କ ବେଦମନ୍ତ୍ରରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର । ମନ୍ତ୍ରପାଠରେ ଆହୁତି ଦେଇ ଯଜ୍ଞ ନାରାୟଣଙ୍କୁ କରାଯାଇଛି ଆବାହନ । ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦପାଠୀଙ୍କ ଚାରି ବେଦପାଠ ସହ ନାମ ସଂକୀର୍ତ୍ତନରେ ପ୍ରକମ୍ପିତ ହୋଇଛି ଚତୁର୍ଦିଗ । ଜୟ ଜଗନ୍ନାଥ ଧ୍ୱନୀରେ ମୁଖରିତ ହୋଇଛି ଖଣ୍ଡମଣ୍ଡଳ ।

ଲୋକାର୍ପଣ ଉତ୍ସବ ପାଇଁ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଚାଲିଚି ତିନି ଦିନିଆ ଭବ୍ୟ ମହାଯଜ୍ଞ । ଆଜି ସକାଳ ସାଢ଼େ ୭ଟାରୁ ଆରମ୍ଭ ହୋଇଥିଲା ମହାଯଜ୍ଞ ପର୍ବ । ପ୍ରଥମେ ଅଖଣ୍ଡ ଦୀପ ସ୍ଥାପନ ପରେ ପଞ୍ଚକର୍ମ ସହ ମହାଯଜ୍ଞ ପାଇଁ ଷୋହଳ ଶାସନର ୪୮ଜଣ ଆଚାର୍ଯ୍ୟଙ୍କୁ ବରଣ ବିଧି ସଂପନ୍ନ ହୋଇଥିଲା । ଅପରାହ୍ଣ ପ୍ରାୟ ୩ଟାରେ ଅଗ୍ନିସଂସ୍କାର ବିଧି ସଂପନ୍ନ ହୋଇଥିଲା । ଯଜ୍ଞବେଦିରେ ମୁଖ୍ୟ ଯଜ୍ଞକୁଣ୍ଡ ସହ ଯଜ୍ଞବେଦିର ଚାରିଦିଗରେ ଚାରିଟି ଛୋଟ ଯଜ୍ଞକୁଣ୍ଡ ନିର୍ମିତ ହୋଇଥିଲା । ଗଜପତି ମହାରାଜାଙ୍କ ଦ୍ୱାରା ବରଣ ହୋଇଥିବା ବ୍ରାହ୍ମଣମାନେ ଶ୍ରୀମନ୍ଦିର ରୋଷଶାଳାରୁ ଅଗ୍ନି ଆଣି ମୁଖ୍ୟ ଯଜ୍ଞକୁଣ୍ଡ ସହ ଅନ୍ୟ ଯଜ୍ଞକୁଣ୍ଡରେ ଅଗ୍ନି ସଂଯୋଗ କରିଥିଲେ ।

ପରେ ଘୃତାହୁତି, ଆରତି, ପୁଷ୍ପାଞ୍ଜଳି, ପ୍ରଦକ୍ଷିଣ ବିଧି ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ଚାରିଦ୍ୱାରରେ ବେଦପାଠୀଙ୍କ ବେଦପାଠ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା । ପ୍ରଦକ୍ଷିଣ ବେଳେ ନାମ ସଂକୀର୍ତ୍ତନ ଦଳ ବରଣୀୟ ବ୍ରାହ୍ମଣ ମାନଙ୍କୁ ପାଛୋଟି ନେଇଥିଲେ । ଆଜି ଦିନତମାମ ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରେ ବେଦପାଠ ସହ ନାମ ସଂକୀର୍ତ୍ତନ କରାଯାଇଥିଲା । ସେହିପରି ଆସନ୍ତାକାଲି ସକାଳ ୭ଟା ୩୦ରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ସୂର୍ଯ୍ୟ ପୂଜା, ଧରିତ୍ରୀ ପୂଜା, ଗୋ-ପୂଜା, ଶାଲା ପ୍ରବେଶ, ପଞ୍ଚକର୍ମ, ମଣ୍ଡଳ ପୂଜା, ହବନ, ଆରତୀ, ପୁଷ୍ପାଞ୍ଜଳି ପରେ ପ୍ରଦିକ୍ଷଣ ହେବ । ପରେ ଅପରାହ୍ନ ୧ଟା ୧୫ ରୁ ୧ଟା ୩୦ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫଳକ ଉନ୍ମୋଚନ କରିବେ । ଅପରାହ୍ନ ୧ଟା ୩୦ରୁ ୨ଟା ମଧ୍ୟରେ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ଯଜ୍ଞ ପୂର୍ଣ୍ଣାହୁତି, ଆଳତୀ ଓ ପୁଷ୍ପାଞ୍ଜଳି ଦିଆଯିବ । ଏହା ପରେ ଅନ୍ତଃ ପ୍ରଦିକ୍ଷଣ ପଥରେ ନାମ ସଙ୍କୀର୍ତ୍ତନ ଆଦି କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking