25.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶପିଓକେ ବୁଲିଲେ ବିଟ୍ରେନ୍ ରାଷ୍ଟ୍ରଦୂତ: ଭାରତର ତୀବ୍ର ପ୍ରତିକ୍ରିୟା; ସୀମା ଅଖଣ୍ଡତା ଉଲ୍ଲଂଘନକୁ ବରଦାସ୍ତ କରାଯିବନି

ପିଓକେ ବୁଲିଲେ ବିଟ୍ରେନ୍ ରାଷ୍ଟ୍ରଦୂତ: ଭାରତର ତୀବ୍ର ପ୍ରତିକ୍ରିୟା; ସୀମା ଅଖଣ୍ଡତା ଉଲ୍ଲଂଘନକୁ ବରଦାସ୍ତ କରାଯିବନି

ନୂଆଦିଲ୍ଳୀ: ବ୍ରିଟେନ୍ ରାଷ୍ଟ୍ରଦୂତ ଜାନେ ମାରିଅଟ୍‌ଙ୍କ ପିଓକେ (ପାକିସ୍ତାନ ଅଧିକୃତ କାଶ୍ମୀର) ଗସ୍ତକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଭାରତୀୟ ବିଦେଶ ମନ୍ତ୍ରଣାଳୟ ଦର୍ଶାଇଛି ଯେ ଏଭଳି ପଦକ୍ଷେପ ଭାରତୀୟ ସୀମା ଅଖଣ୍ଡତା ଏବଂ ସଂପ୍ରଭୂତାର ଉଲ୍ଲଂଘନ ସଦୃଶ ହୋଇଛି । ବ୍ରିଟେନ୍ ରାଷ୍ଟ୍ରଦୂତଙ୍କ ଏହି ପଦକ୍ଷେପ ବ୍ରିଟେନ ସହ ଭାରତର ରହିଆସିଥିବା କୂଟନୀତିକୁ ମଧ୍ୟ ନିରାଶ କରିଛି ।
ପ୍ରକାଶ, ଗତ ୧୦ତାରିଖରେ ଇସଲାମାବାଦ୍‌ରେ ଅବସ୍ଥାପିତ ବ୍ରିଟେନ୍ ରାଷ୍ଟ୍ରଦୂତ ଜାନେ ମାରିଅଟ୍‌, ପାକିସ୍ତାନର ସେନାର ଜଣେ ବରିଷ୍ଠ ଅଧିକାରୀଙ୍କ ସହ ପିଓକେ ଗସ୍ତ କରିଥିଲେ ।

ସେ ଏହି ଯାତ୍ରା ସମୟର କେତେକ ଫଟୋକୁ ନିଜ ସୋସିଆଲ ଆକାଉଣ୍ଟରେ ପୋଷ୍ଟ ମଧ୍ୟ କରିଥିଲେ । ଏତଦ୍‌ବ୍ୟତୀତ ସେ ପାକିସ୍ତାନର ଆତିଥ୍ୟେୟତାକୁ ମଧ୍ୟ ଭୂରିଭୂରି ପ୍ରଶଂସା କରିଥିଲେ । ଏହି ସମୟରେ ସେ ଭାରତ ଦାବି କରୁଥିବା ଅଞ୍ଚଳ ମିରପୁର ଅଞ୍ଚଳରେ ନିଜ ଗସ୍ତକୁ ଯଥାର୍ଥ ଦର୍ଶାଇବାକୁ ଯାଇ କହିଥିଲେ ଯେ, ବ୍ରିଟେନ୍‌ରେ ନାଗରିକତା ଗ୍ରହଣ କରିଥିବା ମୂଳ ପାକିସ୍ତାନୀ ନାଗରିକଙ୍କ ମଧ୍ୟରୁ ପ୍ରାୟ ୭୦% କେବଳ ମିରପୁର ଅଞ୍ଚଳର ନିବାସୀ । ତେଣୁ ପ୍ରବାସୀଙ୍କ ସ୍ୱାର୍ଥ ସହ ଘନିଷ୍ଠ ଭାବେ କାର୍ଯ୍ୟ କରିବା ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ବ୍ରିଟେନ୍ ରାଷ୍ଟ୍ରଦୂତଙ୍କ ପିଓକେ ଗସ୍ତ ତଥା ତାଙ୍କ ମନ୍ତବ୍ୟକୁ ଭାରତ ତୀବ୍ର ବିରୋଧ କରିଛି । କେନ୍ଦ୍ର ବିଦେଶ ସଚିବ ବିନୟ ମୋହନ୍ କ୍ୱାତ୍ରା ଭାରତରେ ଅବସ୍ଥାପିତ ବ୍ରିଟିଶ ରାଷ୍ଟ୍ରଦୂତଙ୍କ ନିକଟରେ ଏନେଇ ବିଧିବଦ୍ଧ ଆପତ୍ତି ଜଣାଇଛନ୍ତି ।

ସୂଚନାଯୋଗ୍ୟ, ଗତବର୍ଷ ମଧ୍ୟ ଆମେରିକା ସହ ଭାରତର ଏପ୍ରକାର ଏକ ବିବାଦ ସୃଷ୍ଟି ହୋଇଥିଲା । ପାକିସ୍ତାନରେ ତତ୍କାଳୀନ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ମଧ୍ୟ ପାକିସ୍ତାନ କଥାରେ ପଡି ପିଓକେ ଗସ୍ତରେ ଯାଇଥିଲେ । ଏହାକୁ ନେଇ ମଧ୍ୟ ଭାରତ ସରକାର କଡା ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଏହାପୂର୍ବରୁ ଆମେରିକା କଂଗ୍ରେସ ସଦସ୍ୟା ଇଲହାନ୍ ଓମର ମଧ୍ୟ ପାକିସ୍ତାନ ଗସ୍ତରେ ଯିବା ଅବସରରେ ପିଓକେ ଗସ୍ତ କରିଥିଲେ । ଭାରତ ପକ୍ଷରୁ ସେଥର ମଧ୍ୟ ଭୀଷଣ ପ୍ରତିକ୍ରିୟା ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking