ନୂଆଦିଲ୍ଲୀ: ଭାରତରେ ଅଶାନ୍ତ ବାତାବରଣ ତଥା ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜମ୍ମୁ କାଶ୍ମୀର ଉପତ୍ୟକାରେ ଆତଙ୍କବାଦ ଗତିବିଧିକୁ ବୃଦ୍ଧି କରିବାରେ ଲାଗିଛି ପାକିସ୍ତାନ । ରାଜୌରୀ ଏବଂ ପୁଞ୍ଚ୍ ସେକ୍ଟରରେ ଆତଙ୍କବାଦୀଙ୍କୁ ଠୁଳ କରିବା ସହ ସେମାନଙ୍କୁ ସବୁପ୍ରକାର ସହାୟତା ଦେବା ପୂର୍ବକ ଭାରତରେ କିଛି ବଡ଼ ଧରଣର ନାରକୀୟ କାଣ୍ଡ ଘଟାଇବା ଦିଗରେ ଏକ ବୃହତ୍ ଷଡଯନ୍ତ୍ର କରୁଛି ପାକିସ୍ତାନ । କେବଳ ଭାରତର ଆଭ୍ୟନ୍ତରୀଣ କ୍ଷେତ୍ରରେ ନୁହେଁ ବରଂ ସୀମାନ୍ତରେ ମଧ୍ୟ ଭାରତୀୟ ସେନା ଉପରେ ଆକ୍ରମଣ ଏବଂ ଲଢ଼େଇ ପାଇଁ ମଧ୍ୟ ପାକିସ୍ତାନ ଏବେ ଆତଙ୍କବାଦୀ ଗୋଷ୍ଠୀଙ୍କୁ ନିୟୋଜିତ କରୁଥିବା ଗୁଇନ୍ଦା ରିପୋର୍ଟ ବରାବର ଆସିବାରେ ଲାଗିଛି । ତେବେ ପାକିସ୍ତାନର ଏହି ହୀନ ଷଡଯନ୍ତ୍ରକୁ ନଷ୍ଟ କରିବା ସହ ଆତଙ୍କବାଦୀଙ୍କ ବଢ଼ୁଥିବା ପ୍ରାଦୂର୍ଭାବକୁ ପରାହତ କରିବା ଦିଗରେ ଭାରତୀୟ ସେନା ଏବେ ଏକେ ନୂଆ ମିଶନ୍ ଆରମ୍ଭ କରିବାକୁ ଯାଉଛି । ସିଧାଅର୍ଥରେ କହିଲେ ପାକିସ୍ତାନକୁ ଉଚିତ୍ ଜବାବ ଦେବା ପାଇଁ ଭାରତୀୟ ସେନା ଏବେ କିଛି ଭିନ୍ନ କରିବାକୁ ଯାଉଛି ।
ଭାରତୀୟ ସେନା ପକ୍ଷରୁ ଆସିଥିବା ରିପୋର୍ଟ ଅନୁସାରେ ଭାରତୀୟ ସେନା ଏବେ ଜମ୍ମୁ କାଶ୍ମୀରରେ ଆତଙ୍କବାଦର ମୂଳୋତ୍ପାଟନ କରିବା ଉଦ୍ଦେଶ୍ୟରେ ଅପରେସନ୍ ସର୍ବଶକ୍ତି ନାମରେ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଭାରତୀୟ ସୀମାରେଖା ପୀର ପଞ୍ଜାଲ ପାର୍ବତ୍ୟାଞ୍ଚଳର ଉଭୟ ପାଶ୍ୱର୍ରୁ ଆତଙ୍କବାଦୀଙ୍କ ଉପରେ ପ୍ରଚଣ୍ଡ ପ୍ରହାର କରାଯିବା ଲକ୍ଷ୍ୟରେ ଏହି ଅଭିଯାନ ଆରମ୍ଭ ହେବ । ସୂଚନାଯୋଗ୍ୟ ବେଶ୍ କିଛି ସମୟ ଧରି ଦକ୍ଷିଣ ପୀର ପଞ୍ଜାଲ ପାର୍ବତ୍ୟାଞ୍ଚଳ ବିଶେଷ କରି ରାଜୌରୀ ଏବଂ ପୁଞ୍ଚ୍ ସେକ୍ଟରରେ ଭାରତୀୟ ସେନା ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ଅକ୍ଟୋବର ୨୦୨୧ ପରଠାରୁ ଏଠାରେ ଆତଙ୍କବାଦୀ ଗତିବିଧି ବୃଦ୍ଧି ପାଇଥିବା କିଛି ଦିନ ପୂର୍ବେ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ମଧ୍ୟ କହିଥିଲେ । ଜେନେରାଲଙ୍କ କହିବାର ଠିକ୍ ଦିନକ ପରେ ସେନା ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ।
ତେବେ ଏସମ୍ପର୍କରେ ସିଡିଏସ୍ ଲ୍ୟୁଟିନାଣ୍ଟ ଜେନେରାଲ୍ ଅନୀଲ ଚୌହାନ୍, ସ୍ଥଳ ସେନାଧ୍ୟକ୍ଷ ଜେନେରାଲ୍ ମନୋଜ ପାଣ୍ଡେ, ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ଅଜିତ୍ ଡୋଭାଲ, ଆର୍ମି ଗୁଇନ୍ଦା ଏଜେନ୍ସି ଅଧିକାରୀ, ଭାରତୀୟ ସେନାର ନର୍ଦନ କମାଣ୍ଡ, କର୍ପସ୍ କମାଣ୍ଡ, ଜମ୍ମୁ କାଶ୍ମୀର ପୁଲିସ କମିଶନରଙ୍କ ସହ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଏବଂ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଏକ ମିଳିତ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଏହି ଅପରେସନ୍ ସମ୍ପର୍କରେ ଆଲୋଚନା କରାଯିବା ପୂର୍ବକ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି । ତେବେ ଏହି ଅପରେସନ୍ର ମୁଖ୍ୟ କାର୍ଯ୍ୟାଳୟ ଉଦ୍ଧମପୁରରେ ଥିବା ନର୍ଦନ ଆର୍ମି କମାଣ୍ଡ ହେବ ବୋଲି ସ୍ପଷ୍ଟ ହୋଇସାରିଛି ।
ଅନ୍ୟପକ୍ଷେ ଏହି ଅପରେସନ୍ ସମ୍ପର୍କରେ ମିଳିଥିବା ଅନ୍ୟ ସୂଚନାନୁସାରେ ଶ୍ରୀନଗର ସ୍ଥିତ ଚିନାର କର୍ପସ (ସୁରକ୍ଷା ବାହିନୀ) ଏବଂ ନାଗରୋଟା ମୁଖ୍ୟାଳୟ ଅଧୀନରେ ଥିବା ହ୍ୱାଇଟ୍ ନାଇଟ୍ କର୍ପସ ପକ୍ଷରୁ ମଧ୍ୟ ଆତଙ୍କବାଦ ବିରୋଧରେ ଏହି ଡେଡ୍ଲି ଅଭିଯାନ ଅପରେସନ୍ ସର୍ବଶକ୍ତି’ ଆରମ୍ଭ କରିବେ । କାଶ୍ମୀର ପୁଲିସ୍, ସିଆରପିଏଫ୍, ସ୍ପେଶାଲ ଅପରେସନ୍ ଗ୍ରୁପ୍ ଏବଂ ଗୁଇନ୍ଦା ବିଭାଗ ମିଳିତ ଭାବେ ଏନେଇ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିବା ସୂଚନା ମିଳିଛି । ପ୍ରକାଶ, ୨୦୦୩ରେ ଭାରତୀୟ ସୀମା ସୁରକ୍ଷା ବଳଙ୍କ ପକ୍ଷରୁ ମଧ୍ୟ ଆତଙ୍କବାଦୀଙ୍କ ବିରୋଧରେ ସର୍ପବିନାଶ ନାମରେ ଏକ ଅପରେସନ୍ କରାଯାଇଥିଲା ।
ପ୍ରକାଶ, ସେନା ରିପୋର୍ଟ ଅନୁସାରେ ଗତ ୭ ମାସ ମଧ୍ୟରେ ରାଜୌରୀ ଏବଂ ପୁଞ୍ଚ୍ ସେକ୍ଟରେ ସେନାର କିଛି ଅଧିକାରୀ ଏବଂ କମାଣ୍ଡୋଙ୍କୁ ମିଶାଇ ମୋଟ୍ ୨୦ଜଣ ଭାରତୀୟ ଯବାନ୍ ସହିଦ୍ ହୋଇଛନ୍ତି । ସେହିପରି ଗତ ୨ ବର୍ଷ ମଧ୍ୟରେ ଏସବୁ ଅଞ୍ଚଳରେ କେବଳ ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣ ଯୋଗୁ ୩୫ ଯବାନ ସହିଦ୍ ହୋଇଛନ୍ତି ।