18.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଲାଇ ଚିଙ୍ଗ୍‌-ତେ’ ତାଇୱାନ୍ ରାଷ୍ଟ୍ରପତି ନିର୍ବାଚିତ

ଲାଇ ଚିଙ୍ଗ୍‌-ତେ’ ତାଇୱାନ୍ ରାଷ୍ଟ୍ରପତି ନିର୍ବାଚିତ

ତାଇପେଇ: ଶନିବାର ତାଇୱାନ୍‌ର ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି । ତାଇୱାନ୍‌ର ମୋଟ୍ ୧କୋଟି ୯୦ଲକ୍ଷ ଭୋଟର ଏହି ଭୋଟିଂ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ଫଳାଫଳ ଅନୁସାରେ ତାଇୱାନ୍‌ର ନବ ରାଷ୍ଟ୍ରପତି ଭାବେ ଲାଇ ଚିଙ୍ଗ୍‌-ତେ’ ବିପୁଳ ପରିମାଣର ଭୋଟ୍ ସହ ନିର୍ବାଚିତ ହୋଇଛନ୍ତି । ତେବେ ଲାଇ ଚିଙ୍ଗ୍‌ଙ୍କ ବିଜୟ ଚୀନ୍ ପାଇଁ ବଡ଼ ଝଟ୍‌କା ସଦୃଶ ହୋଇଛି । କାରଣ ଲାଇ-ଚିଙ୍ଗ୍‌-ତେ ଜଣେ କଠୋର ଚୀନ୍ ବିରୋଧୀ ନେତା ଭାବେ ବେଶ୍ ଜଣାଶୁଣା । ଚୀନ୍ ମଧ୍ୟ ଲାଇ-ଚିଙ୍ଗ୍‌-ତେ’ଙ୍କୁ ଜଣେ ବିପଦଜନକ ବିଚ୍ଛନ୍ନତାବାଦୀ ନେତା ଭାବେ ବହୁ ପୂର୍ବରୁ ଘୋଷଣା କରିସାରିଛି । ସବୁଠୁ ବଡ଼ କଥା ହେଉଛି ତାଇୱାନ୍‌ର ଶାସକ ଦଳ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ପାର୍ଟି (ଡିପିପି) ଏକ ଚୀନ୍ ବିରୋଧୀ ଦଳ ହୋଇଥିବା ବେଳେ ଦଳରେ ଉପରାଷ୍ଟ୍ରପତି ଭାବେ ଲାଇ ଚିଙ୍ଗ୍ ତେ’ଙ୍କ ସ୍ଥିତି ବେଶ୍ ମଜବୁତ୍ ରହିଛି । ବିବାଦୀୟ ପ୍ରସଙ୍ଗରେ ଆଲୋଚନା ପାଇଁ ଚୀନ୍‌ର ବାରମ୍ବାର ଆହ୍ୱାନକୁ ଡିପିପି ନେତୃତ୍ୱାଧୀନ ତାଇୱାନ୍ ସରକାର ପ୍ରତ୍ୟାଖ୍ୟାନ କରିବା ପଛରେ ଲାଇ ଚିଙ୍ଗ୍ ତେ’ ରହିଥିଲେ ।

ପ୍ରକାଶଯୋଗ୍ୟ, ଡିପିପିର ଅଧିକାଂଶ ସିନେଟ୍‌ରଙ୍କ ସମର୍ଥନ ଲାଇ ଚିଙ୍ଗ୍ ତେ’ଙ୍କ ପ୍ରତି ରହିଥିଲା । ଫଳରେ ସେ ଏହି ନିର୍ବାଚନରେ ସହଜ ବିଜୟ ଲାଭ କରିଛନ୍ତି । ଏତଦ୍‌ବ୍ୟତୀତ ସେ ନିଜ ଦଳର ନେତା ତଥା ବିଦାୟୀ ରାଷ୍ଟ୍ରପତି ତାଇ-ଇଙ୍ଗ୍ ୱେନ୍‌ଙ୍କୁ ମଧ୍ୟ ପରାଜିତ କରିଛନ୍ତି । ତାଇ-ଇଙ୍ଗ୍ ୱେନ୍ ମଧ୍ୟ ଡିପିପି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ । ବିଜୟ ପରେ ନିଜ ପ୍ରତିକ୍ରିୟାରେ ଲାଇ ଚିଙ୍ଗ୍ ତେ କହିଛନ୍ତି ଯେ, ତାଇୱାନ୍ ଷ୍ଟ୍ରେଟ୍‌ରେ ଶାନ୍ତି ବଜାୟ ରଖିବା ଏବଂ ଦ୍ୱୀପର ସୁରକ୍ଷା ଦିଗରେ ସେ ଏବଂ ତାଙ୍କ ଦଳ ପ୍ରତିଶ୍ରୁତିବଦ୍ଧ ରହିଆସିଛି, ଆଗକୁ ମଧ୍ୟ ଏହା ଜାରି ରହିବ । ଅନ୍ୟପକ୍ଷେ ଚୀନ୍‌ର ସମର୍ଥକ ତଥା ତାଇୱାନ୍‌ରେ ମୁଖ୍ୟ ବିରୋଧୀ ଦଳ ଭୂମିକା ନିର୍ବାହ କରୁଥିବା କୁଓମିଣ୍ଟାଙ୍ଗ୍ (କେଏମ୍‌ଟି) ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ହାଉ ୟୁ-ଏହ ଶୋଚନୀୟ ପରାଜୟ ବରଣ କରିଛନ୍ତି । ଫଳରେ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ଚିନ୍ତା ବଢ଼ିଯାଇଛି । ରିପୋର୍ଟ ଅନୁସାରେ ଆମେରିକା ମଧ୍ୟସ୍ଥତା ମଧ୍ୟରେ ତାଇୱାନ୍‌ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking