25.1 C
Bhubaneswar
Monday, October 21, 2024
Homeଖେଳବିଦେଶୀ କୋଚିଂ ଷ୍ଟାଫ୍ ହଟାଇଲା ପାକିସ୍ତାନ; ମହମ୍ମଦ ରିଜ୍‌ୱାନ୍ ଟି-୨୦ ଉପଅଧିନାୟକ

ବିଦେଶୀ କୋଚିଂ ଷ୍ଟାଫ୍ ହଟାଇଲା ପାକିସ୍ତାନ; ମହମ୍ମଦ ରିଜ୍‌ୱାନ୍ ଟି-୨୦ ଉପଅଧିନାୟକ

କରାଚି : ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଖରାପ ପ୍ରଦର୍ଶନ ଯୋଗୁଁ ଜାତୀୟ ପୁରୁଷ ଟିମ୍‌ର ସମସ୍ତ ବିଦେଶୀ କୋଚିଂ ଷ୍ଟାଫ୍‌ଙ୍କୁ ବିଦା କରିଛି । ଏହା ମଧ୍ୟରେ ଟିମ୍ ଡାଇରେକ୍ଟର ମିକି ଆର୍ଥର୍‌, ମୁଖ୍ୟ କୋଚ୍ ଗ୍ରାଣ୍ଟ୍ ବ୍ରାଡ୍‌ବର୍ଣ୍ଣ ଏବଂ ଆଣ୍ଡ୍ର‌୍ୟୁ ପଟିକ୍ ସାମିଲ । ସେହିପରି ପିସିବି ମହମ୍ମଦ ରିଜ୍‌ୱାନ୍‌ଙ୍କୁ ଟି-୨୦ ଟିମ୍‌ର ଉପଅଧିନାୟକ ନିଯୁକ୍ତ କରିଛି । ସେ ଲେଗ୍ ସ୍ପିନର୍ ଶାଦାବ୍ ଖାନ୍‌ଙ୍କ ସ୍ଥାନ ନେବେ । ପିସିବି ତିନିଜଣଙ୍କୁ ନାସ୍‌ନାଲ୍ କ୍ରିକେଟ୍ ଏକାଡେମୀରେ ନିଯୁକ୍ତ କରିବାକୁ ଚାହୁଁଥିଲା । ମାତ୍ର ଏହି ତିନିଜଣଙ୍କୁ ନୂଆ କଣ୍ଟ୍ରାକ୍ଟ ମିଳିସାରିଥିବାରୁ ବୋର୍ଡ ମିଟିଂରେ ସେମାନଙ୍କୁ ରିଲିଜ୍ କରିବା ନିଷ୍ପତ୍ତି ନିଆଯାଇଛି ।

ତେବେ ନୂଆ କୋଚିଂ ଷ୍ଟାଫ୍ ନିଯୁକ୍ତ କରାଯାଇ ନାହିଁ । ସୂଚନାଯୋଗ୍ୟ, ଟିମ୍ ଡାଇରେକ୍ଟର ମିକି ଆର୍ଥର୍ ପୂର୍ବରୁ ଡର୍ବିଶାୟର୍ ଟିମ୍ ସହ ସାମିଲ ଥିଲେ । ସେ ପାକିସ୍ତାନ ପାଇଁ ପାର୍ଟ ଟାଇମ୍ କାମ କରୁଥିଲେ । ମୁଖ୍ୟ କୋଚ୍ ବ୍ରେଡ୍‌ବର୍ନ ଗ୍ଲେମର୍‌ଗନ୍ ସହ ତିନିବର୍ଷିଆ ଚୁକ୍ତି କରିଛନ୍ତି । ଅନ୍ୟପକ୍ଷରେ ଆଣ୍ଡ୍ର‌୍ୟୁ ପଟିକ୍ ମଧ୍ୟ କୌଣସି ଏକ ଟିମ୍‌ରେ ଯୋଗ ଦେଇଛନ୍ତି । ଦିନିକିଆ ବିଶ୍ୱକପ୍‌ରେ ପାକିସ୍ତାନର ଖରାପ ପ୍ରଦର୍ଶନ ପରେ ଏହି ତିନିଜଣ ଛୁଟିରେ ଚାଲିଯାଇଥିଲେ । ଫଳରେ ଅଷ୍ଟ୍ରେଲିଆ ଗସ୍ତରେ ମହମ୍ମଦ ହଫିଜ୍ ଟିମ୍ ଡାଇରେକ୍ଟର ଭୂମିକା ତୁଲାଇଥିଲେ ଏବଂ ସଇଦ୍ ଅଜମଲ୍‌, ଉମର୍ ଗୁଲ୍‌, ଅବ୍‌ଦୁଲ୍ ମଜିଦ୍ ଓ ଆଦାମ୍ ହୋଲିଓକେ କୋଚିଂ ଷ୍ଟାଫ୍‌ର ଅନ୍ୟତମ ସଦସ୍ୟ ଥିଲେ । ନ୍ୟୁଜିଲାଣ୍ଡ ଗସ୍ତରେ ଏମାନେ ହିଁ କୋଚିଂ ଷ୍ଟାଫ୍ ଦାୟିତ୍ୱ ତୁଲାଇବେ ।

ବିଶ୍ୱକପ୍‌ରେ ଦୁର୍ବଳ ପ୍ରଦର୍ଶନ ପରେ ପାକିସ୍ତାନ ଜାତୀୟ ଚୟନ କମିଟି ଏବଂ କୋଚିଂ ଷ୍ଟାଫ୍‌ରେ ବଡ଼ ପରିବର୍ତ୍ତନ କରିଥିଲା । ଟିମ୍ ବିଶ୍ୱକପ୍‌ରେ ୫ମ ସ୍ଥାନରେ ରହି ସେମିଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନଥିଲା । ଏହାପରେ ବୋର୍ଡ ପୂର୍ବତନ ପେସର୍ ୱହାବ୍ ରିୟାଜ୍‌ଙ୍କୁ ଚୟନ କମିଟି ମୁଖ୍ୟ ନିଯୁକ୍ତ କରିଛି । କେବଳ ଏତିକି ନୁହେଁ ବାବର ଆଜମ୍ ତିନୋଟି ଯାକ ଫର୍ମାଟ୍‌ର ନେତୃତ୍ୱ ଛାଡ଼ିଛନ୍ତି । ଏହାପରେ ଶାହିନ୍ ଆଫ୍ରିଦିଙ୍କୁ ନୂଆ ଟି-୨୦ ଏବଂ ଶାନ୍ ମସୁଦ୍‌ଙ୍କୁ ଟେଷ୍ଟ୍ କ୍ୟାପ୍‌ଟେନ୍ ନିଯୁକ୍ତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking