ନୂଆଦିଲ୍ଲୀ: ଡିସେମ୍ବର ୧୩ରେ ଘଟିଥିବା ସଂସଦ ସୁରକ୍ଷା ତ୍ରୁଟି ମାମଲାରେ ଗିରଫ ହୋଇଥିବା ୬ ଅଭିଯୁକ୍ତଙ୍କ ମଧ୍ୟରୁ ୫ଜଣଙ୍କର ପଲିଗ୍ରାଫ୍ ଟେଷ୍ଟ କରାଯିବ । ଏନେଇ ପଟିଆଲା କୋର୍ଟ ଦିଲ୍ଲୀ ପୁଲିସ୍କୁ ଅନୁମତି ଦେବା ସହ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧିକୁୂ ଆଉ ୮ଦିନ ବଢ଼ାଇ ଦେଇଛନ୍ତି । ରିପୋର୍ଟ ଅନୁସାରେ ସଂସଦ ଭବନ ମଧ୍ୟକୁ ଅନୁପ୍ରବେଶ ଘଟଣାର ମାଷ୍ଟରମାଇଣ୍ଡ୍ ଲଳିତ ଝା, ମହେଶ କୁମାୱତ୍, ଅମୋଲ ଶିନ୍ଦେ, ସାଗର ଶର୍ମା ଏବଂ ମନୋରଞ୍ଜନ ଡି ସେମାନଙ୍କ ପଲିଗ୍ରାଫ୍ ଟେଷ୍ଟ ଦେବା ପାଇଁ ରାଜି ହୋଇଯାଇଛନ୍ତି ।
କିନ୍ତୁ ଅନ୍ୟତମ ଅଭିଯୁକ୍ତ ନୀଳମ ଆଜାଦ୍ କିନ୍ତୁ ପଲିଗ୍ରାଫ୍ ଟେଷ୍ଟ ଦେବା ପାଇଁ ମନା କରିଦେଇଛନ୍ତି । ସୂଚନାଯୋଗ୍ୟ, ସଂସଦ ସୁରକ୍ଷା ତ୍ରୁଟି ମାମଲାରେ ଗିରଫ ହୋଇଥିବା ୬ଜଣ ଅଭିଯୁକ୍ତଙ୍କ ପୁଲିସ୍ ରିମାଣ୍ଡ ଅବଧି ୫ ତାରିଖରେ ଶେଷ ହେଉଥିବା ବେଳେ ପୁଲିସ୍ ଏମାନଙ୍କୁ ପଟିଆଲା କୋର୍ଟରେ ଉପସ୍ଥାପନ କରିଥିଲା । ଏଥିସହ ଏମାନଙ୍କ ପଲିଗ୍ରାଫ୍ ଟେଷ୍ଟ କରାଯିବାର ଆବଶ୍ୟକତା ରହିଥିବା ଦର୍ଶାଇ ଆଉ କିଛି ଦିନର ଅବଧି ଲୋଡିଥିଲା । କୋର୍ଟ ଏହାକୁ ଗ୍ରହଣ କରିଛନ୍ତି ଏବଂ ୮ ଦିନ ମଧ୍ୟରେ ପଲିଗ୍ରାଫ୍ ଟେଷ୍ଟ ଶେଷ କରିବାକୁ କହିଛନ୍ତି ।