କଟକ: ଧୁମଧାମର ସହ ନୂଆ ବର୍ଷକୁ ସ୍ବାଗତ କରିଛନ୍ତି କଟକ ବାସୀ । ରବିବାର ରାତିରେ ହୋଟେଲ, ରେସ୍ତୋରାଁ ଓ ପବ୍ଗୁଡିକରେ ଜମିଥିଲା ଜିରୋ ନାଇଟ ସେଲିବ୍ରେସନ । ୧୨ଟା ବାଜିବା ପରେ ସମସ୍ତେ ନୂଆ ବର୍ଷକୁ ସ୍ବାଗତ କରିଥିଲେ । ଡିଜେ ଗୀତରେ କମ୍ପୁଥିଲା ସିଲଭର ସିଟି । କଟକର ୩ ପ୍ରମୁଖ କ୍ଲବରେ ଝୁମିଥିଲେ କଟକିଆ । ସନ୍ଧ୍ୟା ସମୟରୁ ଆରମ୍ଭ ହୋଇଥିଲା ସେଲିବ୍ରେସନ୍ । ଆଉ ରାତି ୧୨ଟା ବାଜିବା ପରେ ସମସ୍ତେ ପରସ୍ପରକୁ ନୂଆବର୍ଷର ଶୁଭେଚ୍ଛା ଜଣାଇଥିଲେ ।
ବିଳମ୍ବିତ ରାତି ପର୍ୟ୍ୟନ୍ତ କଟକର ୟୁନିୟନ କ୍ଲବ୍, କଟକ କ୍ଲବ ଓ ଓସିଏ କ୍ଲବରେ ବିଭିନ୍ନ ବଲିଉଡ୍ ଓ ଓଲିଉଡ଼ ସିଙ୍ଗର ମାନେ ସେମାନଙ୍କ ଗୀତ ପରିବେଷଣ କରିଥିଲେ । ଗୀତର ତାଳେ ତାଳେ ସମସ୍ତେ ଝୁମି ଉଠିଥିଲେ । ବିଶେଷ କରି ଯୁବପୀଢୀ ନୂଆବର୍ଷକୁ ସ୍ବାଗତ କରିବାକୁ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା । ରାସ୍ତାଘାଟରେ ବାଣ ଫୁଟାଇ ନୂଆ ବର୍ଷକୁ ବେଶ ଉତ୍ସାହର ସ୍ବାଗତ କରିଛନ୍ତି ସିଲଭରସିଟି ବାସିନ୍ଦା ।