ଭୁବନେଶ୍ୱର: ଶିବ ଓରଫ ମଦନ ମୋହନ ମହାରଣାଙ୍କ ଉପରେ ହୋଇଥିବା ସଂଘବଦ୍ଧ ଆକ୍ରମଣ ଘଟଣାରେ ୮ ଜଣଙ୍କୁ ଗିରଫ କରିଛି ଏୟାରପୋର୍ଟ ଥାନା ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ରାକେଶ ଗୁରୁ ଓରଫ ରାକା(୩୦), ଅକ୍ଷେୟ ବେହେରା (୩୦), ଭାବଦେବ ମାହାପାତ୍ର ଓରଫ ନାନା(୨୨), କ୍ରୁଷ୍ଣ ଚନ୍ଦ୍ର ବାରିକ ଓରଫ କାହ୍ନା (୨୨), ମୁକଶ ନାୟକ ଓରଫ ବାପି(୨୪), ରାଜେଶ ନାୟକ ଓରଫ ଦିନୁ(୨୨), ଆଲୋକ ଦାଶ ଓରଫ ମୁନା (୨୫) ଏବଂ ଶିବରାମ ପ୍ରଧାନ (୨୫) । ଗତ କଲି ଜମି ବିବାଦକୁ କନ୍ଦ୍ରେକରି ଦୁଇ ଗୋଷ୍ଟିଙ୍କ ମଧ୍ୟରେ ହୋଇଥିଲା ମରଣାତ୍ମକ ଆକ୍ରମଣ । ଯାହା ଫଳରେ ରକ୍ତରଞ୍ଜିତ ହୋଇଥିଲା ଏୟାରପୋର୍ଟ ଛକ । ଉକ୍ତ ଘଟଣାରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଜମି ମାଲିକ ପ୍ରଦୀପ କୁମାର ସିଂ ।
ସୂଚନା ମୁତାବକ, ଅଭିଯୋଗକାରି ପ୍ରଦୀପ କୁମାର ସିଂଙ୍କର ଏୟାରପୋର୍ଟ ଟ୍ରାଫିକ୍ ଛକ ଭାରତୀ ଟାୱାର ନିକଟରେ ଗୋଟିଏ ପ୍ଲଟ ଅଛି ଯାହାକୁ ସେ ଓମ ପ୍ରକାଶ ସିଂ ନାମକ ଜଣେ ବ୍ୟକ୍ତିଙ୍କୁ ଗତ ୫ ବର୍ଷ ହେବ ଗ୍ୟାରେଜ ଓ ଟ୍ରାଭେଲ ଏଜେଂସି ଚଳାଇବା ପାଇଁ ଭଡାରେ ଦେଇଥିଲେ । ଓମ ଏବଂ ଆହତ ଶିବ ଓରଫ ମଦନ ମୋହନ ମହାରଣାଙ୍କର ପୂର୍ବରୁ ଶତ୍ରୁତା ରହିଥିଲା । ଅଭିଯୁକ୍ତ ଓମଙ୍କର ବେପାର ଭଲ ଚାଲୁ ଥିବାରୁ ଆହତ ଶିବ ଈର୍ଷା ପରାୟଣ ହୋଇ ଜମି ମାଲିକ ପ୍ରଦୀପଙ୍କ ଘର ନିକଟକୁ ତାଙ୍କର ସହଯୋଗୀ ରାକା ସହିତ ଆସିଥିଲେ ଏବଂ ତାଙ୍କୁ ଗାଳି ଗୁଲଜ କରିବା ସହ ଓମଙ୍କୁ ତାଙ୍କର ପ୍ଲଟରୁ ବାହାର କରିବା ପାଇଁ କହିଥିଲେ । ପ୍ରଦୀପ ସିଂ ଶିବଙ୍କ ଗାଳିଗୁଲଜ ଦେଖି ସଙ୍ଗେ ସଙ୍ଗେ ୧୧୨ରେ କଲ କରିବାରୁ ଶିବ ସାଙ୍ଗରେ ଆଣିଥିବା ଖଣ୍ଡାରେ ପ୍ରଦୀପଙ୍କ ଗୋଡକୁ ଚୋଟ ପାକାଇ ଘଟଣା ସ୍ଥଳରୁ ରାକା ସହିତ ଚାଲି ଯାଇଥିଲେ ।
ଏଥିରେ ପ୍ରଦୀପ ଗୁରୁତର ଆହତ ହେବାରୁ ପିସିଆର ଘଟଣାସ୍ଥଳରେ ପହଞ୍ଚି ପ୍ରଦୀପଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲକୁ ନେଇ ଭତ୍ତି କରିଥିଲେ । ଏହର କିଛି ସମୟ ପରେ ଓମ ପ୍ରକାଶ ସିଂ ଉକ୍ତ ଘଟଣାର ଖବର ପାଇଥିଲେ । ଯାହା ଫଳରେ ଓମ ପ୍ରକାଶ ଓ ତାଙ୍କ ସହଯୋଗୀମାନେ ରାତ୍ରି ଭୋଜନ କରିବା ପାଇଁ ଯାଉଥିବା ସମୟରେ, ଶିବ ରାକା ସହିତ ପୁନର୍ବାର ଘଟଣା ସ୍ଥଳକୁ ଆସିଥିଲେ । ସେଠାରେ ଉଭୟ ଉଭୟଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିବା ସହ ଅଭିଯୁକ୍ତ ଓମଙ୍କର ଦୋକାନ ଆଗରେ ପାର୍କ ହୋଇ ରହିଥିବା ତାଙ୍କର ସହଯୋଗୀ ରଶ୍ମୀଙ୍କର କାର ଟିକୁ ଭାଙ୍ଗି ଦେଇଥିଲେ । ଏହାକୁ ବିରୋଧ କରି ଅଭିଯୁକ୍ତ ଓମ, ରଶ୍ମୀ ତାଙ୍କର ସହଯୋଗୀଙ୍କ ସହିତ ଶିବକୁ ଆକ୍ରମଣ କରିବା ସହ ତାଙ୍କ ଠାରୁ ଖଣ୍ଡା ଛଡାଇ ଉକ୍ତ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଗୋଷ୍ଠୀ କନ୍ଦଳ ହେତୁ ଅଭିଯୁକ୍ତ ଓମଙ୍କର ସହଯୋଗୀ ଅକ୍ଷୟ, ରାକା ଆହତ ହୋଇଥିବା ବେଳେ ପ୍ରଥମେ ଜମିମାଲିକକୁ ଆକ୍ରମଣ କରିଥିବା ଶିବ ଗୁରୁତର ଆହତ ହୋଇଥିଲେ ।
ଏହା ପରେ ଓମ ଓ ରଶ୍ମୀ ମୋଟରସାଇକେଲ ଯୋଗେ ଘଟଣା ସ୍ଥଳରୁ ଚାଲି ଯାଇଥିଲେ । ରାକା ଆହତ ଶିବଙ୍କର ଭାଇ ଅଭିଯୋଗକାରୀ ଚନ୍ଦନଙ୍କୁ ଘଟଣା ବିଷୟରେ ଜଣାଇବା ପରେ ଚନ୍ଦନ ଘଟଣା ସ୍ଥଳରେ ପହଞ୍ଚି ଆହତ ଶିବକୁ ହସ୍ପିଟାଲକୁ ନେଇଯାଇଥିଲେ । ଏହାପରେ ଚନ୍ଦନ ଆସି ଏୟାରପୋର୍ଟ ଥାନାରେ ଓମ ଓ ତାଙ୍କର ସହଯୋଗୀଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ । ଏୟାରପୋର୍ଟ ଥାନା ପୁଲିସ ୨ଟି ଯାକ ମାମଲାର ତଦନ୍ତ କରି ଭୁବନେଶ୍ୱର ବାହାରକୁ ଫେରାର ହେଇଯାଇଥିବା ବେଳେ ଆକ୍ରମଣକାରିଙ୍କୁ ଗିରଫ କରିଛି । ଗିରଫ ୮ଜଣଙ୍କୁ ମଧ୍ୟରୁ ୩ଜଣ କେବିଏନ ଗ୍ରୁପରେ ସାମିଲ ଥିବା କଥା ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ ।ଘଟଣାରେ ବ୍ୟବହୃତ ଖଣ୍ଡା ଏବଂ ଏକ କାରକୁ ମଧ୍ୟ ଜବତ କରିଛି ପୋଲିସ ।