ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ହାବିଲଦାର, କନେଷ୍ଟବଳ ଓ ସିପାହୀଙ୍କ ଖାଦ୍ୟ ଭତ୍ତା ପରିମାଣକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ଏହି କର୍ମଚାରୀମାନେ କ୍ରମାଗତ ୮ଘଣ୍ଟା ଓ ତା’ଠୁ ଅଧିକ ସମୟ ଡ୍ୟୁଟି କରିବାବେଳେ ସେମାନଙ୍କୁ ଖାଇବା ବାବଦରେ ଦିଆଯାଉଥିବା ୫୦ଟଙ୍କା ଭତ୍ତାକୁ ୭୫ଟଙ୍କାକୁ ବୃଦ୍ଧି କରାଯାଇଛି । ଆଜି ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କ୍ରମାଗତ ଭାବେ ୮ଘଣ୍ଟାରୁ ଅଧିକ ସମୟ ଧରି ଡ୍ୟୁଟି କରୁଥିବା ଓଡ଼ିଶା ପୁଲିସର ହାବିଲଦାର, କନେଷ୍ଟବଳ ଓ ସିପାହୀ ଖାଦ୍ୟ ଭତ୍ତା ପରିମାଣ ଦୈନିକ ୫୦ଟଙ୍କା ପରିବର୍ତ୍ତେ ଏଣିକି ୭୫ଟଙ୍କା ମିଳିବ । ଏହି ବର୍ଦ୍ଧିତ ଭତ୍ତା ତତ୍କାଳ ପ୍ରଭାବରୁ ଲାଗୁ ହୋଇଛି । ଏହି ନିଷ୍ପତ୍ତି ଫଳରେ ରାଜ୍ୟର ପ୍ରାୟ ୫୫ହଜାର ହାବିଲଦାର, କନେଷ୍ଟବଳ ଓ ସିପାହୀ ଉପକୃତ ହେବେ ।