ରିକଜାଭିକ୍: ଦକ୍ଷିଣ-ପଶ୍ଚିମ ଆଇସଲାଣ୍ଡର ରେକଜେନ୍ସ ଉପଦ୍ୱୀପରେ ଆଗ୍ନେୟଗିରି ବିସ୍ପୋରଣ ଭଳି ଭୟାବହ ଘଟଣା ସମ୍ପର୍କରେ ସୂଚନା ମିଳିଛି । ସପ୍ତାହକ ପୂର୍ବରୁ ଏଠାରେ ଏକ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏବେ ଉତ୍ତପ୍ତ ଲାଭା ନିର୍ଗମନ ହେବାରେ ଲାଗିଛି । ସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏଠାରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଜାତୀୟ ପାଣିପାଗ ବିଭାଗ ମଙ୍ଗଳବାର ଏସମ୍ପର୍କରେ ସୂଚନା ଦିଆଯାଇ କୁହାଯାଇଛି ଯେ, ଗତ କିଛି ସପ୍ତାହ ଧରି ଆଇସଲାଣ୍ଡରେ ଭୂକମ୍ପ ଅନୁଭୂତ ହୋଇଆସୁଥିଲା । ଏବେ ହଠାତ୍ ଆଗ୍ନେୟଗିରି ଉଦ୍ଗୀରଣ ଘଟଣା ଘଟିଛି । ଗ୍ରିଣ୍ଡଭିକ୍ ଠାରୁ ପ୍ରାୟ ୪ କିମି ଉତ୍ତର ପୂର୍ବରେ ଏହି ବିସ୍ଫୋରଣ ଘଟିଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ହୋଇଥିବା ଭୂକମ୍ପ ପରେ ରାତି ପ୍ରାୟ ୧ଠଟା ୧୭ ସମୟରେ ଏହି ବିସ୍ପୋରଣ ଘଟିଛି । ରିପୋର୍ଟ ଅନୁସାରେ ଆଗ୍ନେୟଗିରିରେ ଛିଦ୍ରର ଦୈର୍ଘ୍ୟ ପ୍ରାୟ ୩.୫ କିମି ରହିଛି ଯେଉଁଥିରୁ ଲାଭା ସେକେଣ୍ଡରେ ପ୍ରାୟ ୧ଠଠରୁ ୨ଠଠ ଘନ ମିଟର ବେଗରେ ପ୍ରବାହିତ ହେଉଛି । ସେହିପରି ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ପୂର୍ବରୁ ଏଠାରେ ଦେଖାଦେଇଥିବା ଆଗ୍ନେୟଗୀରି ଉଦ୍ଗୀରଣ ପୂର୍ବ ବିସ୍ଫୋରଣ ଅପେକ୍ଷା ଅନେକ ଗୁଣ ବଡ଼ ରହିଛି । ତେବେ ବିସ୍ଫୋରଣର ସଠିକ୍ ସ୍ଥାନ ଏବଂ ଆକାର ନିଶ୍ଚିତ କରିବାକୁ ଏକ ହେଲିକପ୍ଟର ପଠାଯାଇଥିବା ଆଇସଲାଣ୍ଡ୍ ଜାତୀୟ ପୁଲିସ୍ କମିଶନର କହିଛନ୍ତି । ନାଗରିକମାନଙ୍କୁ ମଧ୍ୟ ପ୍ରଭାବିତ ଅଞ୍ଚଳକୁ ନଯିବା ପାଇଁ ଚେତାବନୀ ଜାରି କରାଯାଇଥିବା ସେ କହିଛନ୍ତି ।