ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଦୁଇ ମହାବଳ ବାଘଙ୍କ ମଧ୍ୟରେ ଲଢେଇ । ଆଉ ଲଢେଇର ଭିଡ଼ିଓ ଟ୍ୱିଟ୍ ଯୋଗେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନୀ ସେୟାର କରିଛନ୍ତି । ଶିମିଳିପାଳ ଅଭୟାରଣ୍ୟର ବାଘ ନମ୍ବର ଟି-୩୫ ଓ ଟି-୩୧ ଦୁହେଁ ମୁିାଁମୁହିଁ ହୋଇଛନ୍ତି । ନିଜ ଅଞ୍ଚଳରେ ନିଜର ଆଧିପତ୍ୟ ଅଧିକାରକୁ ସାବ୍ୟସ୍ତ କରିବା ନେଇ ଏଭଳି ଲଢେଇ ପ୍ରାୟତଃ ହୁଏ ବୋଲି ଡ଼ଃ ଗୋଗିନେନୀ କହିଛନ୍ତି । ଲଢେଇରେ ମୁଣ୍ଡରେ କଳା ଚିହ୍ନ ଥିବା ମହାବଳର ବିଜୟ ହୋଇଛି ବୋଲି ଜଣାପଡିଛି । ଆଉ ଏ ଦୃଶ୍ୟ ମଧ୍ୟ ବେଶ ନିଆରା ଅଟେ । ଯାହାକି ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ପାଟ୍ରୋଲିଂ ବେଳେ କର୍ମଚାରୀ ଏହାକୁ ଭିଡ଼ିଓରେ କଏଦ କରିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ଶିମିଳିପାଳ ଅଭୟାରଣ୍ୟରେ ୩୫ ମହାବଳ ବାଘ ଥିବା ଗଣନା ବେଳେ କ୍ୟାମେରା ଟ୍ରାପ୍ରୁ ଜଣାପଡ଼ିଛି । ଶିମିଳିପାଳରେ ଏବେ ବାଘ ଗଣନା ଚାଲିଛି । ତେବେ ଗଣନା ସରିଲେ ଏହି ସଂଖ୍ୟା ସ୍ପଷ୍ଟ ହୋଇଯିବ । ଅନ୍ୟପକ୍ଷରେ ଶିମିଳିପାଳ ଏବେ ବାଘଙ୍କ ବାଘଙ୍କ ସୁରକ୍ଷା ଆଶ୍ରୟସ୍ଥଳୀ ପାଲଟିଛି । ଶିମିଳିପାଳରେ ୩ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇ ପାଟ୍ରୋଲିଂ କରାଯାଉଛି । ଏଥିସହ ବନ ବିଭାଗ ପକ୍ଷରୁ ମଧ୍ୟ କଡ଼ା ପହରା ଦିଆଯାଉଛି । ଫଳରେ ଦିନେ ଶିକାରୀଙ୍କ ଚରା ଭୂଇଁ ପାଲଟିଥିବା ଶିମିଳିପାଳ ଏବେ ସେଥିରୁ ମୁକ୍ତ ପାଉଥିବା ଅନୁମାନ କରାଯାଉଛି ।